IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍ତନ କର୍କଟକୁ ମୂଳପୋଛ କରିବ ନିମ୍ବପତ୍ର

ସ୍ତନ କର୍କଟକୁ ମୂଳପୋଛ କରିବ ନିମ୍ବପତ୍ର। କ୍ୟାନସର ଷ୍ଟେମ୍‌ ସେଲକୁ ଚୁଟ୍‌କିରେ ମାରିଦେବ ନିମ୍ବପତ୍ର ଔଷଧ। ନିମ୍ବପତ୍ରରେ ଥିବା ନିମ୍ବୋଲାଇଡର ଏଭଳି ଆଶ୍ଚର୍ଯ୍ୟକାରୀ ଗୁଣ ଥିବା ନେଇ ILS ଭୁବନେଶ୍ୱରର ଦାବି କରିଛି। ନିକଟରେ ILS ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସଂଜୀବ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ନିମ୍ବପତ୍ରରେ ଥିବା ଫାଇଟୋକେମିକାଲ୍‌ ନିମ୍ବୋଲାଇଡ୍‌ ଉପରେ ଗବେଷଣା କରି ଏଭଳି ତଥ୍ୟ ହାସଲ କରିଛନ୍ତି।

ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ୍ ଏସିଡ୍ସରେ ଏନେଇ ତଥ୍ୟ ପ୍ରକାଶିତ ପାଇଛି। ଏମିତିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡ୍‌ ମୂଳ ପୋଛ କରିବାର କ୍ଷମତା ରଖୁଛି। ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ୍‌ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି।

ଡକ୍ଟର ସଂଜୀବଙ୍କ କହିବା ଅନୁଯାୟୀ, ନିମ୍ବୋଲାଇଡ୍‌ର ଆଣ୍ଟି କ୍ୟାନସର ଗୁଣ ପୂର୍ବରୁ ଜଣାଥିଲେ ମଧ୍ୟ ଏହା ରକ୍ତରେ ମିଶୁ ନଥିବାରୁ ବ୍ୟବହାର ଉପଯୋଗୀ ହୋଇ ପାରୁନଥିଲା। ତେବେ ILS ଭୁବନେଶ୍ୱର ପକ୍ଷରୁ ନାନୋଟେକ୍ନୋଲଜି ବ୍ୟବହାରରୁ ଏଥିରୁ ସଫଳତା ମିଳିଛି ବୋଲି ଡକ୍ଟର ସାହୁ କହିଛନ୍ତି।

ଏବେ କ୍ୟାନସରର ଚିକିତ୍ସା ଲାଗି କେମୋଥେରାପି ବ୍ୟବସ୍ଥା ରହିଛି। କେମୋଥେରାପି କ୍ୟାନସର ସେଲ ସହ ଶରୀରର ସାଧାରଣ ସେଲକୁ ମଧ୍ୟ ନଷ୍ଟ କରିଥାଏ। କିନ୍ତୁ ILS ଭୁବନେଶ୍ୱର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି, ନିମ୍ବପତ୍ରରେ ଥିବା ନିମ୍ବୋଲାଇଡ୍‌ କେବଳ କ୍ୟାନସର ସେଲକୁ ହିଁ ନଷ୍ଟ କରୁଛି। ଏମିତିକି ନିମ୍ବୋଲାଇଡ୍ ସ୍ତନ କର୍କଟ ସହ ଶରୀରର ଅନ୍ୟ ଅଂଶରେ ଦେଖାଦେଉଥିବା କ୍ୟାନସର ସେଲକୁ ଭଲ କରିପାରୁଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି। ଏବେ ILS ଭୁବନେଶ୍ୱର ସ୍ତନ କ୍ୟାନସର ଚିକିତ୍ସା ଲାଗି କେମୋଥେରାପି ସହ ନିମ୍ବୋଲାଇଡ ବ୍ୟବହାର ଉପରେ କାମ କରୁଛି। ଏହା ସଫଳ ହେଲେ ଆଗାମୀ ଦିନରେ ନିମ୍ବ ପତ୍ରରୁ ତିଆରି ହେବ ସ୍ତନ କର୍କଟର ରାମବାଣ।

Related Articles

Leave a Reply

Your email address will not be published. Required fields are marked *

Back to top button