IBN ଓଡ଼ିଶା ବ୍ୟୁରୋ

ମୂଳପୋଛ ହୋଇପାରିବ ମାରାତ୍ମକ ଯକ୍ଷ୍ମା; କ’ଣ ସେହି ଔଷଧ?

ଟ୍ୟୁବରକୁଲୋସିସ୍ (ଯକ୍ଷ୍ମା) ନିରାକରଣର ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ ନ୍ୟୁକ୍ଲିୟର ରିସେପ୍ଟର ବା କୋ-ରିପ୍ରେସର ୱାନ୍ (NCoR1) ହିଁ ଟିବିର ରାମବାଣ। ଶରୀରରେ ଏହି ପ୍ରୋଟିନର ମାତ୍ରା ଅଧିକ ରହିଲେ, ତାହା ଯକ୍ଷ୍ମା ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ମୂଳପୋଛ କରିଦିଏ। ଭୁବନେଶ୍ୱର ଜୀବବିଜ୍ଞାନ ପ୍ରତିଷ୍ଠାନ(ILS) NCoR1 ନାମକ ଏହି ପ୍ରୋଟିନ୍‌ର ଆବିଷ୍କାର କରିଛି। ILS ବୈଜ୍ଞାନିକଙ୍କ ଏହି ଆବିଷ୍କାର ସମ୍ପର୍କିତ ସନ୍ଦର୍ଭ ନିକଟରେ ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ୍ଣ ବିଜ୍ଞାନ ପତ୍ରିକା PLOS Biology ରେ ପ୍ରକାଶିତ ହୋଇଛି।

ଗବେଷଣାରୁ ସ୍ପଷ୍ଟ ହୋଇଛି, ଶରୀରରେ NCoR1 ପ୍ରୋଟିନ ମାତ୍ରା କମିଲେ, ଯକ୍ଷ୍ମା ସଂକ୍ରମଣ ବଢେ। ତେବେ ଏହି ପ୍ରୋଟିନ ମାତ୍ରା ଅଧିକ ରହିଲେ, ଯକ୍ଷ୍ମା ସଂକ୍ରମଣ କମିଯାଏ। ମୂଷା ଶରୀରରେ ପରୀକ୍ଷା କରି ବୈଜ୍ଞାନିକ ଏହାର ପ୍ରମାଣ ପାଇଛନ୍ତି। କେବଳ ଯକ୍ଷ୍ମା ନୁହେଁ, ରିମାଟଏଡ୍ ଆଥ୍ରାଇଟିସ୍‌ ଭଳି ଅଟୋଇମ୍ୟୁନ୍‌ ଡିଜିଜକୁ ମଧ୍ୟ ସଂପୂର୍ଣ୍ଣ ନାଶ କରିବାରେ ଏହି ପ୍ରୋଟିନ ସମର୍ଥ ହେବ ବୋଲି ଆଇଏଲ୍‌ଏସ୍‌ ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୁନୀଲ କୁମାର ରାଘବ କହିଛନ୍ତି।

୨୦୨୫ ମସିହା ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏଭଳି ସମୟରେ ILS ଭୁବନେଶ୍ୱରର ଏହି ନୂଆ ଆବିଷ୍କାର ସରକାରଙ୍କ ଯକ୍ଷ୍ମା ଦୂରୀକରଣ ଟାର୍ଗେଟକୁ ବଳ ଯୋଗାଇବ। ILS ବୈଜ୍ଞାନିକ କହିଛନ୍ତି, କେତେକ ଆମିନୋ ଏସିଡ୍ ଦ୍ୱାରା ଶରୀରରେ ଏହି ହୋଷ୍ଟ ପ୍ରୋଟିନ ମାତ୍ରା ବଢ଼ୁଥିବା ଏବେ ଗବେଷଣାରୁ ଜଣାପଡ଼ିଛି। ଯକ୍ଷ୍ମା ଔଷଧ ସହ ରୋଗୀଙ୍କୁ ଏହି ଆମିନୋ ଏସିଡ୍‌କୁ ସପ୍ଲିମେଣ୍ଟ ଭାବେ ଦିଆଯାଇ ଶୀଘ୍ର ଟିବି ଦୂର କରାଯାଇପାରିବ। ଏମିତିକି ପରିବାରର ଅନ୍ୟ ସଦସ୍ୟ ଏହି ଆମିନୋ ଏସିଡ୍ ବ୍ୟବହାର କରି ଯକ୍ଷ୍ମା ସଂକ୍ରମଣରୁ ରକ୍ଷା ପାଇପାରିବେ।

ଅନ୍ୟପକ୍ଷରେ କିଭଳି ଇନହିବିଟର ଜରିଆରେ ରୋଗୀ ଶରୀରରେ ଏ ପ୍ରୋଟିନ ମାତ୍ରା ବଢ଼ାଯାଇପାରିବ, ସେନେଇ ଗବେଷଣା ଚାଲୁ ରହିଛି ବୋଲି ଆଇଏଲ୍‌ଏସ୍‌ ପିଏଚ୍‌ଡି ରିସର୍ଚ୍ଚ ସ୍କଲାର ଡକ୍ଟର କୌଶିକ ସେନ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button