IBN ଓଡ଼ିଶା ବ୍ୟୁରୋ

ହେନ୍ତାଳ ବଣ ସଫା ୫୦ ଗାଁକୁ ମାଡ଼ି ଆସୁଛି ବିପଦ

ସ୍ତା-୨/ବୋଳଂ: ସମୟ ବଦଳିଛି। ତା’ ସହ ବଦଳିଛି ସ୍ଥିତି। ଦିନେ ହେନ୍ତାଳ ଜଙ୍ଗଲ ଥିଲା ବୋଲି କୂଳ ସୁରକ୍ଷା ହେଉଥିଲା। ହେଲେ ଏବେ ଆଉ ଜଙ୍ଗଲ ନାହିଁ। ସମୁଦ୍ର ଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ିଚାଲିଛି। ଫଳରେ ଲୋକମାନଙ୍କୁ ଭିଟାମାଟି ହରାଇବା ଚିନ୍ତା ଘାରିଲାଣି। ବାଲେଶ୍ବର ଜିଲ୍ଲା ସଦର ବ୍ଲକ୍ ଅଧୀନ କଷାଫଳ, ସାର୍ଥା ଓ ବାହାବଳପୁର ମୁହାଣକୁ ତ୍ରିମୁଖୀ ମୁହାଣ କୁହାଯାଏ।

ସମୟ ଥିଲା, ସାମୁଦ୍ରିକ ଜୁଆର କୂଳଲଂଘି ସ୍ଥଳଭାଗକୁ ମାଡ଼ିଆସୁଥିଲା। ତେଣୁ ସମୁଦ୍ର ନିକଟ ଗାଁଗୁଡ଼ିକୁ ସୁରକ୍ଷା ଦେବାପାଇଁ ୨୦୦୫ ମସିହାରେ କଷାଫଳଠାରୁ ବାହାବଳପୁର ପର୍ଯ୍ୟନ୍ତ ପାଖାପାଖି ୩ କିଲୋମିଟର ସମୁଦ୍ର ଉପକୂଳ ଅଞ୍ଚଳରେ ହେନ୍ତାଳ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ହେଲେ ଜଙ୍ଗଲର ସୁରକ୍ଷା ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ୨୦୨୧ ମସିହା ୟାସ୍ ବାତ୍ୟାରେ ଜୁଆର ମାଡ଼ ଯୋଗୁଁ ହେନ୍ତାଳ ଜଙ୍ଗଲ ନଷ୍ଟ ହୋଇଗଲା। ଲୋକଙ୍କ ଦାବି ଫଳରେ ବନ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୁଣି ୬ ହେକ୍ଟର ହନ୍ତାଳ ଜଙ୍ଗଲ ସୃଷ୍ଟି କରାଗଲା। ବନ ବିଭାଗ ଗଛ ସିନା ଲଗାଇଦେଲା, ରକ୍ଷଣାବେକ୍ଷଣ କଥା ଭୁଲିଗଲା। ଯାହାଦ୍ବାରା ଗଛସବୁ ମରିଯାଇଛି। ଏବେ କାଁଭାଁ କେଉଁଠି ଗଛ ଦେଖିବାକୁ ମିଳୁଛି।

ଏପରି ସମୟରେ; ଗୋଟିଏ ପଟେ ସମୁଦ୍ର ଦିନକୁ ଦିନ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି, ଅନ୍ୟପଟେ ସ୍ଥାନୀୟ ସାର୍ଥା ଓ କଷାଫଳ ପଞ୍ଚାୟତର ପ୍ରାୟ ୫୦ଟି ଗାଁ ବିପଦ ମଧ୍ୟକୁ ଠେଲି ହୋଇଯାଉଛି। ତେଣୁ ଶୀଘ୍ର ବଢ଼ିପାରୁଥିବା ହେନ୍ତାଳ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି ଦିଗରେ ବନ ବିଭାଗ ପଦକ୍ଷେପ ନେବା ଉଚିତ ବୋଲି ତ୍ରିଲୋଚନ ରାଉତ, ସଞ୍ଜୀବ ମଣ୍ଡଳ, ନନ୍ଦକୁମାର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଏନେଇ ସାର୍ଥା ସରପଞ୍ଚ ଧନଞ୍ଜୟ ପାତ୍ରଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ପୂର୍ବରୁ ସମୁଦ୍ର ଯେଉଁଠି ଥିଲା, ଏବେ ସେଠାରେ ନାହିଁ। ଦିନକୁ ଦିନ କୂଳ ଖାଉଛି। ବେଶୀ ସମୟ ନାହିଁ, ଯେବେ ସମୁଦ୍ର ଜୁଆର ନିକଟସ୍ଥ ଗାଁଗୁଡ଼ିକରେ ପ୍ରବେଶ କରିବ। ସମୟ ଥାଉ ଥାଉ ପ୍ରତିକାରମୂଳକ ପଦକ୍ଷେପ ଜରୁରି। କେବଳ ହେନ୍ତାଳ ବଣ ସୃଷ୍ଟି କରିଦେଲେ ହେବନି, ସୁରକ୍ଷା ବନ୍ଧ ମଧ୍ୟ ନିର୍ମାଣ କରିବାକୁ ପଡ଼ିବ।

Related Articles

Leave a Reply

Your email address will not be published. Required fields are marked *

Back to top button