ରାଜନୀତି

ପରିବାରବାଦ ନୀତିର ପରିଣତି ଭୋଗୁଛି କଂଗ୍ରେସ୍‌: ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: “ବର୍ତ୍ତମାନ ସମୟ ଏପରି ହୋଇଛି, ବିରୋଧୀ ଦଳର ଅନେକ ନେତା ଏବେ ଲୋକସଭା ନିର୍ବାଚନ ଲଢ଼ିବାର ସାହସ କରିପାରୁନାହାନ୍ତି । ସେମାନେ ଏବେ ରାଜ୍ୟସଭାରୁ ସାଂସଦ ହେବାକୁ ଉଚିତ୍ ମଣିଲେଣି । ସେହିପରି ବିରୋଧୀ କଂଗ୍ରେସ ଆଜି ନିଜ ପରିବାରବାଦ ନୀତିକୁ ପ୍ରୋତ୍ସାହନ ଦେବା ଭଳି ମହାଭୁଲ୍‌ର ପରିଣତି ଭୋଗୁଛି । ବର୍ତ୍ତମାନ ଦେଶର ରାଜନୈତିକ ପାଣିପାଗକୁ ଦେଖି ଆମେ ଦୃଢ଼ ଆଶ୍ୱସ୍ତ ଯେ ‘ଅବ୍ କି ବାର ୩୭୦ ପାର୍‌’ ଲକ୍ଷ୍ୟରେ ଆମେ ସଫଳ ହେବୁୁ” । ସୋମବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ୍ କରି ଏପରି ବିବୃତି ଦେଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ବିରୋଧୀଙ୍କ ଆଲାଏନ୍ସର ଆଲାଏନ୍‌ମେଣ୍ଟ ବିଗିଡ଼ି ଯାଇଛି । ସେମାନଙ୍କ ମେଣ୍ଟରେ ବିଶ୍ୱାସର ସଙ୍କଟ ଦେଖାଦେଇଛି । କେହି କାହାକୁ ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି । କଂଗ୍ରେସର ବିପର୍ଯ୍ୟୟ ସ୍ଥିତି ସତ୍ତ୍ୱେ କିଛି ନେତା ବାରମ୍ବାର ଶାସକ ଦଳର ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ତଥା ପ୍ରଶାସନିକ କାର୍ଯ୍ୟକାରିତାକୁ ନେଇ ଅତ୍ୟନ୍ତ ଅପମାନଜନକ ସ୍ତରକୁ ଖସିଯାଇ ସମାଲୋଚନା କରୁଛନ୍ତି । ସଂସଦୀୟ ଅଧିବେଶନରେ ମଧ୍ୟ ଗୃହକାର୍ଯ୍ୟକୁ ସ୍ୱାଭାବିକ ଭାବେ ପରିଚାଳନା କରିବାରେ ସହଯୋଗ କରିବା ବଦଳରେ ହୋହଲ୍ଲା ଏବଂ ଅଯଥା ପ୍ରସଙ୍ଗରେ ହଟ୍ଟଗୋଳ, ହଙ୍ଗାମା ସୃଷ୍ଟି କରି ଗୃହକାର୍ଯ୍ୟକୁ ପ୍ରଭାବିତ କରିବାକୁ ସେମାନେ ଶ୍ରେୟସ୍କର ମଣୁଛନ୍ତି । ତେବେ ସେମାନଙ୍କ ଏପ୍ରକାର ବ୍ୟବହାର ଦେଖି ଲାଗୁଛି, ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହି ବିରୋଧୀ ଆସନରେ ବସିବାକୁ ମନସ୍ଥ କରିନେଇଛନ୍ତି । ଯଦି ଏହି ପ୍ରକ୍ରିୟା ଜାରି ରୁହେ ଏବଂ କଂଗ୍ରେସ ନେତାମାନେ ନିଜ ଆଚରଣରେ ପରିବର୍ତ୍ତନ ନଆଣନ୍ତି ତେବେ ସେମାନେ ଆଗାମୀ ଦିନରେ ଆହୁରି ଉଚ୍ଚରେ ଥିବା ଆସନକୁ ଉଠିଯାଇ କେବଳ ଦର୍ଶକ ଗ୍ୟାଲେରୀରେ ବସି ଦେଖଣାହାରୀ ସାଜିବା ବ୍ୟତୀତ ଅନ୍ୟକିଛି କରିପାରିବେନି ।

