‘ଅସଲି ଦୁବାଇ ଗୃହିଣୀ’ : ବିଳାସପୂର୍ଣ୍ଣ ଚଳଣି ସମ୍ପର୍କରେ ବାହାସ୍ଫୋଟ ମାରୁଛନ୍ତି ଲିଣ୍ଡା – Ibnodisha

[ad_1]

ନିକର ପ୍ରଶଂସକ ଓ ଅନୁଗାମୀ ସୃଷ୍ଟି କରିବା ପାଇଁ ଆଜିକାଲି ସାମାଜିକ ଗଣମାଧ୍ୟମ ଏକ ପ୍ରକୃଷ୍ଟ ମଞ୍ଚ ପାଲଟିଛି। ନିଜର ନିଆରା କୃତି ପ୍ରଦର୍ଶନ କରି ସାମାଜିକ ଗଣମାଧ୍ୟମ ଅନୁଗାମୀମାନଙ୍କର ପ୍ରିୟପାତ୍ର ହେବାକୁ ସମସ୍ତେ ଚାହିଁଥା’ନ୍ତି। ମାତ୍ର ଦୁବାଇର ଜଣେ କୋଟିପତି ଉଦ୍ୟୋଗୀଙ୍କ ପତ୍ନୀ ନିଜକୁ ଦେଖେଇ ହେବା ଲାଗି ନିଜର ବିଳାସପୂର୍ଣ୍ଣ ଚଳଣି ସମ୍ପର୍କରେ ବାହାସ୍ଫୋଟ ମାରି ଅନୁଗାମୀମାନଙ୍କୁ କ୍ଷୁବ୍ଧ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ନିଜକୁ ‘ଅସଲି ଦୁବାଇ ଗୃହିଣୀ’ ବୋଲି ପରିଚୟ ଦେଉଥିବା ୨୪ ବର୍ଷୀୟା ଲିଣ୍ଡା ଆଣ୍ଡ୍ରେଡ୍ ଜଣେ ସାମାଜିକ ଗଣମାଧ୍ୟମ ଇନ୍ଫ୍ଲୁଏନ୍ସର୍ ଭାବେ ବେଶ୍ ପରିଚିତ। ତାଙ୍କର ଏବେ ଟିକ୍ଟକ୍ରେ ୭ ଲକ୍ଷ ଅନୁଗାମୀ ଓ ଇନ୍ଷ୍ଟାଗ୍ରାମ୍ରେ ୨ ଲକ୍ଷ ଅନୁଗାମୀ ରହିଛନ୍ତି। ଦୁବାଇରେ ଅପାର ସମ୍ପତ୍ତିର ମାଲିକାଣୀ ଥିବା ଲିଣ୍ଡା ନିଜର ଧନସମ୍ପତ୍ତି ଓ ବିଳାସପୂର୍ଣ୍ଣ ଜୀବନ ବାବଦରେ ବଡ଼ିମାପୂର୍ଣ୍ଣ ଭିଡିଓ ପ୍ରସାର କରନ୍ତି।
ଗତ ଜୁନ୍ ମାସରେ ସେ ଛାଡ଼ିଥିବା ‘ଜଣେ କୋଟିପତିଙ୍କ ପତ୍ନୀ ଭାବରେ ମୁଁ ଦିନକୁ କେତେ ଖର୍ଚ୍ଚ କରିପାରେ’ ଶୀର୍ଷକ ଭିଡିଓରେ ଦର୍ଶାଇଥିଲେ ଯେ ସେ ୭,୦୦୦ ଡଲାର (ପ୍ରାୟ ୫.୮ ଲକ୍ଷ ଟଙ୍କା) ଦେଇ ଦୁଇଟି ସୌଖୀନ୍ ‘ଚାନେଲ୍ ବ୍ୟାଗ୍’ କିଣିଛନ୍ତି। ସେହିପରି ସେ ବଜାର କରିବା ଲାଗି ଚାଲି ଚାଲି ଯିବାକୁ ପସନ୍ଦ କରନ୍ତିନି ବୋଲି ଏକ ବିଳାସପୂର୍ଣ୍ଣ କାର ଭଡ଼ା କରିଥିଲେ। ଏପରି ଭାବେ ସେ ସେଦିନ ମୋଟ ୧୬,୫୪୦ ଡଲାର (୧୩.୭ ଲକ୍ଷ ଟଙ୍କା) ଖର୍ଚ୍ଚ କରିଥିଲେ। ଏହି ଭିଡିଓଟିକୁ କୋଟିଏରୁ ଅଧିକ ଦର୍ଶକ ଦେଖିବା ସହ ଅନେକ ଲୋକ ସମାଲୋଚନାମୂଳକ ଟିପ୍ପଣୀ କରିଛନ୍ତି। ଅନ୍ୟ ଏକ ଭିଡିଓରେ ସେ ବିବାହ ପୂର୍ବରୁ ତାଙ୍କ ଭାବୀ ସ୍ବାମୀଙ୍କ ଠାରୁ ହାସଲ କରିଥିବା ଉପହାରଗୁଡ଼ିକ ମଧ୍ୟରେ ଜାଗାବାଡ଼ି, ହୀରା ଅଳଙ୍କାର ଓ ପ୍ରତି ମାସରେ ବିଦେଶରେ ଛୁଟି କଟାଇବା ଆଦି ରହିଥିଲା ବୋଲି ଦର୍ଶାଇଥିଲେ।
ଏଥିରେ ଅତିଷ୍ଠ ହୋଇ କିଛି ଲୋକ ଟିପ୍ପଣୀ କରିଛନ୍ତି: ‘ଆସନ୍ତାକାଲି ତୁମ ସ୍ବାମୀ ମରିଗଲେ, ତୁମ ପାଇଁ କିଛି ଫରକ ପଡ଼ିବନି କାରଣ ତୁମର କେବଳ ପାର୍ଥିବ ସାମଗ୍ରୀ ଲୋଡ଼ା।’ ତେବେ ଲିଣ୍ଡା କୌଣସି କଟାକ୍ଷକୁ ଖାତିର କରନ୍ତିନି ଏବଂ ନିଜର ଉପସ୍ଥିତି ଜାହିର କରିବା ଲାଗି ଏପରି କରିଚାଲିବେ ବୋଲି କହିଛନ୍ତି। କିନ୍ତୁ ବାସ୍ତବରେ ସେ ଏତେ ଖର୍ଚ୍ଚ କରିନଥା’ନ୍ତି। ବରଂ, ଅନ୍ୟମାନଙ୍କ ପାଖରେ ନିଜକୁ ଏପରି ବିଜ୍ଞାପିତ କରିବା ଲାଗି ସେ ସବୁକଥା ବଢ଼େଇଚଢ଼େଇ କହିଥା’ନ୍ତି ବୋଲି ‘ବିଜନେସ୍ ଇନ୍ସାଇଡର’ ପକ୍ଷରୁ କୁହାଯାଇଛି।
[ad_2]