IBN ଓଡ଼ିଶା ବ୍ୟୁରୋ

ନିରୁଦ୍ଦିଷ୍ଟ ଭଞ୍ଜପ୍ରଭା!

‘ଭଞ୍ଜପ୍ରଭା’ ନଁାଟି କେଉଁ ସୃଜନଶୀଳ ମନରୁ ସୃଷ୍ଟି ହୋଇଥିବ କେଜାଣି; କିନ୍ତୁ ସ୍ରଷ୍ଟାଙ୍କୁ ଅନେକ ଧନ୍ୟବାଦ ଏଇଥି ପାଇଁ ଯେ ଏକଦା ଏହା ସବୁ ରାଜଧାନୀବାସୀଙ୍କ ପାଇଁ ଏକ ଅତ୍ୟନ୍ତ ଲୋକପ୍ରିୟ ନଁା ପାଲଟି ଯାଇଥିଲା। ନଁାଟିରୁ ମନେ ହେବ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ପ୍ରଭାରେ ଏହା କୌଣସି ଏକ ସାହିତ୍ୟିକ ସୃଷ୍ଟି; କିନ୍ତୁ ବାସ୍ତବରେ ଏହା ଥିଲା ଏକ ଅନୁଷ୍ଠାନର ନାମ, ଯାହା ନ ଥିଲା ସହିତ୍ୟିକ କିମ୍ବା ସାଂସ୍କୃତିକ ବରଂ ଥିଲା ବିପଣିଭିତ୍ତିକ ଏକ ବ୍ୟାବସାୟିକ ଅନୁଷ୍ଠାନ।