ନିଜ ୧୦୦ ମିନିଟ୍‌ର ଭାଷଣରେ ମୋଦୀ କଂଗ୍ରେସ, ପରିବାରବାଦ, ଭ୍ରଷ୍ଟାଚାର, ରୋଜଗାର, ମହଙ୍ଗା, ରାମ ମନ୍ଦିର, ପର୍ଯ୍ୟଟନ, ମହିଳା, କୃଷକ, ଯୁବଗୋଷ୍ଠୀ, ଦେଶର ଅର୍ଥବ୍ୟବସ୍ଥା, ୫ଟ୍ରିଲିଅନ୍ ଅର୍ଥନୀତି ହେବାର ଲକ୍ଷ୍ୟ, ବିରୋଧୀ ଦଳଙ୍କ ମେଣ୍ଟ ‘ଇଣ୍ଡିଆ’ ତଥା ୧୦ ବର୍ଷର ୟୁପିଏ ସରକାର ବନାମ ଏନ୍‌ଡିଏ ସରକାରର ୧୦ବର୍ଷର ଶାସନ କାଳ ସମ୍ପର୍କରେ କହିଥିଲେ । ଏହି ଅବସରରେ ମୋଦୀ କଂଗ୍ରେସ ସରକାରରେ କେଉଁ ସବୁ କାମକୁ ଗୁରୁତ୍ୱ ଦିଆଯାଇନଥିଲା ଏବଂ ନିଜର ୧୦ବର୍ଷ ସରକାରଙ୍କ କାର୍ଯ୍ୟକାରିତାର ସବୁତକ ହିସାବ ଗୃହରେ ରଖିଥିଲେ ।

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଠାରୁ ଆରମ୍ଭ କରି ଟ୍ରିପଲ୍ ତଲାକ୍ ବ୍ୟବସ୍ଥାକୁ ନିଷିଦ୍ଧ କରାଯିବା ପର୍ଯ୍ୟନ୍ତ, ଆତଙ୍କବାଦ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ଅନ୍ୟ ଦେଶଙ୍କ ସହ ରହିଥିବା ସୀମାବିବାଦ ପର୍ଯ୍ୟନ୍ତ ଏବଂ ସର୍ବୋପରି ରାମ ମନ୍ଦିର ଉଦ୍‌ଘାଟନ ଭଳି ଅନେକ ପ୍ରସଙ୍ଗରେ ମୋଦୀ କହିଥିଲେ । ତେବେ ଏହି ସମୟରେ ମୋଦୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀ ଏବଂ ଜବାହରଲାଲ ନେହରୁଙ୍କ ନାମ ମଧ୍ୟ ଉଚ୍ଚାରଣ କରିଥିଲେ । ସେ କହିଥିଲେ ଯେ ଉଭୟ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀ ଭାରତର ଲୋକଙ୍କୁ ଅଳସୁଆ ବୋଲି ଭାବୁଥିଲେ । ସେହିପରି ନିଜ ଭାଷଣରେ ମୋଦୀ ବର୍ତ୍ତମାନ ଇଡି, ସିବିଆଇ ପକ୍ଷରୁ ନେତାମାନଙ୍କ ଉପରେ କରାଯାଉଥିବା ଚଢ଼ଉ ସମ୍ପର୍କରେ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ । ସେ କହିଲେ ଯେ ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକ ସେମାନଙ୍କର କାମ କରୁଛନ୍ତି । କୋର୍ଟ ସେମାନଙ୍କ କାମ ଦେଖୁଛନ୍ତି । ସେମାନେ ନିଜ ନିଜ ରାସ୍ତାରେ ଠିକ୍ କାମ କରୁଛନ୍ତି । ତେବେ ବିରୋଧୀ ଯେତେ ସମାଲୋଚନା କଲେ ମଧ୍ୟ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିବ ।

