ବଢ଼ିଚାଲିଛି ପିସିଓଏସ୍: ୭୦ ପ୍ରତିଶତ ମହିଳା କରୁଛନ୍ତି ଅଣଦେଖା
ସେପ୍ଟେମ୍ବର ହେଉଛି ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ (ପିସିଓଏସ୍) ନାମକ ଗର୍ଭାଶୟ ଜନିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ମାସ। ବିଶ୍ବର କୋଟି କୋଟି ମହିଳା ଏହି ରୋଗରେ ଆକ୍ରାନ୍ତ ହେବା ସହ ଦିନକୁ ଦିନ ପୀଡ଼ିତାଙ୍କ ସଂଖ୍ୟା କଳ୍ପନାତୀତ ଭାବେ ବଢ଼ିଚାଲିଛି। ଏଣୁ ଏହି ରୋଗ ସଂପର୍କରେ ସଚେତନତା ସୃଷ୍ଟିର ଆବଶ୍ୟକତା ଦେଖାଦେଇଛି।
ଆମ ଦେଶରେ ୨୦ ପ୍ରତିଶତ ମହିଳା ପିସିଓଏସ୍ରେ ପୀଡ଼ିତ। ସାମାନ୍ୟ ତଳିପେଟ ପରୀକ୍ଷା କି ଅଲଟ୍ରାସାଉଣ୍ଡ୍ କି ରକ୍ତପରୀକ୍ଷା ଦ୍ବାରା ଏହି ରୋଗର ନିରୂପଣ କରାଯାଇପାରିବ, କିନ୍ତୁ ଏଥିରେ ପୀଡ଼ିତ ୭୦ ପ୍ରତିଶତ ମହିଳା ଏ ସମ୍ପର୍କରେ ସାଧାରଣ ପରୀକ୍ଷାନିରୀକ୍ଷା ମଧ୍ୟ କରାଇନଥା’ନ୍ତି।
ନିର୍ଦ୍ଦିଷ୍ଟ ହରମୋନ୍ କ୍ଷରଣରେ ବିଶୃଙ୍ଖଳା ଯୋଗୁଁ ଏଭଳି ରୋଗ ସୃଷ୍ଟି ହୋଇଥାଏ। ଏ ବାବଦରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏମ୍କ୍ୟୋର୍ ଫାର୍ମାସ୍ୟୁଟିକାଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ଟିଭି କାର୍ଯ୍ୟକ୍ରମ ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ’ର ଅନ୍ୟତମ ବିଚାରିକା ଡାକ୍ତର ନମିତା ଥାପର ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ସୋନମ୍ କପୁର ଓ ଶ୍ରୁତି ହାସନ୍ଙ୍କ ପରି ପିସିଓଏସ୍ ପୀଡ଼ିତା ଲୋକପ୍ରିୟ ଅଭିନେତ୍ରୀମାନେ ନିଜର କଷ୍ଟକର ଅନୁଭୂତିକୁ ଖୋଲାଖୋଲି ବଖାଣିବା ସହ ସେଥିପାଇଁ କିପରି ନାନା ଶାରୀରିକ ତଥା ମାନସିକ ଆହ୍ବାନର ମୁକାବିଲା କରିବାକୁ ପଡ଼ିଛି, ତାହା ପ୍ରକାଶ କରିଛନ୍ତି।
ଡାକ୍ତର ନମିତାଙ୍କ ପରାମର୍ଶ ଅନୁଯାୟୀ, ତଳିପେଟ ଯନ୍ତ୍ରଣା, ଋତୁସ୍ରାବରେ ଅନିୟମିତତା, ଓଜନ ବୃଦ୍ଧି, ବ୍ରଣ ଉଠିବା ଓ ମାତ୍ରାଧିକ ଲୋମସୃଷ୍ଟି ପରି ପିସିଓଏସ୍ର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରୀକ୍ଷା ଜରୁରି। ଏହାର ନିରୂପଣ ଓ ଆଗୁଆ ପ୍ରତିକାର ଫଳରେ ତାହାର ମୁକାବିଲା ସହଜ ହେବ। ଯଦିଓ ଏହି ରୋଗର ଉତ୍ପତ୍ତିର କାରଣ ସମ୍ପର୍କରେ ସେଭଳି ଠୋସ୍ ନିର୍ଯାସ ଏଯାଏ ସ୍ପଷ୍ଟ ହୋଇପାରିନାହିଁ, ତେବେ ଗୁଣସୂତ୍ରୀୟ ପ୍ରଭାବ, ଜୀବନଶୈଳୀ ଓ ପରିବେଶ ଉପରେ ନିର୍ଭର କରି ତାହା ମହିଳାଙ୍କୁ ଆକ୍ରାନ୍ତ କରିଥାଏ ବୋଲି ଅନୁମାନ କରାଯାଏ। ତେବେ ଆଗୁଆ ନିରୂପିତ ହୋଇପାରିଲେ ସେଥିଯୋଗୁଁ ସୃଷ୍ଟ ବନ୍ଧ୍ୟାତ୍ବ ଓ ମଧୁମେହ ପରି ଜଟିଳ ସମସ୍ୟାକୁ ଦୂର କରାଯାଇପାରିବା ସହ ପିସିଓଏସ୍ର ଲକ୍ଷଣଗୁଡ଼ିକର ମଧ୍ୟ ସୁପରିଚାଳନା କରିହେବ।