IBN ଓଡ଼ିଶା ବ୍ୟୁରୋ

‘ମିଡ୍ ନାଇଟ୍’ରେ ମନୁ

୧୯୯୧ରେ ମୁକ୍ତିଲାଭ କରିଥିବା ରୁନା ପଣ୍ଡାଙ୍କ ପ୍ରଯୋଜିତ ତଥା ରାକେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଦାଦାଗିରି’ରେ ଅନ୍ୟତମ ନାୟକ ଥିଲେ ମନୁ ଦ୍ବିବେଦୀ। ଏହି ସିନେମାର ଲୋକପ୍ରିୟ ଗୀତ ‘ମା ହୋଇ ଯଦି ଡାକ ନ ଶୁଣିବୁ କିଏ ତତେ ଡାକିବ ମା’, ଜଗତେ କହିବେ ମା’ ହୋଇ ପୁଣି ପୁଅକୁ ହେଲାନି ସାହା…’ ମନୁଙ୍କ ଉପରେ ଦୃଶ୍ୟାୟନ ହୋଇଥିଲା।

ଏହାଛଡ଼ା ସେ ବିଜୟ କୁମାରଙ୍କ ପ୍ରଯୋଜିତ ତଥା ଏନ୍ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଏ ମନ ମାନେନା’ ଓ ବିନୟ ନାୟକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଡନ୍’ରେ ଅଭିନୟ କରିଥିଲେ।

ପ୍ରାୟ ୧୪ ବର୍ଷ ପରେ ପରଦାକୁ ଫେରୁଛନ୍ତି ଅଭିନେତା ମନୁ ଦ୍ବିବେଦୀ। ପୁଣି ଲେଉଟାଣି ଛବିରେ ସେ ପ୍ରଥମ ଥର ଲାଗି ଦ୍ବୈତ ଭୂମିକାରେ ଅଭିନୟ କରିଛନ୍ତି।

୧୪ ବର୍ଷ ପରେ ଭିନ୍ନସ୍ବାଦର ଛବି ‘ମିଡ୍ ନାଇଟ୍’ ଜରିଆରେ ପୁଣି ପରଦାକୁ ଆସୁଛନ୍ତି ମନୁ। ସେ ଏକାଧାରରେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଖାଲି ସେତିକି ନୁହେଁ, ପ୍ରଥମ ଥର ଲାଗି ଦ୍ବୈତ ଭୂମିକା ତୁଲାଇବାକୁ ଯାଉଛନ୍ତି। ମନୁ ଏଥିରେ ଉଭୟ ବାପା ଓ ପୁଅ ଚରିତ୍ରରେ ଦେଖାଦେବେ। ଏକ ଭୟାନକ ଷଡ୍ଯନ୍ତ୍ରର ଶିକାର ହୋଇ ପିତାଙ୍କ ମୃତ୍ୟୁ ଘଟେ ଓ ପରେ ପୁତ୍ର କିପରି ପ୍ରତିଶୋଧ ନେଉଛି, ତାହା ଦେଖିବାକୁ ମିଳିବ ଏଇ ଛବିରେ। ଏହାର କାହାଣୀରେ ପ୍ରେତାତ୍ମା ପ୍ରସଙ୍ଗ ବି ରହିଛି। ଏହାର କାହାଣୀକାର ଓ ଅନ୍ୟତମ ପ୍ରଯୋଜକ ହେଲେ ଅନୁପ ଦ୍ବିବେଦୀ। ଡ. ରଜନୀରଞ୍ଜନ ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ସିନେମାଟୋଗ୍ରାଫି କରିଛନ୍ତି ଅଜିତ ଦାସ।
ଡକ୍ଟର ନିର୍ମଳ ନାୟକ ଓ ସରୋଜ ବଳଙ୍କ ଗୀତକୁ ସ୍ବରରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ।
‘ମିଡ୍ ନାଇଟ୍’ରେ ମନୁଙ୍କ ବ୍ୟତୀତ ପ୍ରତିଭା ପଣ୍ଡା, ଦେବୁ ବ୍ରହ୍ମା, ଅକ୍ଷୟ ବସ୍ତିଆ, ନବାଗତା ଆଲିୟା ରାଉତ ଓ ଡାଏନା ପ୍ରମୁଖ ଅଭିନୟ କରିଛନ୍ତି। କାହାଣୀରେ ଉଭୟ ବାପା ଓ ପୁଅ ଚରିତ୍ର ତାଙ୍କୁ ପସନ୍ଦ ହେବାରୁ ଦୁଇଟିଯାକ ଚରିତ୍ରରେ ଅଭିନୟ କରିବା ଲାଗି ମନ ବଳେଇଥିବା କହିଛନ୍ତି ମନୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button