IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଉଣୀର କାନ୍ଦ ଦେଖିପାରିଲେନି ମହାପ୍ରଭୁ

ମହାପ୍ରଭୂ ଶ୍ରୀଜଗନ୍ନାଥ ଯେତିକି ରହସ୍ୟମୟ, ତାଙ୍କ ଲୀଳା ମଧ୍ୟ ସେତିକି ରହସ୍ୟମୟ। ତାଙ୍କୁ ନେଇ ରହିଛି କେତେ କାହାଣୀ, କେତେ କିମ୍ବଦନ୍ତୀ। ଭାବର ଠାକୁର ସେ, ଭକ୍ତର ଭାବରେ ବନ୍ଧା । ଶ୍ରୀ କ୍ଷେତ୍ର ପୁରୀ ଯିବା ବେଳେ ବାଟରେ ଏକ ଗ୍ରାମ ପଡେ ଯାହାର ନାଁ “ମାଳତୀ ପାଟପୁର” । ପୂର୍ବରୁ ସେ ଗାଁର ନାଁ ଥିଲା ପାଟପୁର , ସମୟ କ୍ରମେ ଏହାର ନାମ ପରିବର୍ତ୍ତନ କରାଗଲା ମାଳତୀ ପାଟପୁର । ଏହାର ନାମ ପରିବର୍ତ୍ତନ ହେବା ପଛରେ ଏକ ସୁନ୍ଦର କୋହଭରା କାହାଣୀ ଅଛି ।

ପାଟପୁର ଗ୍ରାମର ଏକ ଗରିବ ପରିବାର । ଯେଉଁ ପରିବାରରେ ଥିଲେ ସ୍ଵାମୀ ,ସ୍ତ୍ରୀ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଛୋଟ ଝିଅ ନାଁ ତାର ମାଳତୀ । ପର ବିଲରେ ମୂଲ ଲାଗି ପୁରୁଷ ଲୋକଟି ଯେତିକି କମାଏ ଚାରି ପ୍ରାଣୀ କୁଟୁମ୍ବ ବିନା କୌଣସି ଅଭିଯୋଗରେ ଖୁସିରେ ଖୁସିରେ ଚଳି ଯାଉଥିଲେ । ବିଧାତା ର ନିଷ୍ଠୁରତା ଆଗରେ କେତେ ରଥୀ ମହାରଥୀ ମାନେ ମଧ୍ୟ ହାର୍ ମାନନ୍ତି ମଣିଷ ତ ଛାର ।ହଠାତ୍ ଦିନେ ସନ୍ଧ୍ୟାରେ ବିଲରୁ କାମ ସାରି ଫେରିବା ବେଳକୁ ଏକ ନାଗ ସାପ ଦଂଶନରେ ସ୍ଵାମୀର ମୃତ୍ୟୁ ହୋଇଗଲା , ଭାଙ୍ଗି ପଡ଼ିଲା ବିଚରା ସ୍ତ୍ରୀ ଜଣକ । ପୁଅକୁ ସେତେବେଳେ ୫ ବର୍ଷ ଆଉ ଝିଅ ମାଳତୀ କୁ ୩ବର୍ଷ ।

କର୍ପୂର ସିନା ଉଡିଗଲା ହେଲେ କନା ଖଣ୍ଡକ ତ ଅଛି । କୁନି ପୁଅର ଖନେଇ ଖନେଇ କଥା ଓ କୁନି ଝିଅ ମାଳତୀର ଗୁରୁଣ୍ଡି ଚାଲିରେ ସ୍ଵାମୀକୁ ହରେଇବାର ଦୁଃଖକୁ ଆସ୍ତେ ଆସ୍ତେ ମନରୁ ପାସୋରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ ଜଣକ । ବିଧିର ବିଧାନ କେ କରିବ ଆନ ? ବୋଝ ଉପରେ ନଳିତା ବିଡା ପରି ସ୍ଵାମୀ ର ମୃତ୍ୟୁ କୁ ମନରୁ ନ ଭୁଲୁଣୁ ସେମିତି ସର୍ପାଘାତ ରେ ପୁଅର ମୃତ୍ୟୁ ହେଲା । ଶରୀରରେ ମେରୁଦଣ୍ଡ ଭାଙ୍ଗିବା ପରେ ଶରୀରର ଅବସ୍ଥା ଯେମିତି ହୁଏ ସେମିତି ସ୍ତ୍ରୀ ଲୋକଟିର ମାନସିକ ଅବସ୍ଥା ହୋଇ ପଡ଼ିଲା ।

ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲା । ସ୍ତ୍ରୀ ଲୋକ ଜଣକ କାହା ଘରେ ବାସନ ମାଜି, କାହା ଘରେ ଝାଡୁ କରି ଯାହା କିଛି ରୋଜଗାର କରେ ସେଥିରେ ଓଳିଏ ଖାଇ ଓଳିଏ ଓପାସ ରହି ଚଳି ଯାଆନ୍ତି ଉଭୟ ମା ଓ ୫ ବର୍ଷର ଝିଅ ମାଳତୀ । ଖୁବ୍ ଜାକଜମକରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମଧ୍ୟ ବାଦ୍ ପଡେ ନାହିଁ । ରାକ୍ଷୀ ପୂର୍ଣ୍ଣିମାର ଦୁଇ ଦିନ ଆଗରୁ ମାଳତୀର ସାଙ୍ଗମାନେ ରାକ୍ଷୀ କିଣୁଥିଲେ ।

ଛୋଟ ପିଲା ମାଳତୀ ଏହା ଦେଖି ମା ପାଖରେ ଯାଇ ଅଳି କରିଲା ” ଏ ମା , ମା ଲୋ ମୋତେ ବି ପଇସା ଦେ । ମୁଁ ବି ରାକ୍ଷୀ କିଣିବି ” ।ମା ମାଳତୀ ମୁଣ୍ଡକୁ ଆଉଁସି କାହା ଘରୁ କାମ କରି ଆଣି କାନିରେ ବାନ୍ଧି ରଖିଥିବା ଦଶ ପଇସି ଟେ ଧରେଇ ଦେଲା ମାଳତୀ ହାତକୁ । ପର ଦିନ ସକାଳୁ ମାଳତୀ ଦୋକାନ ଯାଇ ରାକ୍ଷୀ ଟିଏ କିଣିଲା , ସାଙ୍ଗ ମାନଙ୍କ ଠାରୁ ବୁଝିଲା ଯେ ଏଇଟା ଭାଇ ମାନଙ୍କ ହାତରେ ବନ୍ଧା ଯାଏ । ସନ୍ଧ୍ୟାରେ ଖେଳା ଖେଳି ସାରି ଘରକୁ ଫେରିଲା ମାଳତୀ , ଦିନ ସାରା କାମରେ କ୍ଳାନ୍ତ ହୋଇ ଚିରା ସପ ଟିଏ ବିଛେଇ ତଳେ ଶୋଇଥାଏ ମା ।

ମା ପାଖରେ ବସି ମାଳତୀ ପଚାରିଲା “ମା ମୋ ଭାଇ କାହିଁ ? ମୋ ସବୁ ସାଙ୍ଗ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ଦୁଇ ଦିନ ରାକ୍ଷୀ ପୂର୍ଣ୍ଣିମା , ମୋ ଭାଇ କେଉଁଠି ଅଛି କହ ମୁଁ ବି ରାକ୍ଷୀ ବାନ୍ଧିବି ମୋ ଭାଇ ହାତରେ” । କାନ୍ଦି ପକେଇଲା ମା ଜଣକ ।

ମାଳତୀ କୁ କୋଳେଇ ନେଇ କହିଲା ତୋ ଭାଇର ନାଁ ହେଉଛି ଜଗା ଭାଇ , ଆଉ ସେ ପୁରୀ ଶ୍ରୀମନ୍ଦିରରେ ରହେ । ତୁ ତା ହାତରେ ରାକ୍ଷୀ ବାନ୍ଧିବୁ । ଛୋଟ ପାଞ୍ଚ ବର୍ଷର କୁନି ଝିଅ ମାଳତୀ ,କଣ ବା ଜାଣେ ସଂସାର ବାବଦରେ , କଣ ବା ଜାଣେ ମୋହ,ମାୟା । ରାତି ୪ଟା ରୁ ଉଠି ହାତରେ ରାକ୍ଷୀ ଧରି ଚାଲିଲା ମାଳତୀ ଶ୍ରୀମନ୍ଦିର ଆଡ଼କୁ ତା ମା କହିଥିବା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ।

ବାଟ ସାରା ଲୋକଙ୍କୁ ରାସ୍ତା ପଚାରି ପଚାରି କୁନି କୁନି ଖାଲି ପାଦରେ ମାଳତୀ ଯାଇ ପହଞ୍ଚିଲା ଗାଁ ଠାରୁ ଦଶ କିଲୋମିଟର ଦୂର ଶ୍ରୀମନ୍ଦିରରେ । ମନ୍ଦିରର ସବୁ ପଣ୍ଡା ,ସେବାୟତ, ସୁଆର ଯାହାକୁ ଦେଖିଲା ପଚାରିଲା ମୋ ଜଗା ଭାଇକୁ କେହି ଦେଖିଛ କି ସିଏ ଏ ମନ୍ଦିର ରେ ରହେ । କିଏ ବା କାହିଁ ଜାଣିବ କିଏ ତା ଜଗା ଭାଇ , ସମସ୍ତଙ୍କର ସେହି ଗୋଟିଏ ଉତ୍ତର ନା ଆମେ ଜାଣିନାହୁଁ । ମନ୍ଦିରର ସବୁ ପୂଜାର୍ଚ୍ଚନା , ନୀତିକାନ୍ତି ସରିଲା , ପହଡ଼ ପଡ଼ିଲା ମାଳତୀ ସେମିତି ଖୋଜୁଥାଏ ଜଗା ଭାଇକୁ ।

୫ ବର୍ଷର ପିଲାଟିଏ ଦିନ ସାରା ଅଖିଆ ଅପିଆ , ସେଥିରେ ପୁଣି ଦୀର୍ଘ ଦଶ କିଲୋ ମିଟର ଖାଲି ପାଦରେ ଚାଲି ଚାଲି ପୁରୀ ଯାଇଛି। ପାଦ ସାରା ଫୋଟକାମୟ ହୋଇ ଯାଇଥାଏ । ଦିନ ସାରାର ଥକ୍କା ମେଣ୍ଟାଇବା ପାଇଁ ପହଡ଼ ପଡିବା ପରେ ଭାଇକୁ ନପାଇ କାନ୍ଦି କାନ୍ଦି ଶୋଇ ପଡ଼ିଲା ମାଳତୀ ସିଂହ ଦ୍ଵାରର ଏକ କୋଣରେ । ମଧ୍ୟ ରାତ୍ରିର କେଉଁ ଏକ ପ୍ରହରରେ ସାରା ସହର ନିସ୍ତବ୍ଧ , କେହି ଜଣେ ଆସି ମାଳତୀ ମୁଣ୍ଡରେ ହାତ ବୁଲେଇ ଡାକିଲା ” ମାଳତୀ ଏ ମାଳତୀ ଉଠ ଏବେ ! ମୁଁ ପରା ତୋ ଜଗା ଭାଇ , ଆସେ ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା ତୋ ବୋଉ ତତେ ଦିନ ସାରା ଖୋଜୁଛି “।

