ମନୋରଞ୍ଜନ

ନ୍ୟୁଜ୍‌ ରିଲ୍‌: ‌୭୫ କୋଟିର ମାଲିକାଣୀ

ନିଜର ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟ ଚେହେରା ପାଇଁ ଦର୍ଶକଙ୍କ ମନଜିଣିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍ ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍‌ଡ୍‌ ଷ୍ଟୋରି’ରୁ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ ଦିଶା। ଏହି ଚଳଚ୍ଚିତ୍ରରେ ଦିଶାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା ମିଳିଥିଲା। ଏହାପରେ ଦିଶା ଅନେକ ହିନ୍ଦୀ, ତେଲୁଗୁ ଓ ତାମିଲ୍‌ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ସଲମାନ୍‌ ଖାନ୍, ଜନ୍‌ ଆବ୍ରାହମ୍‌, ଆଦିତ୍ୟ ରଏ କପୁର ଓ ଟାଇଗର୍‌ ଶ୍ରଫ୍‌ଙ୍କ ଭଳି ସଫଳ ଅଭିନେତାଙ୍କ ନାୟିକା ହୋଇଛନ୍ତି। ଚଳିତବର୍ଷ ନାଗ୍ ଅଶ୍ବିନ୍‌ଙ୍କ ବହୁଚର୍ଚ୍ଚିତ ଛବି ଅମିତାଭ ବଚ୍ଚନ, କମଲ୍‌ ହାସନ୍‌ ଓ ପ୍ରଭାସ୍‌ ଷ୍ଟାରର୍‌ ‘କଲ୍‌କୀ ୨୮୯୮ ଏଡି’ରେ ଅଭିନୟ କରିଥିବା ଦିଶାଙ୍କୁ ଭଲ ଦର୍ଶକ ସମର୍ଥନ ବି ମିଳିଥିଲା। ଅଭିନୟ ବ୍ୟତୀତ ଦିଶା ତାଙ୍କ ନୃତ୍ୟ ଓ ‌ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ପାଇଁ ବି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଫଲୋୟର୍ସ ସଂଖ୍ୟା ଏବେ ୬୨ ନିୟୁତ।

ତାଙ୍କ ସମସାମୟିକ ଅଭିନେତ୍ରୀଙ୍କ ତୁଳନାରେ ଅଳ୍ପ ସଂଖ୍ୟକ ଫିଲ୍ମ କରିଥିଲେ ବି ଦିଶାଙ୍କ ରୋଜଗାର କିଛି କମ୍‌ ନୁହେଁ। ଯଦି ଆମେ ତାଙ୍କ ସମ୍ପତ୍ତି ଆକଳନ କରିବା, ତେବେ ଦେଖିବା ସେ ପ୍ରାୟ ୭୫କୋଟିର ମାଲିକାଣୀ। ମୁମ୍ବାଇରେ ତାଙ୍କର ୫ କୋଟି ଟଙ୍କା ମୂଲ୍ୟର ଘର ରହିଛି। ପୁଣି ତାଙ୍କ ଗ୍ୟାରେଜ୍‌ରେ ମିନି କୁପର୍‌, ମର୍ସିଡିଜ୍ ବେଞ୍ଜ୍, ଅଡି ଏ୬, ଜାଗୁଆର୍‌ ଏଫ୍ ପେସ୍, ରେଞ୍ଜ୍‌ ରୋଭର୍, ବିଏମ୍‌ଡବ୍ଲ୍ୟୁ ଭଳି ଦାମୀ କାର୍‌ ରହିଛି। ଦିଶା ଫିଲ୍ମ ଅପେକ୍ଷା ବିଜ୍ଞାପନରେ ଅଧିକ ସକ୍ରିୟ। ଏବେ ‌ସେ ବାଟା, କେଲ୍‌ଭିନ୍ କ୍ଲେନ୍, ହର୍ଷେ, ଡାବର ଗୁଲାବରି ଓ ବାଓ ସ୍କିନ୍ କେୟାର୍‌ ଆଦି ନାମୀଦାମୀ ବ୍ରାଣ୍ଡ୍‌ର ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ପ୍ରତ୍ୟେକ ବିଜ୍ଞାପନ ପାଇଁ ସେ ୧.୫ କୋଟି ଟଙ୍କା ନେଉଥିବା ବେଳେ ସଦ୍ୟତମ ଫିଲ୍ମ ‘କଙ୍ଗୁବା’ ପାଇଁ ୫ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button