IBN ଓଡ଼ିଶା ବ୍ୟୁରୋ

ସୁଡାନରେ ଯୁଦ୍ଧର ପ୍ରକୋପ, ଗୁଳିକାଣ୍ଡରେ ୨୧ ମୃତ ୬୭ ଆହତ

ସୁଡାନ, ୯।୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଡାନରେ ୧୬ ମାସରୁ ଅଧିକ ସମୟ ଧରି ଲାଗିରହିଛି ଯୁଦ୍ଧ । ଯେଉଁଥିରେ ଏ ପର୍ଯ୍ୟନ୍ତ ୨୦ ହଜାର ଲୋକ ପ୍ରାଣ ହରାଇଛନ୍ତି । ଦକ୍ଷିଣ-ପୂର୍ବ ସୁଡାନର ସେନାରର ଏକ ବଜାରରେ ରବିବାର ଗୁଳି ବର୍ଷଣ ହୋଇଥିଲା । ଏହି ଗୁଳିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ଏହି ଗୁଳି ବିନିମୟ ପାଇଁ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ)କୁ ଦାୟୀ କରାଯାଇଛି । ଏହି ଆକ୍ରମଣ ପାଇଁ ଏକ ଡାକ୍ତରୀ ସୂତ୍ର ପାରାମିଲିଟାରୀକୁ ଦାୟୀ କରି କହିଛି ଯେ, ଦକ୍ଷିଣ-ପୂର୍ବ ସୁଡାନର ସେନାର ସହରରେ ଏକ ଗୁଳି ବିନିମୟରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି ।

ମହମ୍ମଦ ହାମଦାନ ଡାଗଲୋଙ୍କ ନେତୃତ୍ୱରେ ଆରଏସଏଫ ଦେଶର ଶାସକ ଅବଦେଲ ଫତ୍ତାହ ଅଲ-ବୁରହାନଙ୍କ ଅଧୀନରେ ସୈନ୍ୟ ସହିତ ଲଢ଼ୁଛି । ସରକାର ଆରଏସଏଫକୁ ନିୟମିତ ଭାବେ ସାଧାରଣ ନାଗରିକ ଏବଂ ବେସାମରିକ ଅନୁଷ୍ଠାନକୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ସୁଡାନର ଆବି ଗ୍ରାମରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଠାରେ ବନ୍ଧୁକଧାରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୬୪ ଜଣ ଆହତ ହୋଇଥିଲେ । ଗତ ଅଗଷ୍ଟ ମାସରେ ସୁଡାନରେ ଅର୍ଦ୍ଧସୈନିକ ସମୂହର କିଛି ଯୁବକ ଏକ ଗାଁ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ମହିଳାଙ୍କ ସମେତ ଛୋଟପିଲାଙ୍କୁ ମିଶାଇ ପାଖାପାଖି ୮୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ସେମାନେ ଗାଁ ଲୋକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଘରେ ନିଆଁ ଲଗାଇଦେଇଥିଲେ । ଆରଏସଏଫର ଏହି ଆକ୍ରମଣରେ ଦେଢ଼ ଶହରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ସୁଦାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

କହିରଖୁକୁ କି, ୨୦୨୩ରେ ସୁଡାନରେ ଆରମ୍ଭ ହୋଇଥିବା ଯୁଦ୍ଧ ପାଇଁ ଆରଏସଏଫ ଉପରେ ବାରମ୍ୱାର ନରସଂହାର, ଦୁଷ୍କର୍ମ ଭଳି ଗମ୍ଭୀର ଆରୋପ ଲଗାଯାଉଛି । ସୁଡାନରେ ପରିସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ପ୍ରବାସୀ ସଙ୍ଗଠନ ଅନୁସାରେ, ଯୁଦ୍ଧ ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଡାନରେ ୧୦.୭ ମିଲିୟନରୁ ଅଧିକ ଲୋକ ନିଜ ଘର ଛାଡ଼ିସାରିଲେଣି । ଏଥିମଧ୍ୟରୁ ୨ ମିଲିୟନରୁ ଉର୍ଦ୍ଧ୍ୱ ଲୋକ ପଡ଼ୋଶୀ ଦେଶକୁ ଲୁଚି ପଳାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button