ରାଜ୍ୟ

ପୁଲିସକୁ ଡର ନାହିଁ; ପୁଣି ଆପାର୍ଟମେଣ୍ଟ୍‌ରେ ପଶିଲେ, ଏଥର ହଂସପାଳ ପାଳି

ଭୁବନେଶ୍ବର/ବାଲିଅନ୍ତା ବଜାର: ରାଜଧାନୀ ଉପକଣ୍ଠରେ ସିନ୍ଧିଚୋରଙ୍କ ଉତ୍ପାତ ଜାରି ରହିଛି। ଟିଭି ସିରିୟଲ୍‌ ଭଳି ଗୋଟିଏ ପରେ ଗୋଟିଏ ଏପିସୋଡ୍‌ ଚଳାଇଛନ୍ତି ସିନ୍ଧିଚୋର। ସହରର ପୂର୍ବ ପଟେ ସିନ୍ଧିଚୋରଙ୍କ ଅପରେସନ୍‌ ଜାରି ରହିଛି। ଏଥର ପାଳିପଡ଼ିଛି ହଂସପାଳ ଅଞ୍ଚଳର। ପ୍ରଥମେ ପିପିଲି ଥାନା ପୁବାଶାସନ, ଦ୍ବିତୀୟରେ ବାଲିଅନ୍ତା ରଙ୍ଗବଜାର ଅଞ୍ଚଳ ଓ ଗତକାଲି ରାତିରେ ହଂସପାଳସ୍ଥିତ ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ୨ଟି ଫ୍ଲାଟ୍‌ର ଗ୍ରିଲ୍‌ ଓ କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସବୁ ଓଳାଇନେଇଛନ୍ତି। ନଗଦ ଲକ୍ଷାଧିକ ଟଙ୍କା ଓ ୨୦ରୁ ୩୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ଲୁଟ୍‌ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସପ୍ତାହକ ଭିତରେ ତିନି ତିନିଟି ବଡ଼ଧରଣର ସିନ୍ଧିଚୋରି କମିସନରେଟ୍‌ ପୁଲିସର ମୁଣ୍ଡବିନ୍ଧା ବଢ଼ାଇଦେଇଛି। ସମ୍ପ୍ରତି କମିସନରେଟ୍‌ ପୁଲିସ ଭିଭିଆଇପି ସୁରକ୍ଷାରେ ବ୍ୟସ୍ତ ଥିବା ବେଳେ ସିନ୍ଧିଚୋରଙ୍କ ଚ୍ୟା‌ଲେଞ୍ଜ୍‌ ପୁଲିସ ମୁଣ୍ଡରେ ଅପବାଦର ବୋଝ ଲଦି ଦେଇଛି।