କଂଗ୍ରେସ ଏବଂ ରାହୁଲଙ୍କୁ ଟାର୍ଗେଟ୍ କରି ମୋଦୀ କହିଥିଲେ, ଗୋଟିଏ ପ୍ରଡକ୍ଟ ଲଞ୍ଚ୍ କରିବା ଚକ୍କରରେ ପୁରା ଦୋକାନରେ ତାଲା ପଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ କେବଳ ନିଜ ପରିବାର ନୀତିର ପରିଣାମ ଭୋଗୁଛି । କିନ୍ତୁ ନିଜ ଆଚରଣ ମାଧ୍ୟମରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ସାହସ ହରାଇଛି ବୋଲି ପ୍ରମାଣ ଦେଉଛି କଂଗ୍ରେସ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏନ୍‌ଡିଏ ମେଣ୍ଟ ୪୦୦ରୁ ଅଧିକ ଆସନର ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ଏହା କେବଳ ବିଜେପି କହୁନାହିଁ ବରଂ ବିରୋଧୀ ଦଳର ନେତାମାନେ ମଧ୍ୟ ବେଶ୍ ଭଲଭାବେ ଅନୁଭବ କରୁଛନ୍ତି । କିଛି ଦିନ ତଳେ ମଧ୍ୟ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏନ୍‌ଡିଏ ୪୦୦ ଆସନ ଜିତିବ ବୋଲି ସ୍ୱୀକାର କରି ସାରିଛନ୍ତି ।

ବିରୋଧୀଙ୍କ ପ୍ରତ୍ୟେକ ଘୃଣା ମନ୍ତବ୍ୟ ତାଙ୍କୁ ଏବଂ ତାଙ୍କ ସରକାରକୁ ଅଧିକ ସୁଦୃଢ଼ କରୁଛି ବୋଲି ମୋଦୀ କହିଛନ୍ତି । ସେମାନେ ମୋ ଉପରକୁ ପଥର ଫିଙ୍ଗିଲେ ମଧ୍ୟ ମୁଁ ସେହି ପଥରକୁ ନେଇ ବିକାଶମୂଳକ କାର୍ଯ୍ୟରେ ଲଗାଇବି । ମୋଦୀ ନିଜ ଭାଷଣ ଆଳରେ ସୋନିଆ ଏବେ ଲୋକସଭା ବଦଳରେ ରାଜ୍ୟସଭା ସାଂସଦ ହେବାକୁ ଯାଉଥିବା ପ୍ରସଙ୍ଗରେ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ପରୋକ୍ଷରେ ସମାଲୋଚନା କରିଥିଲେ । ମୋଦୀ କହିଥିଲେ, କିଛି ଲୋକ ଏବେ ଲୋକସଭା ବଦଳରେ ରାଜ୍ୟସଭା ସାଂସଦ ହେବାକୁ ମନସ୍ଥ କରୁଥିବା ସେ ଜାଣିବାକୁ ପାଇଛନ୍ତି । ସେହିପରି କଂଗ୍ରେସ ଏବେ ଯେଉଁଭଳି ପରିଶ୍ରମ କରୁଛି, ଆଗାମୀ ଲୋକସଭା ନିର୍ବାଚନରେ ଦେଶବାସୀ ଜନାଦେଶ ମାଧ୍ୟମରେ ସେଥିପାଇଁ ପୁରସ୍କୃତ କରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button