IBN ଓଡ଼ିଶା ବ୍ୟୁରୋ

ସମ୍ଭଲ ହିଂସା: ସପା ସାଂସଦଙ୍କ ସମେତ ୪୦୦ ଜଣଙ୍କ ବିରୋଧରେ ମାମଲା

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ମସଜିଦ୍‌ ସର୍ଭେକୁ ନେଇ ଉପୁଜିଥିବା ହିଂସା ଘଟଣାରେ ୨୫ ଜଣ ଗିରଫ ହୋଇଛନ୍ତି ଏବଂ ୪୦୦ ଜଣଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଛି। ସମ୍ଭଲର ସପା ସାଂସଦ ଜିଆ ଉର୍‌ ରହମାନ୍‌ ବର୍କ ଏବଂ ତାଙ୍କ ଦଳର ସହକର୍ମୀ ଇକବଲ ମହମ୍ମଦଙ୍କ ପୁଅ ନୱାବ ସୁହେଲ ଇକବଲଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ରବିବାର ସକାଳେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ସମ୍ଭଲରେ ମୋଗଲ ଯୁଗର ଏକ ଜାମା ମସଜିଦ୍‌ର ସର୍ଭେ ଆରମ୍ଭ ହେବାପରେ ସ୍ଥାନୀୟ ଲୋକ ଏବଂ ପୁଲିସ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ମସଜିଦ୍‌ଟି ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମାଣ ହୋଇଥିବା ଦାବି ହୋଇଛି ଏବଂ ଏହାକୁ ନେଇ ଆଇନଗତ ଲ‌ଢ଼େଇ ଜାରି ରହିଛି।

ଆନ୍ଦୋଳନକାରୀମାନେ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଏବଂ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ପ୍ରାୟ ୨୦ ପୁଲିସ ଏଥିରେ ଆହତ ହୋଇଛନ୍ତି। ସପା ସାଂସଦ ଜିଆ ଉର୍‌ ରହମାନ୍‌ ବାର୍କ‌ ପୂର୍ବରୁ ଦେଇଥିବା ଏକ ଟିପ୍ପଣୀ ପାଇଁ ପରିସ୍ଥିତି ଅତ୍ୟନ୍ତ ବିଗିଡ଼ି ଗଲା ବୋଲି ଏସ୍‌ପି କ୍ରୀଶନ୍‌ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ଡ୍ରୋନ୍‌ ଫୁଟେଜ୍‌ ବ୍ୟବହାର କରି ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରାଯିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଆଇନ) ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ଉଲ୍ଲେଖଯୋଗ୍ୟ ଯେ ସପା ସାଂସଦ ବାର୍କ‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହି ହିଂସା ପାଇଁ ପୁଲିସମାନେ ଦାୟୀ। ଏହା ଷଡ଼ଯନ୍ତ୍ରର ଏକ ଅଂଶ। ମୁସଲିମମାନଙ୍କୁ ଟାର୍ଗେଟ୍‌ କରାଯାଉଛି ଏବଂ ଷଡ଼ଯନ୍ତ୍ରର ଏକ ଅଂଶ ଭାବେ ସେମାନଙ୍କୁ ହତ୍ୟା କରାଯାଉଛି। ପୁଲିସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ ବୋଲି ବାର୍କ‌ କହିଥିଲେ। ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ। ହିଂସା ଯୋଗୁ ସମ୍ଭଲରେ ୨୪ ଘଣ୍ଟା ପାଇଁ ଇଣ୍ଟର‌ନେଟ୍‌ ସେବା ବନ୍ଦ କରାଯାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button