ରାଜ୍ୟ

ହାଇକୋର୍ଟରେ ଏଏସ୍‌ଓ ମାମଲା: ପୂର୍ବ ରାୟ ଉପରେ ‌ରୋକ୍ – Ibnodisha

[ad_1]

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ନିଯୁକ୍ତି ପରୀକ୍ଷା ବିବାଦକୁ ନେଇ ଦାୟର ମାମଲାରେ ପୂର୍ବରୁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ଉପରେ ହାଇକୋର୍ଟ ଆଜି ଅଙ୍କୁଶ ଜାରି କରିଛନ୍ତି। ଏଏସ୍‌ଓ ମେଧା ତାଲିକା ରଦ୍ଦ କରି ଦୁଇ ମାସ ଭିତରେ ସାନି ମେଧା ତାଲିକା ପ୍ରକାଶ ପାଇଁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୩ ମେ’ ୧୯ରେ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟର ପୁନର୍ବିଚାର ପାଇଁ ଦାୟର ରିଭ୍ୟୁ ଆବେଦନକୁ ଜଣିକଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଥିଲେ। ଜଣିକଆ ବିଚାରପତିଙ୍କ ରାୟ ବିରୋଧରେ ଦାୟର ରିଟ୍ ଅପିଲକୁ ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହ ଜଣିକିଆ ବିଚାରପତିଙ୍କ ୨୦୨୩ ମେ’ ୧୯ ଓ ଜୁଲାଇ ୩୧ର ରାୟକୁ ରିଟ୍ ଅପିଲର ଚୂଡାନ୍ତ ରାୟ ପ୍ରକାଶ ପର୍ଯନ୍ତ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ତ୍ବରିତ ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର୍‌ ୨୧କୁ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟ କବିତା ଜେନା ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହି ରିଟ୍ ଅପିଲ୍‌ ସହିତ ମେ’ ୧୯ର ରାୟକୁ ଚାଲେଞ୍ଜ କରି ସତ୍ୟବ୍ରତ ନାୟକ ଓ ଅନ୍ୟମାନଙ୍କ ତରଫରୁ ଦାୟର ରିଟ୍ ଅପିଲର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟ ବିରୋଧରେ ଦାୟର ରିଟ୍ ଅପିଲ୍‌ରେ ଦର୍ଶାଯାଇଛି ଯେ ପୂର୍ବର ମେଧା ତାଲିକାରେ ଆବେଦନକାରୀ ସ୍ଥାନ ପାଇଥିଲେ। ଆବେଦନକାରୀଙ୍କୁ ମୂଳ ରିଟ୍ ଆବେଦନରେ ପକ୍ଷଭୁକ୍ତ କରାଯାଇ ନଥିଲା। ଏଥିସହ ରିଟ୍ ଆବେଦନର ଶୁଣାଣି ସମୟରେ ସେମାନଙ୍କ ପକ୍ଷ ନ ଶୁଣି ମେଧା ତାଲିକା ରଦ୍ଦ କରି ସାନି ମେଧା ତାଲିକା ପ୍ରକାଶ ପାଇଁ ଓପିଏସ୍‌ସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେଧା ତାଲିକା ରଦ୍ଦ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶ ଦ୍ବାରା ଆବେଦନକାରୀଙ୍କ ସ୍ଥିତି ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ମେ’ ୧୯ର ରାୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଓପିଏସ୍‌ସି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ପ୍ରତିପକ୍ଷ ରଜତ କୁମାର ମିଶ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button