ରାଜ୍ୟ

ସାହା ହୋଇଥା’ଲୋ ମାଆ: ପାଇକରାପୁରର ପୂଜ୍ୟା ମା’ ବୁଲାଦେବୀ

ସାହା ହୋଇଥା’ଲୋ ମାଆ: ପାଇକରାପୁରରେ ପୂଜାପାଆନ୍ତି, ମା’ ବୁଲାଦେବୀ। ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି।

ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ରାକୃତିକ ବିପତ୍ତିଠାରୁ ରକ୍ଷା କରୁଛନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍, ମଲ୍ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ରିପୋର୍ଟ: ହରପ୍ରିୟା ପୃଷ୍ଟି, ଫଟୋ: ନରସିଂହ ପରିଡ଼ା

ଖଣ୍ଡଗିରି: ପାଇକରାପୁର ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ବୁଲାଦେବୀ ପୂଜା ପାଉଛନ୍ତି। ଗ୍ରାମବାସୀଙ୍କ କହିବା କଥା, ବହୁବର୍ଷ ତଳେ ପାଇକରାପୁର ଗ୍ରାମକୁ କାକଟପୁରରୁ ମା’ଙ୍କୁ ଅଣାଯାଇଥିଲା। ଏଠାରେ ମା’ଙ୍କର ନାମ ମା’ ବୁଲାଦେବୀ କୁହାଗଲା। ମା’ କାହା ଦୁଃଖ ସହି ପାରନ୍ତିନି ବୋଲି ଲୋକଙ୍କ ବିଶ୍ବାସ। ସେତେବେଳେ ଚନ୍ଦକା ଜଙ୍ଗଲରୁ ହାତୀ ଆସିବା ସହିତ ବିଭିନ୍ନ ବନ୍ୟଜନ୍ତୁ ଏଠାରେ ଆତଯାତ ହେଉଥିଲେ। ସେ ଜୀବଜନ୍ତୁଙ୍କ ମନକଥା ବି ମା’ ବୁଝନ୍ତି ବୋଲି ଲୋକେ କୁହନ୍ତି। ଏବେ ମଧ୍ୟ ଏହା ଆଖପାଖକୁ ଅନେକ ମୟୂର ଆସନ୍ତି। ସେତେବେଳେ ଗାଁ ଭିତରେ ଥିବା ବଉଳ ଗଛମୂଳେ ପୂଜା ପାଉଥିଲେ ମା’ ଜଟାଧାରୀ ଠାକୁରାଣୀ। ମା’ଙ୍କ କୁନି ପଥର ମୂର୍ତ୍ତିଙ୍କୁ ଏଠାରେ ପୂଜା କରାଯାଉଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲି ଫୁଲ ଗଛ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ଚାରିପାଖରେ ଥିଲା। କ୍ରମେ ଗ୍ରାମ ଆଡ଼କୁ ସହର ବଢ଼ିଲା।

ପଞ୍ଚାୟତରୁ ଗ୍ରାମ ୱାର୍ଡରେ ମିଶିଲା। ଲୋକଙ୍କ ଚାଳଘର କୋଠାରେ ପରିଣତ ହେଲା। ଗ୍ରାମର ରକ୍ଷାକାରିଣୀଙ୍କୁ ଆଉ ବଉଳ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ମା’ଙ୍କ ପାଇଁ ପ୍ରଥମେ ୨୦ ବର୍ଷ ତଳେ ଛୋଟିଆ ମନ୍ଦିରଟିଏ ପଥର ଥୋଇ କରାଯାଇଥିଲା। ପରେ ୨୦୦୦ ମସିହା ବେଳକୁ ମା’ଙ୍କ ମନ୍ଦିରକୁ ବଡ଼ କରି ତୋଳିବାକୁ ଯୋଜନା ହେଲା। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନୀ ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ଯାଆନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ। ଗାଁକୁ ମା’ ସବୁବେଳେ ରକ୍ଷା କରି ଆସୁଛନ୍ତି ବୋଲି ଲୋକେ ବିଶ୍ବାସ କରନ୍ତି। ବିଶେଷକରି କାହାର ଗାଈ ଗୋରୁ ହଜିଲେ ଲୋକେ ପଘାକୁ ନେଇ ମନ୍ଦିର ପାଖରେ ବାନ୍ଧିଦେଇ ଆସନ୍ତି। ହଜିଲା ଗାଈ ଫେରିଆସେ। ହଜିଲା ଜିନିଷ ପାଇଁ ଏଠାରେ ପୂଜାକଲେ ମା’ ସାହା ହୁଅନ୍ତି। କୌଣସି ବଡ଼ ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରି ଆସନ୍ତି। ବିପଦରୁ ମୁକ୍ତି ପାଇବା ପରେ କିମ୍ବା ମାନସିକ ପୂରଣ ହେଲେ ମା’ଙ୍କ ପାଖରେ ସେମାନେ ଭୋଗ କରନ୍ତି।

ବୁଲାଦେବୀ ଠାକୁରାଣୀ ଭକ୍ତର ମନ ଜାଣି ସବୁ ଇଚ୍ଛା ପୂରଣ କରନ୍ତି। ଦଶହରାରେ ଏଠାରେ ନୀତିକାନ୍ତି ସବୁ ହୁଏ। ପୂର୍ଣ୍ଣିମା ଓ ଅମାବାସ୍ୟା, ଦୋଳପର୍ବରେ ବିଶେଷ ପୂଜା ହୋଇଥାଏ। ଗାଁରେ ପୂର୍ବରୁ କାଳିସି ହାଡ଼ିଆ ବେହେରା ପୂଜା କରୁଥିଲେ। ତାଙ୍କ ଅନ୍ତେ ୧୯ ବର୍ଷହେଲା ନିବାସ ରଥ ପୂଜା କରୁଛନ୍ତି। ଚୈତ୍ରମାସ ଅମାବାସ୍ୟାରେ ଏଠାରେ ହୋମ ୩ଦିନ ଧରି ହୁଏ। ଝାମୁଯାତ୍ରା, ପଣାସଂକ୍ରାନ୍ତି ପାଳନ ହୁଏ। ପାଇକରାପୁର ଗ୍ରାମ ବ୍ୟତୀତ ଘାଟିକିଆ ଆପାର୍ଟମେଣ୍ଟ, ମଧୁପୁର, ନାୟକସାହି, ଭୋଇସାହି, ମଝିସାହି, ମହାଜନସାହି, ତଳସାହିର ଲୋକେ ମଧ୍ୟ ମା’ଙ୍କୁ ମାନନ୍ତି। ବନ୍ଧକ ମୁକୁଳା, ଠାକୁରାଣୀ ମାଜଣା, ଅଳଙ୍କାର ଲାଗି, ମାନସିକ ଗୁଆବସା, ଠିଆପାଲା, ଚଣ୍ଡୀପାଠ, ନବଗ୍ରହ ପୂଜା ଭଳି ବହୁ ପୂଜା ମା’ଙ୍କ ପାଖରେ ହୁଏ।

 

Related Articles

Leave a Reply

Your email address will not be published. Required fields are marked *

Back to top button