ରାଜ୍ୟ

କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ

ଭୁବନେଶ୍ୱର,୦୫/୧୧: ସୋମବାର ବିଳମ୍ବିତ ରାତିରେ ଡମଣା ଛକରେ ଏକ ଦୁର୍ଘଟଣା ଘଟିଛି । କାର ଧକ୍କାରେ ଡମଣା ଛକରେ ନିର୍ମିତ ଆଇକନିକ ଟ୍ରାଫିକ୍ ପୋଷ୍ଟ ଛିନ୍ ଛତ୍ର ହୋଇଯାଇଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣ ଆହତ ହୋଇଛନ୍ତି ।

ରାତି ପ୍ରାୟ ୧୧ଟା । ସେତେବେଳକୁ ଡମଣା ଛକରେ ଟ୍ରାଫିକ୍ ପୋଷ୍ଟରେ ପୂରା ଫାଙ୍କା । ସିଗନାଲ ଜଳୁନଥିଲା ।

ପୋଷ୍ଟରେ କେହି ଟ୍ରାଫିକ କର୍ମଚାରୀ ନଥିଲେ । ରାସ୍ତାରେ ଗାଡିଗୁଡିକ ମନଇଚ୍ଛା ଯା’ ଆସ କରୁଥିଲା । ଜୟଦେବବିହାର ପଟୁ ଏକ କାର (ଓଡି୦୨ଏବି ୫୨୨୧) ଦୃତଗତିରେ ପଟିଆ ଅଭିମୁଖେ ଯାଉଥିଲା । ଡମଣା ପଟୁ ଏକ ସ୍କୁଟି ବାହାରିବା ଦେଖି କାର ଚାଳକ ଜଣକ ଭାରସମ୍ୟ ହରାଇଥିଲେ ।

କାରଟି ସିଧା ଯାଇ ଟ୍ରାଫିକ୍ ପୋଷ୍ଟରେ ପିଟି ହେଲା । ଦୁର୍ଘଟଣାଟି ଏତେ ଶକ୍ତ ଥିଲା, ଯେ, ଟ୍ରାଫିକ୍ ପୋଷ୍ଟଟି ମୂଳରୁ ଉପୁଡ଼ିଯାଇ ରାସ୍ତା ମଝିରେ ପଡିଲା । କାରଟି ମଧ୍ୟ ରାସ୍ତା ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକମାନେ ଧାଇଁ ଯାଇ କାର ଭିତରୁ ମହିଳାଙ୍କ ସମେତ ଅନ୍ୟ ୨ଜଣଙ୍କୁ ଉଦ୍ଧାର କରିଥିଲେ ।

ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ରାସ୍ତା ଉପରେ ଟ୍ରାଫିକ୍ ପୋଷ୍ଟଟି ପଡି଼ଥିବାରୁ ଗାଡି଼ମୋଟର ଜାମ୍ ହୋଇଥିଲା । ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲା । ସ୍ଥାନୀୟ ଲୋକଙ୍କ ସହ ମିଶି ପୁଲିସ ରାସ୍ତା ମଝିରୁ ଟ୍ରାଫିକ୍ ପୋଷ୍ଟକୁ ହଟାଇ ରାସ୍ତାକଡ଼କୁ ଆଣିଥିଲା । ପରେ ଯାତାୟତ ସ୍ୱାଭାବିକ ହୋଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button