ଦିନ ସାରାର କ୍ଳାନ୍ତି ସତେ ଯେମିତି କ୍ଷଣକରେ ଉଭେଇ ଗଲା ମାଳତୀ ଦେହରୁ । ଖୁସିରେ ରାକ୍ଷୀ ବାନ୍ଧି ବାହାରିଲା ଘରକୁ । ଯାଉ ଯାଉ ଅଟକି ଗଲା ପଛକୁ ଫେରି ଜଗା ଭାଇକୁ କହିଲା ଭାଇ ତୁ ବି ଚାଲ ମୋ ସାଙ୍ଗରେ ମୋତେ ଡ଼ର ଲାଗିବ ବାଟରେ ଏକା । ମାଳତୀ ମୁହଁକୁ ଚାହିଁ ଜଗା ଭାଇ କହିଲା ମୋର କାମ ଅଛି ମୁଁ ପରେ ଯିବି । ତୁ ଏକା ଯା ମୁଁ ତୋ ପଛେ ପଛେ ଯାଉଛି ଯେତେବେଳେ ଡ଼ର ଲାଗିବ ତୁ ଖାଲି ପଦେ କହିବୁ – ଜଗା ଭାଇ ତୁ କେଉଁଠି ?ମୋତେ ଡ଼ର ଲାଗୁଛି । ଆଉ ମୁଁ ଆସି ପହଞ୍ଚି ଯିବି ତୋ ପାଖରେ ।

ମାଳତୀ ଖୁସିରେ ଖୁସିରେ ଚାଲିଲା ଆଉ ଘରେ ଆସି ପହଞ୍ଚିଲା । ମା ମାଳତୀ କୁ ପଚାରି ବୁଝିଲା ଯେ ସେ ମନ୍ଦିର ଯାଇଥିଲା ଆଉ ତା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧି ଆସିଲା । ମା ବୁଝି ପାରିଲା ନାହିଁ ଝିଅର କଥା ଭାବିଲା ଛୋଟ ପିଲାଟା ଯାହା ମନକୁ ଆସୁଛି କହୁଛି । ଦିନ ସାରା ମାଳତୀ କୁ ଖୋଜି ଖୋଜି ନୟାନ୍ତ ହୋଇ ଯାଇଥିବା ମାଳତୀ ର ମା ମାଳତୀ କୁ ପାଖରେ ପାଇ ଖୁସିରେ ଅନ୍ୟ କୌଣସି କଥା ମନକୁ ପୂରେଇଲା ନାହିଁ ।

ପରଦିନ ଭୋରୁ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ବିଶ୍ଵକର୍ତ୍ତା , ମହାବାହୁ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପହଡ଼ ଫିଟାଗଲା , ସମସ୍ତେ ଆଚମ୍ଵିତ , ସମସ୍ତେ ଆଶ୍ଚର୍ଯ୍ୟ ! ରାକ୍ଷୀ ପୂର୍ଣ୍ଣିମା ନ ହେଉଣୁ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲା କିଏ ? ଖବର ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ । ସଙ୍ଗେ ସଙ୍ଗେ ଆସି ମନ୍ଦିର ରେ ପହଞ୍ଚିଲେ ମହାରାଜ ।ସବୁ ସେବାୟତ ମାନଙ୍କୁ ପଚରା ଗଲା ପହଡ଼ ପଡ଼ିବା ପରେ କିଏ ଆସିଥିଲା କାଲି ମନ୍ଦିରକୁ  ?

ସମସ୍ତଙ୍କର ଗୋଟିଏ ଉତ୍ତର ଆମେ ଜାଣିନାହୁଁ ।ଅଧିଆ ପଡ଼ିଲେ ମହାରାଜ ଛାମୁଙ୍କ ପାଖରେ । ସ୍ଵପ୍ନାଦେଶରେ ମହାପ୍ରଭୁ ଜଣେଇଲେ ” ପାଟପୁର ଗ୍ରାମର ମାଳତୀ ମୋ ଭଉଣୀ । ସେ ଆସିଥିଲା କାଲି ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ । ହେଲେ ତମେ ମାନେ କେହି ବି ତାର ଦେଖା କରେଇଲ ନାହିଁ ମୋ ସହ । ରାତିରେ ସେ ସିଂହ ଦ୍ଵାର ପାଖରେ ଶୋଇଥିଲା , ମୁଁ ବାଧ୍ୟ ହୋଇ ନିଜେ ଯାଇ ପିନ୍ଧିଲି ତା ହାତରୁ ରାକ୍ଷୀ ” ।

