ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ।

IBN ଓଡିଶା (ବ୍ୟୁରୋ)ଭୁବନେଶ୍ୱର : ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ ହେଲେ ଅବକାରୀ ଅଧୀକ୍ଷକ । ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ପ୍ରଥମେ ନିଜେ ଲାଞ୍ଚ ନେବା ଘଟଣାକୁ ମନା କରିଥିଲେ, ଆଉ ଶେଷରେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି। ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଥିବା ଏକ ଲଜରେ ମଦ ବ୍ୟବସାୟୀଙ୍କ ମ୍ୟାନେଜରଙ୍କୁ ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଏଭଳି ଅଭିଯୋଗରେ ପୂର୍ବରୁ ୨ ଜଣ ଅବକାରୀ କନେଷ୍ଟବଳ ଚାକିରୀରୁ ସସପେଣ୍ଡ ହୋଇଥିଲେ ।ତେବେ ସୂଚନା ଥାଉକି ରାୟଗଡ଼ା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ କନେଷ୍ଟବଳ ସୁଶାନ୍ତ ପାତ୍ର ଗତ ଏପ୍ରିଲ ୧୩ ତାରିଖରେ ଗୁଣପୁର ଗସ୍ତରେ ଯାଉଥିବା ବେଳେ ଏକ ଲଜ୍ରେ ଅଟକି ଥିଲେ।ଆଉ ସେଠାରେ ଜଣେ ମଦ ଦୋକାନର କର୍ମଚାରୀଙ୍କୁ ଟଙ୍କା ମାଗୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି କଥିତ ଭିଡିଓରେ ଅବକାରୀ ଅଧୀକ୍ଷକ ତାଙ୍କ କନଷ୍ଟେବଲଙ୍କ ମାଧ୍ୟମରେ ବେଆଇନ୍ ଟଙ୍କା କାରବାର ନେଇ କଥା କହୁଥିବା ଶୁଣା ଯାଉଥିଲା।ତେବେ ଭିଡିଓ ଭାଇରାଲ ହେବା କ୍ଷଣି ରାୟଗଡା ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବକାରୀ ଅଧୀକ୍ଷକଙ୍କ ଭିଡିଓରେ ଶୁଣିବାକୁ ମିଳୁଥିଲା ଯେ, ” ‘ଆମେ କେତେ ମନ ଦେଇ କାମ କରୁଛୁ। ଆମାଉଣ୍ଟ ବହୁତ କମ୍ ହୋଇଗଲା । ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି। ଏପରିକି ପାତ୍ରପୁରରେ ଥିବା ବେଳେ ଗୋଟିଏ ମଦ ଦୋକାନରୁ ୧୫ ହଜାର ନେଉଥିଲି।’ କିନ୍ତୁ ଉଭୟ ଅଧୀକ୍ଷକ ଓ କନଷ୍ଟେବଲ ଏହି ଅଭିଯୋଗକୁ ଖଣ୍ଡନ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଫସା ଯାଉଥିବା ସେ କହିଥିଲେ।ତେବେ ଆଜି ଘଟଣାର ପ୍ରାଥମିକ ତଦନ୍ତ ପରେ ଉକ୍ତ ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି ।