ସମୁଦ୍ରରେ ନୌସେନାର ଶୌର୍ଯ୍ୟ ପ୍ରଦର୍ଶନ: ପୁରୀ ବେଳାଭୂମି ପାଲଟିଲା ଜନସମୁଦ୍ର
ପୁରୀ: ନା ଯୁଦ୍ଧ ହେଉଥିଲା, ନା ଶତ୍ରୁପକ୍ଷରୁ ଆକ୍ରମଣର ଭୟ ଥିଲା। ମାତ୍ର ସମୁଦ୍ରରୁ ଆକାଶ କିଛି ସମୟ ପାଇଁ ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଥିଲା। ଲଢ଼ୁଆ ବିମାନ ‘ସି-ହକ୍’ ଜେଟ୍ ବାଦଲ ଚିରି ଗର୍ଜନ କରି ଉଡ଼ିଗଲା ବେଳେ କାନ ବୁଜି ଦେଉଥିଲା ହାତ। କିନ୍ତୁ ପରାକ୍ରମୀ ସେନାଙ୍କ ଏଭଳି ଉଡ଼ାଣ ଦେଖି ଛାତି ଗର୍ବରେ ଫୁଲି ଉଠିଥିଲା। ହେଲିକପ୍ଟରରୁ ମେରିନ୍ କମାଣ୍ଡୋମାନେ ସମୁଦ୍ରକୁ ଖସିବାର ଦୃଶ୍ୟ ଦେଖି ଦେହ ଶିତେଇ ଯାଉଥିଲା। କିନ୍ତୁ ନୌବୀରଙ୍କ ସାହସ ଦେଖି ମନ କୁଣ୍ଢେମୋଟ ହୋଇଯାଉଥିଲା। ଯୁଦ୍ଧର ଡେମୋ ଦେଖାଉଥିଲେ ସତ, କିନ୍ତୁ ସେଇ ସେନାନୀଙ୍କ ପାଇଁ ଆମେ ଯେ ସତରେ ସୁରକ୍ଷିତ, ତାହା ସେମାନେ ପ୍ରମାଣିତ କରିଦେଉଥିଲେ। ନୌସେନା ଦିବସରେ ସେନାଙ୍କ ଏହି ପରାକ୍ରମ ଦେଖିବାକୁ ଆଜି ପୁରୀ ସମୁଦ୍ରକୂଳ ଜନସମୁଦ୍ର ପାଲଟିଥିଲା। ପେଣ୍ଠକଟାଠାରୁ ଷ୍ଟର୍ଲିନ୍ ପର୍ଯ୍ୟନ୍ତ ସୁଦୀର୍ଘ
ବେଳାଭୂମିରେ ଏକକାଳୀନ ୩ ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ରଥଯାତ୍ରା ଭିଡ଼ର ଭ୍ରମ ସୃଷ୍ଟି କରିଥିଲା।
ତିନି ସେନାବାହିନୀର ସୁପ୍ରିମ୍ କମାଣ୍ଡାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଭବ୍ୟ ସମାରୋହରେ ଥିଲେ ମୁଖ୍ୟଅତିଥି। ଉଦ୍ବୋଧନ ପ୍ରସଙ୍ଗରେ କହିଥିଲେ, ଅତୀତର କଳିଙ୍ଗ ରାଜତ୍ବ ସମୟରେ ପୁରୀ ସମୁଦ୍ର ତଟ ନୌବାଣିଜ୍ୟ ସହ ଜଡ଼ିତ ଥିଲା। ଏଣୁ ପୁରୀ ଭଳି ଜାଗାରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୃତଜ୍ଞତା ଜଣାଉଛି। ଭାରତରେ ସାମୁଦ୍ରିକ ବ୍ୟାପାର ୫ହଜାରରୁ ଅଧିକ ବର୍ଷ ତଳୁ ଆରମ୍ଭ ହୋଇଥିଲା। ଇତିହାସର ସେହି ପୂର୍ବ ଗରିମାକୁ ବଜାୟ ରଖିବା ସହ ଭବିଷ୍ୟତରେ ଶ୍ରେଷ୍ଠତ୍ବ ପ୍ରତିପାଦନ ପାଇଁ ଭାରତର ଦୃଢ଼ ସାମୁଦ୍ରିକ ସାମର୍ଥ୍ୟ ରହିଛି। ଆମ ନୌବାହିନୀ ସାମୁଦ୍ରିକ ସୁରକ୍ଷା ଓ ନିରାପତ୍ତା ଦିଗରେ ଆହୁରି ଅଧିକ କ୍ରିୟାଶୀଳ ହେବ। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ସ୍ବପ୍ନ ସାକାର କରିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦୁଇ ମହିଳା ନୌସେନା ଅଧିକାରୀ ଲେପ୍ଟନାଣ୍ଟ କମାଣ୍ଡର ଦିଲ୍ନା କେ ଓ ଲେଫ୍ଟନାଣ୍ଟ କମାଣ୍ଡର ରୁପାଙ୍କ ଉଦାହରଣ ଦେଇଥିଲେ। ୧୯୭୧ ଯୁଦ୍ଧରେ ଅଦମ୍ୟ ପରାକ୍ରମ ଦେଖାଇ ବଳିଦାନ ଦେଇଥିବା ଆଇଏନ୍ଏସ୍ ‘ଖୁକ୍ରି’ର କ୍ୟାପଟେନ୍ ମହେନ୍ଦ୍ରନାଥ ମୁଲ୍ଲାଙ୍କୁ ବି ମନେ ପକାଇଥିଲେ। ଯୁଦ୍ଧ ବେଳେ ଜଣେ କମାଣ୍ଡିଂ ଅଧିକାରୀ ଭାବେ ସେ ଯେଉଁଭଳି ନେତୃତ୍ବ ଓ ପରାକ୍ରମ ଦେଖାଇ ପ୍ରାଣବଳି ଦେଇଥିଲେ, ତାହା ଅବିସ୍ମରଣୀୟ। ନୌସେନାର ଅଧ୍ୟକ୍ଷ ଭାବେ ମୁଁ ଗୌରବାନ୍ବିତ। ନୌବାହିନୀର ଦେଶଭକ୍ତି, ଦେଶ ସେବା, ବୀରତ୍ବ ସର୍ବଦା ପ୍ରେରଣାଦାୟୀ। ଶେଷରେ ସମସ୍ତ ନୌସେନା ଅଧିକାରୀ, ନାବିକ ଓ ସେନା କର୍ମଚାରୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ।