ତୁଟୁନି ଆଳୁ ଅଡ଼ୁଆ: ନିଜକୁ ନିଅଣ୍ଟ, ସାହିକୁ ବାଣ୍ଟ!

ଚନ୍ଦନେଶ୍ବର/ଫୁଲବଣୀ: ଆଳୁକୁ ନେଇ ଏବେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ସରକାର ଆଳୁ ଉପରେ କଟକଣା ଲଗାଇବା ପ୍ରତିବାଦରେ ସେଠାକାର ବ୍ୟବସାୟୀ ସଂଘ ଶୀତଳଭଣ୍ଡାରଗୁଡ଼ିକୁ ବନ୍ଦ କରିଛନ୍ତି। ଫଳରେ ପଶ୍ଚିମବଙ୍ଗରେ ବି ଆଳୁ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ଓଡ଼ିଶାକୁ ଉତ୍ତରପ୍ରଦେଶରୁ ଆସିଥିବା ଆଳୁ ବିଭିନ୍ନ ବାଟରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଉତ୍ତର ବାଲେଶ୍ବର ଅଞ୍ଚଳରେ ପ୍ରଶାସନ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନି। ହସ୍ତଗତ ସୂଚନା ଅନୁସାରେ, ଆଜି ସକାଳେ ଉତ୍ତରପ୍ରଦେଶର ଏକ ଆଳୁ ବୋଝେଇ ଟ୍ରକ୍ (ୟୁପି ୭୫ ଏମ୍ ୮୪୭୭) ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଚନ୍ଦନେଶ୍ୱରଠାରେ ପହଞ୍ଚିଥିଲା। ଏଠାରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସାହାବାଜିପୁର ବାଟଦେଇ ଶହଶହ ଇ-ରିକ୍ସାରେ ଆଳୁ ବସ୍ତା ପଶ୍ଚିବଙ୍ଗର ଦୀଘା, ରାମନଗର ଓ କଣ୍ଟାଇ ପ୍ରଭୃତି ଅଞ୍ଚଳକୁ ବୁହା ହେଉଥିବା ଦେଖିବାକୁ ମିଳିଥିଲା।
ସ୍ଥାନୀୟ ବ୍ୟବସାୟୀଙ୍କ କହିବା କଥା, ପଶ୍ଚିମବଙ୍ଗର ମୁଖ୍ୟତଃ ତାରକେଶ୍ୱର, ବର୍ଦ୍ଧମାନ ଓ ପଶ୍ଚିମ ମେଦିନୀପୁର ଜିଲ୍ଲାର କେଲାପଡ଼ା, ତ୍ରିଡ଼ଙ୍ଗୀ, ଘୁଡୁଙ୍ଗ, ଚନ୍ଦ୍ରକଣା, ଗଡ଼ବେତାରୁ ଆଳୁ ଯୋଗାଣ ହୋଇଥାଏ। ଏଠାରୁ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ତ୍ରିପୁରା, ଆସାମ ଆଦି ରାଜ୍ୟକୁ ଆଳୁ ଯୋଗାଣ ହୋଇଥାଏ। ମାତ୍ର, ଶୀତଳଭଣ୍ଡାର ବନ୍ଦ ରହିବା ଫଳରେ ହଠାତ୍ ସେଠାରେ ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଏପରିକି, ହଜାରହଜାର କ୍ବିଣ୍ଟାଲ ଆଳୁ ପଚିଗଲାଣି କିମ୍ବା ପଚିଯିବାକୁ ବସିଛି। ଯେଉଁଥି ପାଇଁ ପଶ୍ଚିମବଙ୍ଗ ଆଳୁ ନ ପଠାଇ ଓଡ଼ିଶା ପାଇଁ ଯେଉଁ ସମସ୍ୟା ସୃଷ୍ଟି କରିଥିଲା ଏବେ ନିଜେ ସମସ୍ୟାରେ ଛନ୍ଦି ହୋଇଯାଇଛି। ଫଳରେ, କିଛି ବ୍ୟବସାୟୀ ଓଡ଼ିଶାକୁ ଆସିଥିବା ଉତ୍ତରପ୍ରଦେଶର ଆଳୁକୁ ସେଠାରୁ ବୋହୁଛନ୍ତି।
