IBN ଓଡ଼ିଶା ବ୍ୟୁରୋ

୨୦୨୪ରେ ଭାରତ ଅତ୍ୟଧିକ ପାଣିପାଗଜନିତ ପରିସ୍ଥିତିର ସମ୍ମୁଖୀନ: ୯ ମାସରେ ୨୫୫ ଦିନ ପ୍ରଭାବିତ, ୩୨୩୮ ମୃତ

ନୂଆଦିଲ୍ଲୀ: ୨୦୨୪ ମସିହାରେ ଭାରତ ଅତ୍ୟଧିକ ପାଣିପାଗଜନିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଚଳିତ ବର୍ଷର ପ୍ରଥମ ୯ ମାସ (୨୭୪ ଦିନ)ରୁ ୨୫୫ ଦିନ (୯୩%) ଗ୍ରୀଷ୍ମ ଓ ଶୀତ ଲହରି, ବାତ୍ୟା, ବଜ୍ରପାତ, ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୩,୨୩୮ ଜଣଙ୍କ ଜୀବନ ଯିବା, ୩.୨ ନିୟୁତ ହେକ୍ଟର ଫସଲ ପ୍ରଭାବିତ ହେବା ସହ ୨୩୫,୮୬୨ଟି ଘର ଓ କୋଠା ନଷ୍ଟ ହୋଇଛି।

ଏଥି ସହ ପ୍ରାୟ ୯,୪୫୭ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପ୍ରକାଶିତ ‘ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍ଭିରନମେଣ୍ଟ’ (ସିଏସ୍ଇ) ରିପୋର୍ଟରେ କୁହାଯାଇଛି। ନଭେମ୍ବର ୧୧ରୁ ୨୨ ପର୍ଯ୍ୟନ୍ତ ଆଜରବାଇଜାନର ବାକୁଠାରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା କନଫରେନ୍ସ ଅଫ୍ ଦି ପାର୍ଟିଜ୍ (ସିଓପି୨୯)ର କିଛି ଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ତଥ୍ୟ ଆଧାରରେ ‘କ୍ଲାଇମେଟ୍ ଇଣ୍ଡିଆ ୨୦୨୪: ଆନ୍ ଆସେସ୍ମେଣ୍ଟ ଅଫ୍ ଏକ୍ସଟ୍ରିମ୍ ୱେଦର ଇଭେଣ୍ଟସ୍’ ଶୀର୍ଷକ ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୨୩ର ପ୍ରଥମ ୯ ମାସ ମଧ୍ୟରେ ୨୭୪ ଦିନ ମଧ୍ୟରୁ ୨୫୫ ଦିନରେ ଅତ୍ୟଧିକ ପାଣିପାଗଜନିତ ଘଟଣା ରେକର୍ଡ କରାଯାଇଥିଲା।

ସିଏସ୍ଇ ମହାନିର୍ଦ୍ଦେଶକ ସୁନୀତା ନାରାୟଣ କହିଛନ୍ତି ଯେ ୨୦୨୪ରେ ରେକର୍ଡ ଭାଙ୍ଗିଥିବା ପରିସଂଖ୍ୟାନ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିଫଳିତ କରୁଛି। ପ୍ରତି ଶତାବ୍ଦୀରେ ଥରେ ଘଟୁଥିବା ଘଟଣା ଏବେ ପ୍ରତି ପାଞ୍ଚ ବର୍ଷରେ କିମ୍ବା ତା’ଠାରୁ କମ୍ ସମୟରେ ଘଟୁଛି। ଏହା ସବୁଠାରୁ ଅସୁରକ୍ଷିତ ଜନସଂଖ୍ୟାକୁ ଅଧିକ ପ୍ରଭାବିତ କରୁଛି। ୧୯୦୧ ପରଠାରୁ ଜାନୁଆରି ୨୦୨୪ ଭାରତର ନବମ ଶୁଖିଲା ମାସ ଥିଲା। ଗତ ୧୨୩ ବର୍ଷ ମଧ୍ୟରେ ଫେବ୍ରୁଆରିରେ ଦ୍ୱିତୀୟ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ମେ ମାସରେ ଚତୁର୍ଥ ସର୍ବୋଚ୍ଚ ହାରାହାରି ତାପମାତ୍ରା ରେକର୍ଡ କରାଯାଇଛି। ୧୯୦୧ ପରଠାରୁ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ରେକର୍ଡ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button