ଭୀଷଣ ହେଲାଣି ଜଳବାୟୁ ପରିବର୍ତ୍ତନ ପ୍ରଭାବ: ବିପର୍ଯ୍ୟୟ ବଢ଼ୁଛି, ଭିତ୍ତିଭୂମିକୁ ମାଡ଼ – Ibnodisha

[ad_1]
ନୂଆଦିଲ୍ଲୀ: ପ୍ରକୃତିର କୋପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏତେ ଭୀଷଣ ଯେ କୋଟିଏ କି ଦୁଇ କୋଟି ନୁହେଁ; ବର୍ଷକୁ ସମୁଦାୟ ବିଶ୍ବ ପାଖାପାଖି ୮୫୦ ବିଲିଅନ୍ ଡଲାର ବା ୭୦ଲକ୍ଷ ୫୫ ହଜାର କୋଟି ଟଙ୍କା କ୍ଷତି ସହୁଛି। ଏକଥା ଆମେ କହୁନାହୁଁ। ନୂଆଦିଲ୍ଲୀଭିତ୍ତିକ ସଂସ୍ଥା ସିଡିଆର୍ଆଇ (କୋଆଲିସନ ଫର୍ ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର) ପକ୍ଷରୁ ଏଭଳି ଆକଳନ କରାଯାଇଛି। ଏହି ତଥ୍ୟକୁ ବିଶ୍ବାସକୁ ନେଲେ ପରିବେଶ ପ୍ରଭାବ ପ୍ରତି ମନୁଷ୍ୟ କେତେ ସତର୍କ ହେବା ଉଚିତ୍, ଏକଥା ଯେ କେହି ଅନୁମାନ କରିପାରେ।
ପରିବେଶ ପ୍ରଦୂଷଣ ଯୋଗୁ ଜଳବାୟୁରେ ଭୀଷଣ ପରିବର୍ତ୍ତନ ଦେଖାଦେଲେଣି। ବିଭିନ୍ନ ମନୁଷ୍ୟକୃତ କାର୍ଯ୍ୟର ପ୍ରତିକୂଳ ପ୍ରଭାବ ପୃଥିବୀ ଉପରେ ପଡ଼ୁଛି। ପରିଣାମ ହେଲା ବର୍ଷା, ବନ୍ୟା, ମରୁଡ଼ି, ଭୂମିକମ୍ପ କିମ୍ବା ବନାଗ୍ନି ଭଳି ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଅନିୟମିତତା ବହୁଗୁଣିତ ହୋଇଛି। କେତେବେଳେ ବାଦଲ ଫଟା ବର୍ଷା ଯୋଗୁ ଅଚାନକ ବନ୍ୟା ଆସି ଲୋକଙ୍କ ଧନଜୀବନ ନଷ୍ଟ କରୁଛି ତ ଆଉ କେତେବେଳେ ହିମଶୈଳ ବା ବିଶାଳ ବରଫ ଖଣ୍ଡ ତରଳି ଯିବା କାରଣରୁ ନଦୀରେ ଜଳସ୍ରୋତ ହଠାତ୍ ବୃଦ୍ଧିପାଇ ବିତ୍ପାତ ସୃଷ୍ଟି କରୁଛି। ଏହାକୁ ସାମ୍ନା କରିବା ମଣିଷ ପକ୍ଷେ ସମ୍ଭବ ହେଉନାହିଁ। ଗୋଟିଏ ପଟେ ଅତ୍ୟାଧୁନିକ ପ୍ରଯୁକ୍ତିରେ ମଜଭୁତ ଘର, ରାସ୍ତା, ପୋଲ ଆଦି ନିର୍ମାଣ କରି ମଣିଷ ଶାନ୍ତିରେ ରହିବାକୁ ଚେଷ୍ଟା କରୁଥିଲା ବେଳେ ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ସେସବୁ ଭିତ୍ତିଭୂମିକୁ ନିମିଷକ ମଧ୍ୟେ ମୋଡ଼ି ମକଚି ପକାଉଛି। ବିଶ୍ବର ପ୍ରାୟ ସବୁ ଅଞ୍ଚଳରେ ଘଟୁଥିବା ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମନୁଷ୍ୟ ବର୍ଷ ବର୍ଷ ଧରି ସାମ୍ନା କରି ଆସୁଥିଲା।
