ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ – Ibnodisha
[ad_1]
ଟିଟିଲାଗଡ଼ : ପେଟ ପାଇଁ ଦୁଇ ମୁଠା ଆହାର ଯୋଗାଡ଼ କରିବାକୁ ଯାଇଥିଲେ । ଘରର ଅବସ୍ଥା ଭଲ ନଥିଲା । ଘର ଚଳାଇବା ପାଇଁ ଘରଠୁ ଦୂରକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏଭଳି ମୃତ୍ୟୁ କୁ ନେଇ ସନ୍ଦେହ ବଢ଼ିବା ସହ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ହତ୍ୟା କରାଯାଇଛି ନା ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାକୁ ନେଇ ଏବେ ସନ୍ଦେହ ବଢ଼ିଚାଲିଛି । ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ପଡିଛି ଶ୍ରମିକ ଙ୍କ ମୃତ ଦେହ । ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି ନୂଆପଡାର ଯୋଗେନ୍ଦ୍ର ବେହେରା ଅନ୍ୟ କେତେକ ଶ୍ରମିକଙ୍କ ସହ ତିରୁପତି ନିକଟସ୍ଥ ଚନ୍ଦ୍ର ହାସ ଅଞ୍ଚଳରେ ଥିବା ମାଲିକ ଚନ୍ଦ୍ରଙ୍କ ଇଟା ଭାଟିକୁ ଯାଇଥିଲେ । ହେଲେ କେତେକ ଶ୍ରମିକ ଚାଲିଆସିବାରୁ ଯୋଗେନ୍ଦ୍ର ବେହେରା ମଧ୍ୟ ଷ୍ଟେସନକୁ ଆସିଥିଲେ । କିନ୍ତୁ ମାଲିକ ଷ୍ଟେସନରୁ ଯୋଗେନ୍ଦ୍ରକୁ ନେଇ ଘରେ ତାଲା ମାରି ରଖିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସାଙ୍ଗରେ ଥିବା ଶ୍ରମିକ । ସୂଚନା ଅନୁସାରେ କଣ୍ଟାବାଞ୍ଜିର ଦାଦନ ଶ୍ରମିକ ଦଲାଲ ସୁରୁ ନାଗ ଶ୍ରମିକ ମାନଙ୍କୁ ଅଗ୍ରିମ ୧୦ ହଜାର ଟଙ୍କା ଦେଇ ତିରୁପତି ନିକଟସ୍ଥ ଚନ୍ଦ୍ର ହାସ କୁ ଇଟା ଗଢିବା ପାଇଁ ପଠାଇ ଥିଲେ । କିନ୍ତୁ ସେଠାରେ ଶ୍ରମିକ ମାନଙ୍କୁ ନିର୍ଯାତନା ଦିଆଯାଉଥିଲା । ଯୋଗେନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ କୁଆଡେ ତାଙ୍କ ଶବ କୁ ଅନ୍ୟ ଜଣେ ଶ୍ରମିକ ଏବଂ ଦାଦନ ଦଲାଲ ସୁରୁ ନାଗ କଣ୍ଟାବାଞ୍ଜି କୁ ଆଣିବା ପରିବର୍ତ୍ତେ କେସିଙ୍ଗା ରେଳ ଷ୍ଟେସନରେ ଓଲ୍ଲାଇ ଟିଟିଲାଗଡ଼କୁ ଆଣିଥିଲେ । ଟିଟିଲାଗଡ଼ ପୋଲିସ ଖବର ପାଇ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ଯୋଗେନ୍ଦ୍ର ବେହେରାଙ୍କ ଶବ ରକ୍ତାକ୍ତ ଅବସ୍ଥାରେ ରହିଥିଲା । ଯାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଅନ୍ୟପଟେ ଦାଦନ ଦଲାଲ ସୁରୁ ନାଗ ଫେରାର ମାରିଛି । କଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନ ବଦଳରେ କେସିଙ୍ଗା ରେଳ ଷ୍ଟେସନରେ ଶବକୁ ଓଲ୍ଲାଇ ଦିଆଗଲା ତାକୁ ନେଇ ସନ୍ଦେହ ଉପୁଜିଛି । କେସିଙ୍ଗା ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ ପୋଲିସ ଥାଇ ମଧ୍ୟ ଶବକୁ କେମିତି ଏକ ଆମ୍ବୁଲାନ୍ସ ଯୋଗେ ଛାଡି ଦିଆଗଲା ତାକୁ ନେଇ ଏବେ ମାମଲା ଆହୁରି ସଙ୍ଗୀନ ହୋଇଛି । ଟିଟିଲାଗଡ଼ ଏସ.ଡି.ପି.ଓ ଅଙ୍କିତା କୁମ୍ଭାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି । ଗୋଟିଏ ପରେ ଗୋଟିଏ ଦାଦନ ଶ୍ରମିକଙ୍କ ଶବ ଫେରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦାଦନ ଗଡ଼ରେ ଦାଦନ ଶ୍ରମିକ ଚାଲାଣ ରୋକିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଆଉ ଏହାରି ଭିତରେ ନିର୍ଯାତନା ସହ ଶ୍ରମିକଙ୍କ ମୃତ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ସନ୍ଦେହ ବଢ଼ିଚାଲିଛି ।
[ad_2]