ୟୁପି: ଗଙ୍ଗା ବ୍ୟାରେଜ ଗେଟ୍ରେ ଫସିଥିବାର ମିଳିଲା ସ୍ୱାସ୍ଥ୍ୟ ଉପନିର୍ଦ୍ଦେଶକଙ୍କ ମୃତଦେହ, ୯ ଦିନ ଧରି ଚାଲିଥିଲା ଖୋଜା
ଉତ୍ତର ପ୍ରଦେଶରେ ଗଙ୍ଗାରେ ବୁଡ଼ିଥିବା ସ୍ୱାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର ଆଦିତ୍ୟବର୍ଦ୍ଧନ ସିଂଙ୍କ ମୃତଦେହ ମିଳିଛି । ବୁଡ଼ିବାର ୯ ଦିନ ପରେ ଗତ ରାତିରେ ତାଙ୍କ ମୃତଦେହ ଗଙ୍ଗା ବ୍ୟାରେଜ୍ ଗେଟ୍ରେ ଫସିଥିବାର ଦେଖିବାକୁ ମିଳିଥିଲା । ଉଦ୍ଧାରକାରୀ ଟିମ୍ ଗତ ୯ ଦିନ ଧରି ତାଙ୍କ ମୃତଦେହକୁ ଖୋଜୁଥିଲେ । ଉନ୍ନାଓର ବିଲ୍ହୋରରେ ନାନାମଉ ଘାଟରେ ଗାଧୋଉଥିବା ବେଳେ ଆଦିତ୍ୟବର୍ଦ୍ଧନ ଗଙ୍ଗାରେ ବୁଡ଼ିଯାଇଥିଲେ ।
ବୁଡ଼ିବା ସମୟରେ ସେଠାରେ ଥିବା ସ୍ଥାନୀୟ ବୁଡ଼ାଳିମାନେ ଉଦ୍ଧାର ପାଇଁ ୧୦ ହଜାର ଟଙ୍କା ମାଗିଥିଲେ । ତେବେ ଅନ୍ଲାଇନରେ ଟଙ୍କା ଟ୍ରାନ୍ସଫର ହେବା ବେଳକୁ ଆଦିତ୍ୟବର୍ଦ୍ଧନ ଗଙ୍ଗାରେ ବୁଡ଼ି ସାରିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ ମୃତଦେହ ମିଳି ନ ଥିଲା । କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଥିଲା । ଉଦ୍ଧାର ଟିମ୍ଙ୍କ ସହାୟତାରେ ଆଦିତ୍ୟବର୍ଦ୍ଧନଙ୍କ ଜଜ୍ ପତ୍ନୀ, ପିଲା ଏବଂ ପରିବାର ସଦସ୍ୟ ଅନେକ ଦିନ ଧରି ତାଙ୍କୁ ଖୋଜୁଥିଲେ ।
ଏହାପରେ ମଧ୍ୟ ମୃତଦେହ ନ ମିଳିବାରୁ ପରିବାର ଲୋକେ ହତାଶ ହୋଇପଡିଥିଲେ । ଶେଷରେ ରବିବାର ରାତିରେ ଆଦିତ୍ୟଙ୍କ ମୃତଦେହ ନାନାମଉ ଘାଟଠାରୁ ୪୦ କିଲୋମିଟର ଦୂର କାନପୁରର ଗଙ୍ଗା ବ୍ୟାରେଜ୍ ଗେଟ୍ ନମ୍ବର ୧ରେ ଫସିଥିବାର ମିଳିଥିଲା । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏ ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା । ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ବର୍ତ୍ତମାନ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।