ବେଙ୍ଗାଲୁରୁରେ ଯୁବତୀଙ୍କୁ ୫୦ ଖଣ୍ଡ କରିବା ଘଟଣା, ଭଦ୍ରକରେ ଅଭିଯୁକ୍ତର ଆତ୍ମହତ୍ୟା!

ଭଦ୍ରକ: ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ସହ ୫୦ ଖଣ୍ଡ କରି କାଟି ଫ୍ରିଜ୍ ରଖିବା ଘଟଣା ସାରାଦେଶରେ ଚାଞ୍ଚଲ୍ୟ ଖେଳାଇଛି। ଏହି ଘଟଣାର ଓଡ଼ିଶାରେ ଲିଙ୍କ୍ ମିଳିବା ପରେ ବେଙ୍ଗାଲୁରୁ ପୁଲିସ ଓଡ଼ିଶା ଆସି ତନାଘନା କରିଛି। ଅପରପେକ୍ଷ ହତ୍ୟାକାଣ୍ଡରେ ପୁଲିସର ସନ୍ଦେହ ଘେରରେ ଥିବା ଅଭିଯୁକ୍ତ ବୁଧବାର ଆତ୍ମହତ୍ୟା କରିଛି।
ମୃତ ଯୁବକ ହେଲେ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ(୩୨)। ଆଜି ଭୋରୁ ସେ କୁଳେଇପଦା ଶ୍ମଶାନ ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶ୍ମଶାନ ନିକଟରେ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଜବତ କରି ତଦନ୍ତ କରୁଛି ଆରଡି ଫାଣ୍ଡି ପୁଲିସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଗିରଫଦାୟୀ ଭୟରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଯାହା ପୂରା ଘଟଣାକୁ ଆହୁରି ଜଟିଳ କରିଦେଇଛି।
ମିଳିଥିବା ତଥ୍ୟ ଅନୁଯାୟୀ, ମୁକ୍ତିରଞ୍ଜନ ବେଙ୍ଗାଲୁରୁରେ ଦୀର୍ଘ ବର୍ଷ ହେବା ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମଙ୍ଗଳବାର ରାତିରେ ସେ ଗାଁକୁ ଫେରି ଆସିଥିଲେ। ଘରେ କିଛି ସମୟ ରହିବା ପରେ ରାତି ପ୍ରାୟ ୪ଟାରେ ଭଦ୍ରକ ଯିବେ ବୋଲି କହି ଏକ ସ୍କୁଟିରେ ଘରୁ ବାହାରି ଆସିଥିଲେ। ସେଠାରୁ କୁଳେଇପଦା ଶ୍ମଶାନ ନିକଟକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦିଆଯାଇଥିଲା। ଆରଡି ଫାଣ୍ଡି ପୁଲିସ ମୃତଦେହ ଜବଦ କରି ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ଧୁଷୁରୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରୁ ଜବତ କରିଥିବା ବ୍ୟାଗ ଓ ଏଥିରେ ଥିବା ଲାପଟପ୍ ଓ ଡାଏରୀ ଭଳି ଅନେକ ସାମଗ୍ରୀ ପାଇଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଡାଏରୀରେ ବହୁ ତଥ୍ୟ ଲେଖା ଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ଅନୁରୂପ ଭାବେ ମୃତ ମହାଲକ୍ଷ୍ମୀ ଘର ତ୍ରିପୁରା। ଏକ ସପିଂ ମଲ୍ରେ କାର୍ଯ୍ୟ କରୁଥିଲେ। ଉକ୍ତ ମଲ୍ରେ ମୁକ୍ତିରଞ୍ଜନ ସହ ମହାଲକ୍ଷ୍ମୀଙ୍କ ଚିହ୍ନା ପରିଚିତ ହୋଇଥିଲା। ପ୍ରାୟ ୫ମାସ ହେବ ମୃତ ମହିଳା ତାଙ୍କ ସ୍ୱାମୀ ଓ ଝିଅ ଠାରୁ ଅଲଗା ହୋଇ ମାଲେଶ୍ୱରମ ଅଞ୍ଚଳରେ ତାଙ୍କ ଭାଇ ସହ ଏକ ଭଡା ଘରେ ରହୁଥିଲେ। ସେହି ଭଡା ଘରକୁ ବହୁ ସମୟରେ ମୁକ୍ତିରଞ୍ଜନ ଯିବା ଆସିବା ବି କରୁଥିଲା। କୌଣସି କାରଣକୁ ନେଇ ମହାଲକ୍ଷ୍ମୀଙ୍କୁ ଅତି ବୀଭତ୍ସ ଭାବେ ମୁକ୍ତିରଞ୍ଜନ ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଛି। ପରେ ମହିଳାଙ୍କ ମୃତଦେହକୁ ୫୦ ଖଣ୍ଡ କରି କଟି ଫ୍ରିଜ ଭିତରେ ଲୁଚାଇ ରଖିଥିଲେ। ଘରୁ ଦୁର୍ଗନ୍ଧ ହେବା ବାହାରିବା ପରେ ପଡୋଶୀମାନେ ପୁଲିସକୁ ଜଣାଇଥିଲେ। ଗତ ଶନିବାର ଘର ଭିତରେ ଥିବା ଫ୍ରିଜରୁ ମହିଳାଙ୍କ ୫୦ ଖଣ୍ଡ ମାଂସ ଟୁକୁଡା ମିଳିଥିଲା। ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଛି। ସେହି ସୁଟକେଶ ମାଧ୍ୟମରେ କିଛି ମାଂସ ଟୁକୁଡାକୁ ବାହାରେ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି। ମହାଲକ୍ଷ୍ମୀଙ୍କ ହତ୍ୟାର ଲିଙ୍କ୍ ଓଡ଼ିଶା ମିଳିବା ପରେ ବେଙ୍ଗାଲୁରୁର ପୁଲିସର ୪ଟି ଟିମ୍ ଓଡ଼ିଶାରେ ଆସି ତନାଘନା କରିଥିଲା। ଅଭିଯୁକ୍ତକୁ ଧରିବା ଲାଗି ଯୋଜନା ପ୍ରସ୍ତୁତ କରିବା ସହ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ଉ କରିଥିଲା। ହେଲେ ଅଭିଯୁକ୍ତକୁ ପୁଲିସ କାବୁ କରିବା ପୂର୍ବରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେଣୁ ବେଙ୍ଗାଲୁରୁ ପୁଲିସର ଗୋଟିଏ ଟିମ୍ ଧୁଷୁରୀ ଥାନାକୁ ଯାଇ ତନାଘନା ଚଳାଇଛି।
ଏହି ଘଟଣା ପଦାକୁ ଆସିବା ପରେ ବେଙ୍ଗାଲୁରୁ ପୁଲିସ ତଦନ୍ତ କରି ହତ୍ୟା ପଛରେ ମୁକ୍ତିରଞ୍ଜନର ସମ୍ପୃକ୍ତି ରହିଥିବାର ପ୍ରମାଣ ହାତେଇଥିଲା। ତାକୁ ଧରିବା ଲାଗି ୪ଟି ଟିମ୍ ଆସି ମୁକ୍ତିରଞ୍ଜନକୁ ଖୋଜା ଖୋଜି କରିଥିଲା। ମୁକ୍ତିରଞ୍ଜନ ଆତ୍ମହତ୍ୟା କରିଥିବା କଥା ବେଙ୍ଗାଲୁରୁ ପୁଲିସ ଜାଣିବା ପରେ ଅଡୁଆରେ ପଡ଼ିଛି। ଏହି ଘଟଣାରେ ସନ୍ଦେହ ଘେରରେ ଥିବା ଆଉ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।