ରାଜା ବଡ଼ପଣ୍ଡାଙ୍କ ଠାରୁ ପଚାରି ବୁଝି ଜାଣିବାକୁ ପାଇଲେ ଯେ କାଲି ଜଣେ ୫ ବର୍ଷର ଝିଅ ଆସିଥିଲା , ଖୋଜୁଥିଲା ତା ଜଗା ଭାଇକୁ । ସମସ୍ତ ପଣ୍ଡା ପଢିଆରୀଙ୍କୁ ଧରି ରାଜା ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀ ଘରେ । ମାଳତୀର ମା ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ, ଆଉ କୁନି ଝିଅ ମାଳତୀ ରାଜାଙ୍କୁ ଦେଖି ଭୟଭୀତ ହୋଇ ମା କୁ ଜାବୁଡି ଧରିଲା । ଗତକାଲି ମାଳତୀ ମନ୍ଦିର ଯାଇଥିଲା ବୋଲି ମା ଜାଣିଥିଲେ ।ମାଳତୀ ର ମା ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଦ ଧରି ଭୁଲ ମାଗି କହିଲା ” ଛାମୁ ମୋ ଝିଅ କାଲି ମୋତେ ନଜଣେଇ ମନ୍ଦିର ଯାଇଥିଲା ।

ଛୋଟ ପିଲାଟା ସେ ଯାହା ବି ଭୂଲ କରିଛି କ୍ଷମା କରନ୍ତୁ ପ୍ରଭୁ । ଯାହା ଦଣ୍ଡ ଦେବା କଥା ମୋତେ ଦିଅନ୍ତୁ ହେଲେ ମାଳତୀ କୁ କ୍ଷମା କରନ୍ତୁ ମହାରାଜ ”। ମହାରାଜାଙ୍କ ସହିତ ସମସ୍ତ ପଣ୍ଡା ପଢିଆରୀ ଦୌଡି ଆସିଲେ ମାଳତୀ ପାଖକୁ ,ପଡିଗଲେ ମାଳତୀ ର ପାଦ ତଳେ । ” ମା ଲୋ ଆମକୁ କ୍ଷମା କରିଦେ ଆମେ ତୋତେ ଚିହ୍ନି ପାରିଲୁ ନାହିଁ । ସ୍ଵୟଂ ନାରାୟଣ ତୋ ପାଇଁ ରତ୍ନ ସିଂହାସନ ଛାଡ଼ି ପଳେଇ ଆସିଲେ ବାହାରକୁ ହେଲେ ଆମେ ଅଧମ ତୋତେ ମନ୍ଦିର ଭିତରକୁ ଛାଡିଲୁ ନାହିଁ । ମା ଲୋ ତୁ ଆମ କୋଟି ଓଡ଼ିଆ ଙ୍କ ମଉଡ଼ ମଣୀର ଭଉଣୀ ଆମେ ତୋ ଦାସାନୁଦାସ ର ଦାସ ଆମକୁ କଣ କ୍ଷମା ଦେବୁନାହିଁ” ।ମାଳତୀ ଠାରୁ କ୍ଷମା ପ୍ରାର୍ଥନା ମାଗି ସମସ୍ତେ ଫେରିଗଲେ ଶ୍ରୀମନ୍ଦିର କୁ ଆଉ ସେଦିନ ଠାରୁ ମହାରାଜା ପାଟପୁର ର ନାମ ପରିବର୍ତ୍ତନ କରି ମାଳତୀ ପାଟପୁର ରଖିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button