IBN ଓଡ଼ିଶା ବ୍ୟୁରୋ
ଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ମୁଖିଆ, ତଥାପି…

ଷ୍ଟେଜ ଉପରେ ହଠାତ୍ ଅସୁସ୍ଥ ହେଲେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ। ଆଜି ସେ ଜମ୍ମୁ-କଶ୍ମୀରର କଠୁଆରେ ଆୟୋଜିତ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି।
ଅସୁସ୍ଥତା ସତ୍ତ୍ୱେ ସେ ନିଜର ଭାଷଣ ଶେଷ କରିବା ସହ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରୁ ହଟିବା ଯାଏ ମୁଁ ବଞ୍ଚି ରହିବି ବୋଲି ଖଡଗେ କହିଛନ୍ତି।
ଅକ୍ଟୋବର ୧ରେ ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ଭୋଟିଂ ହେବ। ଏଥିପାଇଁ ସେ ଆଜି କଠୁଆରେ ଦଳର ପ୍ରଚାର କରୁଥିଲେ। ସଭା ମଞ୍ଚରେ ସେ ଛିଡ଼ା ହୋଇ ଭାଷଣ ଦେଉଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ସେ ଜୋରରେ ନିଃଶ୍ୱାସ ନେବାରୁ ସମସ୍ତେ ବିଚଳିତ ହୋଇ ପଡ଼ିଥିଲେ।
ମଞ୍ଚ ଉପରେ ଥିବା କଂଗ୍ରେସର ନେତାମାନେ ତାଙ୍କ ପାଖକୁ ଯିବା ସହ ସହାୟତା ପ୍ରଦାନ କରିଥିଲେ। ଅସହଜ ଅନୁଭବ କରୁଥିବା ୮୨ ବର୍ଷୀୟ ଖଡଗେ କିଛି ସମୟ ଅଟକିବା ସହ ପାଣି ପିଇଥିଲେ। ପାଣି ପିଇବା ପରେ ସେ ନିଜ ଭାଷଣ ଆରମ୍ଭ କରିଥିଲେ।