IBN ଓଡ଼ିଶା ବ୍ୟୁରୋ

ସୁଯୋଗ ପୁଣି ହାତଛଡ଼ା କଲା ଆମେରିକା

‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ଆଗରେ ‘ଲିଙ୍ଗଗତ ବିଷମତା’ ଇସ୍ୟୁ ହାର୍ ମାନିଲା। ୪ ବର୍ଷର ବ୍ୟବଧାନ ପରେ ପୁଣି ହ୍ବାଇଟ୍ ହାଉସ୍କୁ ଫେରୁଛନ୍ତି ଟ୍ରମ୍ପ। ତେବେ କମଳା ହାରିସ୍ଙ୍କ ପରାଜୟ ଫଳରେ ୨୩୬ ବର୍ଷର ଇତିହାସରେ ଆମେରିକା ପ୍ରଥମ ମହିଳା ରାଷ୍ଟ୍ରପତି ପାଇବାର ସୁଯୋଗ ପୁଣି ହାତଛଡ଼ା କଲା। ଏହି ଅଲୋଡ଼ା କୀର୍ତ୍ତି ପାଇଁ ସାମାଜିକ ଗଣମାଧ୍ୟମରେ ଆମେରିକା ପୁଣି ଭର୍ତ୍ସିତ ହୋଇଛି।

ରାଷ୍ଟ୍ରପତି ପଦବି ତ ଦୂରର କଥା, ହାରିସ୍ଙ୍କ ରୂପରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ପାଇବାକୁ ବିଶ୍ବର ଏହି ପ୍ରମୁଖ ଗଣତନ୍ତ୍ରକୁ ୨୩୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୧୮୭୨ରେ ଅର୍ଥାତ ସମ୍ବିଧାନ ପ୍ରଣୀତ ହେବାର ୮୪ ବର୍ଷ ପରେ ଆମେରିକାରେ ଭିକ୍ଟୋରିଆ ଉଡ୍ହଲ ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ ସେ ମଧ୍ୟ ପ୍ରମୁଖ ଦୁଇଦଳରୁ ନୁହେଁ। ନିଜେ ଗଢ଼ିଥିବା ଦଳ ‘ଇକ୍ବାଲ ରାଇଟ୍ସ ପାର୍ଟି’ର ପ୍ରାର୍ଥୀ ଥିଲେ।

ଦୁଇ ପ୍ରମୁଖ ଦଳ ମଧ୍ୟରୁ ଗୋଟିକର ନ୍ୟାସନାଲ କନଭେନସନରେ ରାଷ୍ଟ୍ରପତି ପାଇଁ ଦାବିଦାର ହେବାକୁ କୌଣସି ଆମେରିକୀୟ ମହିଳା(ରିପବ୍ଲିକାନ ଦଳର ମାର୍ଗାରେଟ ଚେଜ୍ ସ୍ମିଥ୍)ଙ୍କୁ ୧୯୬୪ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୭୨ରେ ପ୍ରଥମ ଥର ପାଇଁ ପ୍ରାଇମେରିଜ୍ରେ ଜଣେ ମହିଳା ସାର୍ଲି ଚିଜୋମ୍ଙ୍କୁ ଡେମୋକ୍ରାଟିକ ଦଳ ଆଂଶିକ ସମର୍ଥନ କରିଥିଲା। ୨୦୦୮ରେ ଜାତୀୟ କନ୍ଭେନ୍ସନରେ ଓବାମାଙ୍କଠାରୁ ହାରି ଡେମୋକ୍ରାଟିକ୍ ପ୍ରାର୍ଥୀ ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିବା ହିଲାରୀ କ୍ଲିଣ୍ଟନ ୨୦୧୬ରେ ଦଳର ପ୍ରାର୍ଥୀ ହେଲେ। ଏହାର ଅର୍ଥ ହେଲା, ଜଣେ ମହିଳାଙ୍କୁ ଦୁଇ ପ୍ରମୁଖ ଦଳ ମଧ୍ୟରୁ ଗୋଟିକର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଆମେରିକାକୁ ୨୨୮ ବର୍ଷ ଲାଗିଗଲା। ଆଉ ଏ ଥର? ୧୩୨ ବର୍ଷ ପରେ ପ୍ରଥମ ଅଣ-କ୍ରମାଗତ ରାଷ୍ଟ୍ରପତି ଭାବେ ନିର୍ବାଚିତ କରି ଟ୍ରମ୍ପଙ୍କ ନାମରେ ଆମେରିକାବାସୀ ଏକ ରେକର୍ଡ଼ ରଚିଲେ ସତ, ହେଲେ ପ୍ରଥମ ମହିଳା ରାଷ୍ଟ୍ରପତି ପାଇବାର ସୁଯୋଗକୁ ପୁଣିଥରେ ହାତଛଡ଼ା କଲେ।

Related Articles

Leave a Reply

Your email address will not be published. Required fields are marked *

Back to top button