ତିରିଶ ବର୍ଷରୁ ଅଧିକ ସମୟ ଧରି ଏକଦା ଏହା ରାଜଧାନୀର ଜନପଥର ଏକ ପାର୍ଶ୍ବରେ ଶୋଭା ପାଉଥିଲା।
କ’ଣ ଥିଲା ଏହାର ଶୋଭା? ତେଲ, ଲୁଣ, ଚାଉଳ ଠାରୁ ଆରମ୍ଭ କରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ବିପଣି ମେଲି ଦେଇଥିବା ଏହି ଅନୁଷ୍ଠାନଟି ସାଧାରଣ ଲୋକଙ୍କର ସଂସାର ଏବଂ ସେହି କ୍ରମରେ ଜନଜୀବନ ସହିତ ଗଭୀର ଭାବରେ ଜଡ଼ିତ ହୋଇ ଯାଇଥିଲା, ଯାହା ସବୁବେଳେ ଶସ୍ତା, ସୁନ୍ଦର ଓ ମଜଭୁତ; ସେହି ଭଳି ଜିନିଷସବୁ ଯୋଗାଇ ଦେଉଥିଲା ଏହି ଅନୁଷ୍ଠାନଟି। ସେଠାରେ ମିଳୁଥିଲା ଜନତା କପଡ଼ା, ଯାହା ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ବା ‘ଓଟିଏମ୍’ରୁ ପ୍ରସ୍ତୁତ ହୋଇ ସାରା ରାଜ୍ୟରେ ଲୋକପ୍ରିୟ ହୋଇଥିଲା। ଜନତା କପଡ଼ା କଥା ଏବେ ବି ଅନେକ ପ୍ରୌଢ଼ ବା ତଦୂର୍ଦ୍ଧ୍ବ ବୟସ୍କଙ୍କ ହେଜରେ ଥିବ। ଖାଣ୍ଟି ସୋରିଷ ତେଲ ଠାରୁ ଆରମ୍ଭ କରି ଡାଲି, ଚାଉଳ ସହିତ ବିଭିନ୍ନ ପ୍ରକାର ଖାଣ୍ଟି ଜିନିଷ ମିଳୁଥିଲା ଭଞ୍ଜପ୍ରଭାରେ; ସତ କହିଲେ ଏହା ଥିଲା ସେ ସମୟର ଏକ ବଡ଼ ମଲ୍ ବା ସୁପର୍ମାର୍କେଟ୍। ସମବାୟ ପରିଚାଳନାରେ ଚାଲୁଥିବା ଭଞ୍ଜପ୍ରଭା ଥିଲା ବର୍ତ୍ତମାନ ମଲ୍ମାନଙ୍କର ଏକ ଅଗ୍ରଦୂତ। କେବଳ ତହିଁରେ ନ ଥିଲା ଏବର ମଲ୍ଗୁଡ଼ିକ ଭଳି ଚାକଚକ୍ୟ, ବାତାନୁକୂଳିତ ବାତାବରଣ କିମ୍ବା ଖାଇବା ପାଇଁ ‘ଫୁଡ୍ କୋର୍ଟ୍’ ବା ରେସ୍ତୋରାଁ।
ହଠାତ୍ କେଉଁଆଡ଼େ ନିରୁଦ୍ଦିଷ୍ଟ ହୋଇଗଲା ଭଞ୍ଜପ୍ରଭା! ପରେ ଜଣାପଡ଼ିଲା ଯେ ଯେଉଁ ଘରେ ଭଡ଼ା ସୂତ୍ରରେ ଅନୁଷ୍ଠାନଟି ଚାଲିଥିଲା, ତାକୁ ଖାଲି କରିବା ଲାଗି ମାଲିକ ନୋଟିସ୍ ଦେଲେ। ଏ ନେଇ ଏକ ମାମଲା କୁଆଡ଼େ ଅଦାଲତକୁ ବି ଯାଇଥିଲା। ପରବର୍ତ୍ତୀ କାଳରେ କିନ୍ତୁ ଦେଖାଗଲା ଯେ ଭଞ୍ଜପ୍ରଭା ସେଠାରୁ ଅପସରି ଯାଇଛି।
ଆଦିତ୍ୟ ବାବୁ ନିଜର ମାସିକିଆ ତେଜରାତି ଜିନିଷ ନିୟମିତ ଭଞ୍ଜପ୍ରଭାରୁ ହିଁ ଆଣୁଥିଲେ ଏବଂ ସେହି କ୍ରମରେ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସହିତ ତାଙ୍କର ଆତ୍ମୀୟତା ବଢ଼ିଥିଲା। ଘର ଖାଲି କରିବା ପାଇଁ ଆକସ୍ମିକ ନୋଟିସ୍, ବିଭାଗର ଚରମ ଅବହେଳା ଓ କାର୍ଯ୍ୟରତ କର୍ମଚାରୀଙ୍କ ବିପନ୍ନ ଭବିଷ୍ୟତ୍ ବିଷୟରେ କର୍ମଚାରୀଙ୍କ ଠାରୁ ଜାଣିବା ପରେ ପରେ ସେ ବିବ୍ରତ ହୋଇ ଉଠିଥିଲେ ଏବଂ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ମନ ବଳାଇ ପଡ଼ୋଶୀ ବନ୍ଧୁଙ୍କୁ ଜଣାଇେଲ। ପଡ଼ୋଶୀ ବନ୍ଧୁ ଜଣକ ଥିଲେ ତତ୍କାଳୀନ ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ। ଘଟଣାଟି ସଂପୂର୍ଣ୍ଣ ଜାଣିଲା ପରେ ଏହି ଅନୁଷ୍ଠାନଟି ସେହି ଜାଗାରେ ସଂପୂର୍ଣ୍ଣ ସୁରକ୍ଷିତ ରହିବ ଏବଂ କେହି ଅନୁଷ୍ଠାନଟିକୁ ଉଠେଇ ପାରିବେ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲେ। ଆଦିତ୍ୟ ବାବୁଙ୍କ ଠାରୁ ଏ କଥା ଶୁଣି କର୍ମଚାରୀମାନେ ମଧ୍ୟ କିଞ୍ଚିତ ଆଶ୍ବସ୍ତ ହେଲେ। କିନ୍ତୁ କିଛି ଦିନ ପରେ ନିରୁଦ୍ଦିଷ୍ଟ ହୋଇଗଲା ‘ଭଞ୍ଜପ୍ରଭା’! କ୍ରମେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲିଥିବା ଏହାର ଶାଖାପ୍ରଶାଖାଗୁଡ଼ିକ ମଧ୍ୟ ଅଦିନରେ ମଉଳିଗଲା। ସାଧାରଣ ଲୋକଙ୍କ ସକାଶେ ଥିବା ସେହି ଶସ୍ତା, ସୁନ୍ଦର, ମଜଭୁତ ‘ମଲ୍’ ଜାଗାରେ ଏବେ ଝଲସୁଛି କୌଣସି ଏକ ନାମକରା କଂପାନିର ଫଳକ। ସତେ କ’ଣ କେହି ଜଣେ ନିରୁଦ୍ଦିଷ୍ଟ ‘ଭଞ୍ଜପ୍ରଭା’କୁ ଖୋଜି ଆଣି ପୁନଃ ଅବସ୍ଥାପିତ କରିପାରିବ! କେହି ଜଣେ କରନ୍ତା କି?

Related Articles

Leave a Reply

Your email address will not be published. Required fields are marked *

Back to top button