ଖେଳ

ପରିବର୍ତ୍ତନ ପରେ ସିରିଜ ବିଜୟ ପାଇଲା ପାକିସ୍ତାନ, ୯ ୱିକେଟରେ ଇଂଲଣ୍ଡକୁ ହରାଇଲା

ପାକିସ୍ତାନ କ୍ରିକେଟ ଟିମର ଅପେକ୍ଷାରେ ଲାଗିଛି ବିରାମ। ୨୦୨୧ରୁ ଦଳ ଘରୋଇ ମାଟିରେ ଟେଷ୍ଟ ସିରିଜ ଜିତିବା ପାଇଁ ଯେଉଁ ସଂଘର୍ଷ କରୁଥିଲା, ସେଥିରେ ସଫଳତା ମିଳିଛି।

ଘରୋଇ ମାଟିରେ ପାକିସ୍ତାନ ୦-୧ ପଛରେ ଥାଇ ମଧ୍ୟ ୨-୧ରେ ଇଂଲଣ୍ଡ ବିପକ୍ଷ ସିରିଜ ଜିତିବାକୁ ସକ୍ଷମ ହୋଇଛି। ରାୱଲପିଣ୍ଡି ଟେଷ୍ଟକୁ ପାକିସ୍ତାନ ୯ ୱିକେଟରେ କବଜା କରି ଏପରି ସଫଳତା ପାଇଛି।

ଦଳ ୨୦୨୧ରୁ ଘରୋଇ ମାଟିରେ କୌଣସି ପ୍ରକାରର ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇ ନଥିଲା।

ମୁଲତାନ ଟେଷ୍ଟ ଓ ରାୱଲପିଣ୍ଡି ଟେଷ୍ଟର ପ୍ରଥମ ଇନିଂସ ଭଳି ପାକିସ୍ତାନର ଦୁଇ ସ୍ପିନର ନୋମାନ ଅଲୀ ଓ ସାଜିଦ ଖାନ ଦ୍ୱିତୀୟ ଇନିଂସରେ ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୬୭ ରନ କରି ଅଲଆଉଟ ହୋଇଯାଇଥିଲା। ଏହି ଇନିଂସରେ ନୋମାନ ୩ଟି ଓ ସାଜିଦ ୬ଟି ୱିକେଟ ନେଇଥିଲେ। ଅନ୍ୟତମ ସ୍ପିନର ଜାହିଦ ମହମ୍ମୁଦଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା।

ଏହାର ଜବାବରେ ପାକିସ୍ତାନ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସୌଦ ସକିଲଙ୍କ ୧୩୪, ନୋମାନ ଅଲୀଙ୍କ ୪୫ ଓ ସାଜିଦ ଖାନଙ୍କ ୪୮ ରନ ବଳରେ ପାକିସ୍ତାନ ପ୍ରଥମ ଇନିଂସରେ ୩୪୪ ରନ କରି ନେଇଥିଲା। ଏଥିସହ ଦଳକୁ ଗୁରୁତ୍ୱପୂର୍ଣ୍ଣ ୭୭ ରନର ଲିଡ୍ ମିଳିଥିଲା।

ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ହିଁ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦଳ ୭୭ ରନ ପଛରେ ଥିବା ବେଳେ ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଇଂଲଣ୍ଡ ୨୪ ରନରେ ୩ ୱିକେଟ ହରାଇଥିଲା।

ଆଜି ପ୍ରଥମ ଘଣ୍ଟାରେ ହିଁ ନୋମାନ ଓ ସାଜିଦ ବାକି କାମ ସାରି ଦେଇଥିଲେ। ନୋମାନ ୬ଟି ଓ ସାଜିଦ ୪ଟି ୱିକେଟ ଦଖଲ କରିବାରୁ ଇଂଲଣ୍ଡ ମାତ୍ର ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପାକିସ୍ତାନକୁ ଐତିହାସିକ ବିଜୟ ପାଇଁ ୩୭ ରନର ଟାର୍ଗେଟ ମିଳିଥିଲା। ଏହାକୁ ପାକିସ୍ତାନ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button