ଦେଶ

ଇଣ୍ଟରନେଟ୍‌ରେ ‘ଅଶ୍ଳୀଳତା’ ବିରୋଧରେ କେନ୍ଦ୍ରର କଡା କାର୍ଯ୍ୟାନୁଷ୍ଠାନ; ୧୮ ଓଟିଟି, ୧୯ ୱେବ୍‌ସାଇଟ୍‌, ୧୦ ଆପ୍ ବନ୍ଦ – Ibnodisha

[ad_1]

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ରେ ଏବେ ଅଶ୍ଳୀଳତା ମାତ୍ରା ବେଶ୍ ବଢ଼ିଯାଇଛି । ବିଶେଷକରି ମୋବାଇଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେଉଥିବା କମର୍ସିଆଲ୍ ଆପ୍ଲିକେସନ୍‌ଗୁଡ଼ିକରେ ପ୍ରସାରିତ ହେଉଥିବା ଧାରାବାହିକ, ଫିଲ୍ମ ଏବଂ ସର୍ଟ ଫିଲ୍ମ ଆଦିରେ ଅଶ୍ଳୀଳତା ମାତ୍ରା ଭରପୁର ରହୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ, ଇଣ୍ଟରନେଟ୍‌ରେ ଏପରି ମଧ୍ୟ କେତେକ ପ୍ଲାଟଫର୍ମ ଉପଲବ୍ଧ ରହିଛନ୍ତି, ଯାହାକି କେବଳ ଅଶ୍ଳୀଳତାପୂର୍ଣ୍ଣ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ହିଁ ଅଗ୍ରାଧିକାର ଦେଉଛନ୍ତି । ଅଧିକ ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ଏସବୁ ପ୍ଲାଟଫର୍ମଗୁଡ଼ିକ ଏପ୍ରକାର କାର୍ଯ୍ୟ ବେଶ୍ କିଛି ବର୍ଷ ଧରି ଚଳାଇଆସୁଛନ୍ତି । କିନ୍ତୁ ଏଣିକି ଏମାନଙ୍କ ଉପରେ ଅଙ୍କୁଶ ଲାଗିବା ନେଇ ଏକ ଆଶା ସଞ୍ଚାର ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ଏହି ଧରଣର କେତେକ ପ୍ଲାଟଫର୍ମଗୁୂଡ଼ିକ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ବାରମ୍ବାର ଏହି ଧରଣର ପ୍ଲାଟଫର୍ମଗୁଡ଼ିକୁ ଚେତାବନୀ ଦିଆଯାଇଥିଲା ଏବଂ ଅଶ୍ଳୀଳତା ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ କିଛି ପ୍ଲାଟଫର୍ମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅଣଦେଖା କରିଆସୁଥିଲେ । ତେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କେନ୍ଦ୍ର ସରକାର ଗୁରୁବାର ଦିନ ପ୍ରାୟ ୧୮ଟି ଓଟିଟି ପ୍ଲାଟଫର୍ମ ସହ ୧୯ଟି ୱେବସାଇଟ୍‌, ୧୦ଟି ମୋବାଇଲ୍ ଆପ୍ଲିକେସନ (୭ଟି ଗୁଗୁଲ ପ୍ଲେ ଷ୍ଟୋରରୁ, ୩ଟି ଆପଲ୍ ଆପ୍ ଷ୍ଟୋରରୁ) ଏବଂ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦେଇଛନ୍ତି । ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଦର୍ଶିତ କରୁଥିବା ଅଭିଯୋଗ ଆଧାରରେ ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କୀତ ଜାରି ବିବୃତ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଅଶ୍ଳୀଳତା ବିରୋଧୀ କାର୍ଯ୍ୟାନୁୂଷ୍ଠାନ ଗ୍ରହଣ ପୂର୍ବକ ଡ୍ରିମ୍ସ ଫିଲ୍ମସ୍‌, ଭୋଭି, ୟେସମା, ଅନକଟ୍ ଅଡ୍ଡା, ଟ୍ରାଇ ଫ୍ଲିକ୍ସ, ଏକ୍ସ ପ୍ରାଇମ୍‌, ନିଅନ୍ ଏକ୍ସ ଭିଭିଆଇପି, ବେସରମ୍‌, ହଣ୍ଟରସ, ରାବିଟ୍‌, ଏକ୍ସଟ୍ରାମୁଡ୍‌, ନୁଏଫ୍ଲିକ୍ସ, ମୁଡ୍‌ଏକ୍ସ, ମୋଜ୍‌ଫ୍ଲିକ୍ସ, ହଟ୍‌ସଟ୍‌ସ ଭିଆଇପି, ଫୁଗି, ଚିକୋଫ୍ଲିକ୍ସ ଏବଂ ପ୍ରାଥମ୍ ପ୍ଲେ ଭଳି ୧୮ଟି ଓଟିଟି ପ୍ଲାଟ୍‌ଫର୍ମଗୁଡିକୁ ଭାରତରେ ନିଷିଦ୍ଧ କରାଯାଉଛି । ଏତଦ୍‌ବ୍ୟତୀତ ଯୌନକାର୍ଯ୍ୟକୁ ଚିତ୍ରଣ କରୁଥିବା ତଥା ଅନୁପଯୁକ୍ତ ପ୍ରସଙ୍ଗରେ ନଗ୍ନତାକୁ ପ୍ରୋତ୍ସାହିତ କରୁଥିବା ପ୍ରାୟ ୧୯ଟି ୱେବସାଇଟ୍‌ଗୁଡ଼ିକୁ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଛି । ଏଥିସହ ଓଟିଟି ପ୍ଲାଟଫର୍ମର ପ୍ରାୟ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ଗଠନମୂଳକ ଅଭିବ୍ୟକ୍ତି’ ନାମରେ ଅଶ୍ଳୀଳତା ଏବଂ ଅପବ୍ୟବହାରର ପ୍ରଚାର ନକରିବା ପାଇଁ ସମସ୍ତ ପ୍ଲାଟଫର୍ମର କର୍ତ୍ତୃପକ୍ଷମାନେ ନିଜ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବା ଉଚିତ୍ ବୋଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button