ଆନନ୍ଦପୁର: ବିଜେଡିକୁ ଟକ୍କର ଦେବାକୁ ବିରୋଧୀଙ୍କ ସଜବାଜ – Ibnodisha

[ad_1]

ଶତ୍ରୁଘନ ସାହୁ
ଆନନ୍ଦପୁର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କେନ୍ଦୁଝର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ପରିଲକ୍ଷିତ ହୋଇଛି। ୨୦୦୯ ପରଠାରୁ ଏହି ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି। ଗତ ତିନିଟି ନିର୍ବାଚନରେ କଂଗ୍ରେସର ଜୟଦେବ ଜେନା ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ଏଠାରେ ତୃତୀୟ ସ୍ଥାନରେ ରହିଆସୁଛି। ସବୁଥର ପରି ଏଥର ମଧ୍ୟ ବିଜେଡି ଟିକେଟ୍ ପାଇଁ ମାଳମାଳ ଆଶାୟୀ ଥିବା ବେଳେ ଶାସକ ଦଳକୁ ଟକ୍କର ଦେବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ସଜବାଜ ହେଉଛନ୍ତି। ଆନନ୍ଦପୁର ବ୍ଲକ୍ର ୧୫ଟି ପଞ୍ଚାୟତ, ହାଟଡିହି ବ୍ଲକ୍ର ୩୧ଟି ପଞ୍ଚାୟତ ଓ ଆନନ୍ଦପୁର ପୌରାଞ୍ଚଳର ୧୬ଟି ୱାର୍ଡକୁ ନେଇ ଆନନ୍ଦପୁର ନିର୍ବାଚନମଣ୍ଡଳୀ ଗଠିତ। ୨୦୦୯ରେ ବିଜେଡିର ଭାଗୀରଥି ସେଠୀ ୨୩ ହଜାର ୮୦୫ ଭୋଟ୍ ବ୍ୟବଧାନରେ କଂଗ୍ରେସର ଜୟଦେବ ଜେନାଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୪ରେ ଦଳ ଭାଗୀରଥିଙ୍କୁ ଟିକେଟ୍ ଦେଇ ନଥିଲା। ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ମାୟାଧର ଜେନାଙ୍କୁ ଟିକେଟ୍ ମିଳିଥିଲା। ସେ ମଧ୍ୟ କଂଗ୍ରେସର ଜୟଦେବ ଜେନାଙ୍କୁ ୨୨ ହଜାର ୨୨୪ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ଭାଗୀରଥି ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ କିନ୍ତୁ ଭାଗୀରଥିଙ୍କୁ ବିଜେପି ଟିକେଟ୍ ମିଳି ସାରିଥିଲା। ତେବେ ଏକ ନାଟକୀୟ ମୋଡ଼ରେ ବିଜେଡି ଭାଗୀରଥିଙ୍କୁ ବିଜେପିରୁ ଆଣି ଦଳୀୟ ଟିକେଟ୍ ଦେଇଥିଲା। ଭାଗୀରଥି ୪୪ ହଜାର ୧୯୩ ଭୋଟ୍ ବ୍ୟବଧାନରେ କଂଗ୍ରେସର ଜୟଦେବ ଜେନାଙ୍କୁ ପରାସ୍ତ କରିଥିଲେ।
ବର୍ତ୍ତମାନ ମଧ୍ୟ ଭାଗୀରଥିଙ୍କ ସ୍ଥିତି ସୁଦୃଢ଼ ଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ହେଲେ ବିଜେଡି ଟିକେଟ୍ ପାଇଁ ମାଳମାଳ ଆଶାୟୀ ଅଛନ୍ତି। ଯୁବ ବିଜେଡି ନେତା ବିଶ୍ବନାଥ ପ୍ରତାପ ଜେନା ନିଜର ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ସଂଗଠନ ଜରିଆରେ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ୨୦୨୪ରେ ସେ ବିଜେଡିରୁ ବିଧାୟକ ଟିକେଟ୍ ପାଇବା ପାଇଁ ଆଶା ରଖିଛନ୍ତି। ସେହିପରି ଯୁବନେତା ବିମଳ କିଶୋର ଜେନା, ପୂର୍ବତନ ବିଧାୟକ ମାୟାଧର ଜେନା, ୨୦୦୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ପୌରାଧ୍ୟକ୍ଷା ଆରତୀ ସିଂହ, ହାଟଡିହି ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସାଂସଦ ପ୍ରତିନିଧି ତଥା ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥକ ଭାବେ ଜଣାଶୁଣା ନନ୍ଦୁଚରଣ ଜେନା, ପୂର୍ବତନ ବିଧାୟକ ସ୍ବର୍ଗତ ଦାଶରଥି ଜେନାଙ୍କ ପୁଅ ପାର୍ଥସାରଥି ଜେନା, ଆନନ୍ଦପୁରର ପୂର୍ବତନ କାଉନସିଲର ସଂଜୟ ଦଳେଇ, ନାରାୟଣ ଜେନା, ବଳରାମ ମଲିକ, ସନ୍ତୋଷ କୁମାର ଜେନା ଆଶାୟୀ ତାଲିକାରେ ରହିଛନ୍ତି।
ଅନ୍ୟପକ୍ଷରେ ପାରିବାରିକ ସମସ୍ୟା ଯୋଗୁଁ ବହୁଦିନ ନିରବ ଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପୁଣି ମଇଦାନକୁ ଓହ୍ଲାଇଥିବାରୁ କଂଗ୍ରେସ ଶିବିର ଉତ୍ସାହିତ ହୋଇପଡ଼ିଛି। ବିଶେଷକରି ତାଙ୍କ ପୁଅ ମନୋଜ ଜେନା ଦଳୀୟ ସଂଗଠନର ମଙ୍ଗ ଧରିଥିବା ବେଳେ ତାଙ୍କ ନେତୃତ୍ବରେ ଯୁବଗୋଷ୍ଠୀ ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ କଡ଼ା ଟକ୍କର ଦେବାକୁ ସଜବାଜ ହେଉଛନ୍ତି। ସେହିପରି ବିଜେପିର ମଙ୍ଗ ଧରିଛନ୍ତି ପୂର୍ବରୁ ଦୁଇଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ଆଲୋକ ସେଠୀ। ସେ ମଧ୍ୟ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଜେପି ଟିକେଟ୍ ପାଇଁ ମଧ୍ୟ ଅନେକ ନୂଆ ଆଶାୟୀ ଲବିରେ ରହିଛନ୍ତି।
[ad_2]