ହେଲେ ଏବେ କିନ୍ତୁ ଏହାର ମାତ୍ରା ବଢ଼ିଯାଇଛି। ଏସିଆ ମହାଦେଶ ଠାରୁ ଆରମ୍ଭ କରି ଆମେରିକା, ଆଫ୍ରିକା ଆଦିରେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭୂତ କ୍ଷତି ଘଟାଉଥିବା ପରିଲକ୍ଷିତ ହେଲାଣି। ଆମେରିକାର ହାୱାଇରେ ବନାଗ୍ନି ଏବଂ ତୁର୍କୀରେ ସଂଘଟିତ ପ୍ରଳୟଙ୍କରୀ ଭୂମିକମ୍ପ ଏସବୁର ଜ୍ବଳନ୍ତ ଉଦାହରଣ। ଭାରତ ମଧ୍ୟ ବିପଦମୁକ୍ତ ନୁହେଁ। ଉତ୍ତର ଭାରତରେ ଗତ କିଛିବର୍ଷ ହେଲା ପ୍ରାକୃତିକ ବିପର୍ଯ୍ୟୟ ବହୁ ମାତ୍ରାରେ ବଢ଼ିଯାଇଛି। ସେଠାକାର ଲୋକ ଏବଂ ପ୍ରଶାସନ ପାଇଁ ଏବେ ବିପର୍ଯ୍ୟୟ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ସେଠାରେ ଅଚାନକ ବନ୍ୟା ସୃଷ୍ଟି କରୁଛି। ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ବହୁମହଲା ବିଶିଷ୍ଟ ଘରଗୁଡ଼ିକ ତାସ ଘର ଭଳି ଭୁଶୁଡ଼ି ପଡ଼ିବା ସହିତ ନଦୀ ଗର୍ଭରେ ଲୀନ ହେବାର ଦୃଶ୍ୟ ଛାତିକୁ ଥରାଇ ଦେଉଛି। ଏବେ ଏହି ତାଲିକାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକ୍ସିମ ଯୋଡ଼ି ହେଲାଣି। ଗ୍ଲେସିୟର ହ୍ରଦ ତରଳିଯିବା କାରଣରୁ ତିସ୍ତା ନଦୀରେ ଯେଉଁ ଅଚାନକ ବନ୍ୟା ଆସିଛି ତାହା ଯୋଗୁ ନାହିଁ ନଥିବା କ୍ଷତି ସହିବାକୁ ପଡ଼ିଛି। ତିସ୍ତା ନଦୀରେ ନିର୍ମିତ ୧୨୦୦ ମେଗାୱାଟ ବିଶିଷ୍ଟ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ଭାଙ୍ଗି ଛାରଖାର ହୋଇଗଲା। ଏସବୁ ଗୋଟିଏ ଗୋଟିଏ ଉଦାହରଣ ମାତ୍ର।
ବିଶ୍ବରେ ବର୍ଷକୁ ୭୦ଲକ୍ଷ ୫୫ହଜାର କୋଟିର ସଂପତ୍ତି ବରବାଦ୍
ଭାରତ ସହ ବିକାଶଶୀଳ ରାଷ୍ଟ୍ରକୁ ବାର୍ଷିକ ୨.୯ଲକ୍ଷ କୋଟି ଡଲାର ଖର୍ଚ୍ଚ
ଲାଗି ପରାମର୍ଶ
ମୋଟାମୋଟି ଭାବେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଯେତେ ଘର, ରାସ୍ତା, ପୋଲ, ବିଦ୍ୟୁତ ଖୁଣ୍ଟ, ମୋବାଇଲ ଟାୱାର ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଧରାଶାୟୀ ହେଉଛି ତାହାର ପ୍ରକୃତ କ୍ଷତି ଆକଳନ ଅତ୍ୟନ୍ତ କଷ୍ଟସାଧ୍ୟ। ଏହା ସତ୍ତ୍ବେ ଦିଲ୍ଲୀଭିତ୍ତିକ ନୂଆଦିଲ୍ଲୀଭିତ୍ତିକ ସଂସ୍ଥା ସିଡିଆରଆଇ (କୋଆଲିସନ ଫର୍ ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର) ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, କ୍ଷତିର ମୂଲ୍ୟ ଏତେ ଅଧିକ ଯେ ୨୦୨୧-୨୨ ଜିଡିପି ଅଭିବୃଦ୍ଧିର ୧୪ ପ୍ରତିଶତ ଏଥିଯୋଗୁ ବିପଦରେ ରହିଛି। ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ବିଶ୍ବରେ ଯେତିକି ଭିତ୍ତିଭୂମି ରହିଛି ତାହାର ପ୍ରାୟ ୬୭ ପ୍ରତିଶତ ଧନୀ ଦେଶଗୁଡ଼ିକରେ। ଏହା ପଛକୁ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକରେ ୨୫ ପ୍ରତିଶତ ଏବଂ ଗରିବ ଦେଶଗୁଡ଼ିକରେ ୭ ପ୍ରତିଶତ ଭିତ୍ତିଭୂମି ରହିଛି। କିନ୍ତୁ ଗରିବ ଦେଶଗୁଡ଼ିକର ଭିତ୍ତିଭୂମି ପ୍ରତି ପ୍ରାକୃତିକ ବିପର୍ଯ୍ୟୟ ଜନିତ ବିପଦ ସର୍ବାଧିକ। ଧନୀ ଦେଶଗୁଡ଼ିକର ଭିତ୍ତିଭୂମି ପ୍ରତି ବାର୍ଷିକ କ୍ଷତି ୦.୧ ପ୍ରତିଶତ ରହୁଥିବାବେଳେ ଗରିବ ଦେଶଗୁଡ଼ିକରେ ଏହା ୦.୪ ପ୍ରତିଶତ ରହୁଛି। ପ୍ରଥମ ଥର ପାଇଁ ଗ୍ଲୋବାଲ ଇନଫ୍ରାଷ୍ଟ୍ରକଚର ରିସ୍କ ମଡେଲ ଆଣ୍ଡ ରେଜିଲିଏନ୍ସ ଇଣ୍ଡେକ୍ସ (ଜିଆଇଆରଆଇ) ମଡେଲ ଜରିଆରେ ଏପ୍ରକାର କ୍ଷତିକୁ ଆକଳନ କରାଯାଇଛି।
ଏଠାରେ ଉଲ୍ଲେଖଥାଉକି, ବିଶ୍ବରେ ପ୍ରତିବର୍ଷ ଯେତିକି ଭିତ୍ତିଭୂମି କ୍ଷତି ହେଉଛି ସେଥିରୁ ୩୦ ପ୍ରତିଶତ ଭୂମିକମ୍ପ ଏବଂ ସୁନାମୀ ପାଇଁ ହେଉଛି। ଅବଶିଷ୍ଟ ୭୦ ପ୍ରତିଶତ କ୍ଷତି ବାତ୍ୟା, ବନ୍ୟା ଏବଂ ଝଡ଼ ଆଦି ଯୋଗୁ ହେଉଥିବା ଏହି ରିପୋର୍ଟ କହୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଧନୀ ଦେଶଗୁଡ଼ିକର ଭିତ୍ତିଭୂମିଜନିତ ବାର୍ଷିକ କ୍ଷତି ୧୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। କିନ୍ତୁ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକରେ ଏହି କ୍ଷତି ୨୨ ପ୍ରତିଶତ ଏବଂ ଗରିବ ଦେଶଗୁଡ଼ିକରେ ଏହା ୩୩ ପ୍ରତିଶତ ବୃଦ୍ଧି ପାଇବ। ଭିତ୍ତିଭୂମି ପ୍ରତି ଦେଖାଯାଉଥିବା ବିପଦ ଯେଭଳି ହ୍ରାସ ପାଇବ ସେଥିପାଇଁ ପରିବେଶ ଭିତ୍ତିକ ଭିତ୍ତିଭୂମି ସୁବିଧା ବିକାଶ ପାଇଁ ବିଶେଷଜ୍ଞମାନେ ଏହି ଅବସରରେ ପରାମର୍ଶ ଦେଇଛନ୍ତି। ରିପୋର୍ଟରେ ୯ଟି ଭିତ୍ତିଭୂମି କ୍ଷେତ୍ରକୁ ବିଶ୍ଳେଷଣ କରାଯାଇଛି। ଏଥିସହିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବା ପାଇଁ ହେଲେ ବିଶ୍ବକୁ ୨୦୫୦ ମସିହା ପର୍ଯ୍ୟନ୍ତ ବାର୍ଷିକ ୯.୨ ଲକ୍ଷ କୋଟି ଡଲାର ରାଶି ବିପର୍ଯ୍ୟୟରେ ପ୍ରଭାବିତ ନହେବା ଭଳି ଭିତ୍ତିଭୂମି ନିର୍ମାଣରେ ବ୍ୟୟ କରିବାକୁ ହେବ ବୋଲି କୁହାଯାଇଛି। ସେହିଭଳି ଭାରତ ସମେତ ବିକାଶଶୀଳ ଦେଶଗୁଡ଼ିକୁ ଏ ବାବଦରେ ବର୍ଷକୁ ୨.୯ ଲକ୍ଷ କୋଟି ଡଲାର ବ୍ୟୟ କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।
[ad_2]