ଅନ୍ୟପକ୍ଷରେ, ଆଜି ବର୍ଦ୍ଧମାନ ଆଳୁ ଯୋଗାଣ ସମିତି ଭବନରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କମିଟି ସଭାପତି ଜଗବନ୍ଧୁ ମଣ୍ଡଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଆଳୁ ଯୋଗାଣ ଉପରେ ଆଲୋଚନା ହୋଇଥିଲା। ପଶ୍ଚିମବଙ୍ଗ ଯୋଗାଣ ମନ୍ତ୍ରୀ ବେଚାରାମ ମାନ୍ନାଙ୍କ ଅନୁରୋଧକ୍ରମେ ଶୀତଳଭଣ୍ଡାର ଖୋଲି ଆଳୁ ଯୋଗାଣ ସ୍ୱାଭାବିକ କରିବା ସଂପର୍କରେ ଆଲୋଚନା ହୋଇଥିଲା। ବୈଠକରେ ରାଜ୍ୟ କମିଟିର ସମ୍ପାଦକ ଲାଲୁ ମୁଖାର୍ଜୀ, କୋଷାଧ୍ୟକ୍ଷ ଅମୀୟ ବାଇରୀ ପ୍ରମୁଖ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ସଂଘର ସମ୍ପାଦକ ଶ୍ରୀ ମୁଖାର୍ଜୀ କହିଛନ୍ତି, ଆସନ୍ତା ଗୁରୁବାର ପାଖରୁ ରାଜ୍ୟବ୍ୟାପୀ ବନ୍ଦ ଥିବା ଶୀତଳଭଣ୍ଡାର ଖୋଲିବା ସହିତ ଆଳୁ ଯୋଗାଣ ସ୍ୱାଭାବିକ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ମଧ୍ୟ୍ୟରାତ୍ରିରୁ ପଶ୍ଚିମବଙ୍ଗର ୪୮୦ରୁ ଅଧିକ ଶୀତଳଭଣ୍ଡାରକୁ ବନ୍ଦ ରଖିବା ଫଳରେ ସମଗ୍ର ରାଜ୍ୟରେ ଆଳୁ ଯୋଗାଣ ଠପ୍ ହୋଇଯାଇଛି। ଆଳୁକୁ ନେଇ ରାଜ୍ୟ-ରାଜ୍ୟ ମଧ୍ୟରେ ବିବାଦ ଚାଲିଥିବା ବେଳେ ସେଠାରେ ମଧ୍ୟ ଆଳୁ କେଜି ୪୦ ଟଙ୍କା ଟପିଲାଣି।
ଏଭଳି ସ୍ଥିତିରେ ଓଡ଼ିଶାକୁ ଆସିଥିବା ଉତ୍ତରପ୍ରଦେଶ ଆଳୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନି।
ଗୃହରେ ଦରଦାମ୍ ତାତି, ଯୋଗାଣ ମନ୍ତ୍ରୀ ଖାଲି ବୟାନବାଜିରେ ବ୍ୟସ୍ତ ଅଛନ୍ତି, ପୂର୍ବ ସରକାରର ଅପାରଗତାର ଦଶା ଭୋଗୁଛୁ: ଶାସକ ଦଳ
ଭୁବନେଶ୍ବର: ରାଜ୍ୟରେ ଆଳୁ, ପିଆଜ, ଖାଇବା ତେଲ ଆଦି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ଅହେତୁକ ବୃଦ୍ଧି ପାଇଛି। ସରକାର କିଛି କରୁ ନାହାନ୍ତି। ଯୋଗାଣ ମନ୍ତ୍ରୀ ଖାଲି ବୟାନବାଜିରେ ବ୍ୟସ୍ତ ଅଛନ୍ତି। ଡବଲ୍ ଇଞ୍ଜିନ ସରକାରରେ ଦରଦାମ୍ ବି ଡବଲ୍ ବଢ଼ୁଛି। ହାଣ୍ଡିଶାଳ ଉପରେ ସରକାର ଶକ୍ତ ପ୍ରହାର କରିଛନ୍ତି। ଆଜି ବିଧାନସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ ବୃଦ୍ଧି ନେଇ ହୋଇଥିବା ମୁଲତବୀ ଆଲୋଚନାରେ ସରକାରଙ୍କୁ ଏମିତି ଟାର୍ଗେଟ୍ କରିଥିଲେ ବିରୋଧୀ। ଏ କଥା ବି କହିଥିଲେ, ସୁଭଦ୍ରାରେ ଯେଉଁ ୫ ହଜାର ଟଙ୍କା ଦେଉଛ ସେହି ଟଙ୍କାରେ ଚଢ଼ା ଦରରେ ଖାଇବା ସାମଗ୍ରୀ କିଣି ଲୋକ ହନ୍ତସନ୍ତ ହେଉଛନ୍ତି। ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ଆଳୁ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି।
ମନ୍ତ୍ରୀ କହିଥିଲେ ୟୁପିରୁ ଆଳୁ ଆଣିବୁ। ପଶ୍ଚିମବଙ୍ଗକୁ ସାବାଡ଼ କରିଦେବୁ। କଣ ଫଳ ହେଲା, ସମସ୍ତେ ଦେଖୁଛନ୍ତି। ସବୁ କଥାରେ ଆମେ ନୂଆ ସରକାର କହି ଖସିବାକୁ ବସିଛନ୍ତି। ଏ କଥା ଆଉ ଚଳିବନି। ମନ୍ତ୍ରୀ ଖାଲି ଗଣମାଧ୍ୟମରେ ମନଇଚ୍ଛା ବିବୃତି ଦେବାରେ ବ୍ୟସ୍ତ। ସବୁ ଦରଦାମ୍ ଲୋକଙ୍କୁ ବାଧୁଛି। ଗାଁକୁ ଗଲେ ଲୋକ ଗାଳି କରୁଛନ୍ତି। ସରକାର ସବ୍ସିଡି ଦେଇ ଦରଦାମ୍ ହ୍ରାସ କରିବାର ବ୍ୟବସ୍ଥା କରନ୍ତୁ। ଅଶୋକ ଦାସ କହିଥିଲେ, ମନ୍ତ୍ରୀ ଖାଲି ବିବୃତି ଦେଉଛନ୍ତି। କିନ୍ତୁ ଲୋକଙ୍କ ସମସ୍ୟା ସମାଧାନ ହେଉନି। ୩୦୦ ଟ୍ରକ୍ ଆଳୁ ଉତ୍ତରପ୍ରଦେଶରୁ ନେଇ ଆସିଲେ କ’ଣ ସାରା ଓଡ଼ିଶା ସମସ୍ୟାର ସମାଧାନ ହୋଇଯିବ? ସାଧାରଣ ପରିବାର ଗୁଜୁରାଣ ମେଣ୍ଟାଇବାରେ ସମର୍ଥ ହେଉ ନାହାନ୍ତି।
ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଲେ, ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି। କିନ୍ତୁ ଯୋଗାଣ ମନ୍ତ୍ରୀ କି ସରକାର କିଛି କରୁ ନାହାନ୍ତି। ସାରା ରାଜ୍ୟର ଲୋକ କାନ୍ଦୁଛନ୍ତି। କୌଣସି ଜିଲ୍ଲାରେ ଜିଲ୍ଲାପାଳ ଦରଦାମ୍ ବୃଦ୍ଧିର ସମୀକ୍ଷା କରି କମାଇବାର ବ୍ୟବସ୍ଥା କରୁନାହାନ୍ତି। ମନ୍ତ୍ରୀ ସବୁବେଳେ ମିଛ କହୁଛନ୍ତି। ସବୁ ପରିବା, ଡାଲି, ଖାଇବା ତେଲ ଦର ଅହେତୁକ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି କାହିଁକି ବଢ଼ିଲା? ଧ୍ରୁବ ଚରଣ ସାହୁ କହିଲେ, ୫୦୦ ଟଙ୍କା ନେଇ ବଜାର ଗଲେ ବି ବ୍ୟାଗ ଭର୍ତ୍ତି ହେଉନି। ପନିପରିବା ଦର ୧୦୦ ଛୁଇଁଲାଣି। ୩୦୦ ଟ୍ରକ ଆଳୁ ଭୁବନେଶ୍ବର, କଟକ ଆସିଗଲେ କ’ଣ ସାରା ରାଜ୍ୟର ସମସ୍ୟା ସମାଧାନ ହୋଇଯିବ? ଦରଦାମ୍ ଯେତିକି ବାଧୁନି, ମନ୍ତ୍ରୀଙ୍କ ବିବୃତି ଲୋକଙ୍କୁ ଅଧିକ ଯନ୍ତ୍ରଣା ଦେଉଛି। ଗୌତମବୁଦ୍ଧ ଦାସ କହିଲେ, ମନ୍ତ୍ରୀ ଯାହା କହୁଛନ୍ତି ତାହା ଉପର ଠାଉରିଆ। ୩୦୦ ଟ୍ରକ୍ ଆଳୁ ବ୍ୟବସାୟୀମାନେ ଆଣିଛନ୍ତି। ଏଥିରେ ସରକାରଙ୍କ କିଛି ଭୂମିକା ନାହିଁ। ଆଉ ଏତିକି ଆଳୁ ଆସିଗଲେ ଦର ନିୟନ୍ତ୍ରଣକୁ ଆସିଯିବ ନାହିଁ। ଦରଦାମ୍ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବେ ଦାୟୀ।
ବିଜେପି ସଭ୍ୟମାନେ ବିଜେଡି ଶାସନର ବିଫଳତାକୁ ଦର୍ଶାଇ ବିରୋଧୀଙ୍କୁ ଜବାବ ଦେଇଥିଲେ। ସରୋଜ ପାଢ଼ୀ କହିଥିଲେ, ପୂର୍ବ ସରକାରର ଅପାରଗତା ଯୋଗୁ ଏ ଦଶା ଭୋଗୁଛୁ। ଯଦି ଠିକ୍ ଭାବେ ସେତେବେଳେ ଆଳୁ ମିସନ୍ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଏମିତି ସମୟ ଆସି ନ ଥା’ନ୍ତା। ଓଡ଼ିଶାରେ ତ କୃଷକ ନାହାନ୍ତି। ବିଜେଡି ସରକାର ସମୟରେ ସେମାନେ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି। ପୂର୍ବ ସରକାର ଶୀତଳ ଭଣ୍ଡାର ବି ପ୍ରତିଷ୍ଠା କଲେନି। କିନ୍ତୁ ବର୍ତ୍ତମାନ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବାବୁ ସିଂହ କହିଥିଲେ, ୨୪ ବର୍ଷରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପୂର୍ବ ସରକାର କିଛି ପଦକ୍ଷେପ ନେଇ ନଥିଲେ। ଆଳୁ ମିସନ୍ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲ। ସେହି ଟଙ୍କା ହେଲା କ’ଣ? ବିଜେଡି ନିର୍ବାଚନ ଲଢ଼ିବାକୁ ତାହାକୁ ଲୁଣ୍ଠନ କରିଥିଲା କି? ଏ ସରକାର ପରିସ୍ଥିତିର ମୁକାବିଲା ପାଇଁ ଠିକ୍ ପଦକ୍ଷେପ ନେଉଛନ୍ତି। ଶାସକ ଦଳ ସଭ୍ୟ ଦୁର୍ଗା ପ୍ରସନ୍ନ ନାୟକ ଓ ଅଶୋକ ମହାନ୍ତି ଆଲୋଚନାରେ ଭାଗ ନେଇଥିଲେ