ଏଥର ହଂସପାଳ ପାଳି
ଆପାର୍ଟମେଣ୍ଟର ୨ ଫ୍ଲାଟ୍‌ରୁ ଲୁଟିଲେ ଗହଣା, ଟଙ୍କା

ପାହାଳ ଥାନା ଅନ୍ତର୍ଗତ ହଂସପାଳ ନିକଟ ମହାବୀର ରାସ୍ତାରେ ରହିଛି ସନ୍‌ରାଇଜ୍‌ ସରୋବର ଓ ଉଷା ଆପାର୍ଟମେଣ୍ଟ। ଦୁଇଟିଯାକ ଆପାର୍ଟମେଣ୍ଟର ପାଚେରି ନାହିଁ। ମୁଖ୍ୟ ଫାଟକକୁ ଜଣେ ସୁରକ୍ଷାକର୍ମୀ ଜଗି ରହୁଛନ୍ତି। ଖବର ଅନୁସାରେ ଦୁର୍ବୃତ୍ତମାନେ ପ୍ରଥମେ ଉଷା ଆପାର୍ଟମେଣ୍ଟରେ ପଶିଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ୍‌ରୁ ମିଳିଥିବା ଚିତ୍ର ଅନୁସାରେ ୫/୭ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଓ ଶାବଳ ଭଳି ଉପକରଣ ଧରି ଆପାର୍ଟମେଣ୍ଟ ଭିତରକୁ ପଶିଥିଲେ। କିନ୍ତୁ କୌଣସି କାରଣରୁ ସେମାନେ ସେଠାରୁ ‌ଫେରି ଯାଇଥିଲେ। ହୁଏତ ଉକ୍ତ ଆପାର୍ଟମେଣ୍ଟର କୌଣସି ଫ୍ଲାଟ୍‌ ଫାଙ୍କା ନ ଦେଖି ସେମ‌ାନେ ଫେରିଯାଇଥିଲେ। ଏହାପରେ ସେମାନେ ସନ୍‌ରାଇଜ୍ ସରୋବରରେ ପଶିଥିଲେ। ଫ୍ଲାଟ୍‌ ନମ୍ବର ୨୦୭ରେ ରହୁଥିବା ବ୍ୟବସାୟୀ ସରୋଜ କୁମାର ସାହୁଙ୍କ ଘରେ କେହି ନଥିଲେ। ଦୁର୍ବୃତ୍ତମାନେ କବାଟ ତାଲା ତାଡ଼ି ଭିତରେ ପଶିଥିଲେ। କପ୍‌ବୋର୍ଡ ଭାଙ୍ଗି ନଗଦ ୩୦ ହଜାର ଟଙ୍କା ଓ ପ୍ରାୟ ୪ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ। ଏହାପରେ ସେମାନେ ୩୦୮ ନମ୍ବର ଫ୍ଲାଟ୍‌କୁ ଯାଇଥିଲେ। ଉକ୍ତ ଫ୍ଲାଟ୍‌ରେ ଜଣେ ମହିଳା ବ୍ୟାଙ୍କ୍‌ ଅଧିକାରୀ ରହୁଥିଲେ। ନିକଟରେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ସେ ଘରେ ନଥିଲେ। କିନ୍ତୁ ଘରେ ସବୁ କିଛି ଥିଲା। ସେଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଓ ୨୫ଲକ୍ଷରୁ ଅଧିକ ମୂଲ୍ୟର ଗହଣା ଲୁଟିନେଇଛନ୍ତି। ଆଜି ସକାଳୁ ଘଟଣା ଜଣାପଡ଼ିବା ପରେ ପାହାଳ ଥାନା ପୁଲିସ ଘଟଣାକୁ ପ୍ରଘଟ ହେବାକୁ ଦେଇନଥିଲା। ପୁଲିସ ଚାପରେ ଲୁଟ୍‌ର ଶିକାର ଘରମାଲିକମାନେ ମଧ୍ୟ ସୂଚନା ଦେବାକୁ କୁନ୍ଥକୁନ୍ଥ ହୋଇଥିଲେ। କିନ୍ତୁ ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌ ଯାଇ ତଦନ୍ତ କରିଥିଲା।

ଏହି ସିନ୍ଧିଚୋରିକୁ ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି ଯେ ଲଗାତାର କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ ଏଭଳି କାଣ୍ଡ ଭିଆଇଚାଲିଛି। ପୁଲିସ ତଦନ୍ତ ଚଳାଇଛି ଏବଂ ଖୁବ୍‌ ଶୀଘ୍ର ଏହି ଗ୍ୟାଙ୍ଗ୍‌ ପୁଲିସ କବ୍‌ଜାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଏହା କୌଣସି ପେସାଦାର ସିନ୍ଧିଚୋରଙ୍କ କାଣ୍ଡ। ତେଣୁ ପୂର୍ବରୁ ଧରାପଡ଼ିଥିବା ଗ୍ୟାଙ୍ଗ୍‌ର ଅପରେସନ୍‌କୁ ତର୍ଜମା କରି ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ସହରର ପଶ୍ଚିମ ଦିଗରେ ଚନ୍ଦକା ଅଞ୍ଚଳରେ ଏଭଳି କାଣ୍ଡ ଘଟୁଥିଲା। ଗୋଠପାଟଣା ଓ ମଳିପଡ଼ା ଭଳି ଦୁଇ ଦୁଇଟି ଆପାର୍ଟମେଣ୍ଟରୁ କଳାକନା ବୁଲାଇବା ସହ ବାରଙ୍ଗରେ ବି ୨ଟି ଫ୍ଲାଟ୍‌ରୁ ଲୁଟ୍‌ ହୋଇଥିଲା। ଏବେ ସହରର ପୂର୍ବ ଦିଗକୁ ଏହି ଗ୍ୟାଙ୍ଗ୍‌ ଟାର୍ଗେଟ୍‌ କରିଛନ୍ତି। ପିପିଲି ଥାନା ପୁବାଶାସନରୁ ପାହାଳ ଥାନା ହଂସପାଳରେ ପହଞ୍ଚିଲେଣି। ତେଣୁ ଶୀଘ୍ର ଏହି ଗ୍ୟାଙ୍ଗ୍‌କୁ ଠାବ ନ କଲେ, ପୁଣି କୌଣସି ଆପାର୍ଟମେଣ୍ଟର ପାଳିପଡ଼ିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଡିଜି-ଆଇଜି ସମ୍ମିଳନୀ ପରେ ରାଷ୍ଟ୍ରପତିଙ୍କ ପୁରୀ ଓ ଭୁବନେଶ୍ବର ଗସ୍ତରେ କମିସନରେଟ୍‌ ପୁଲିସ ବ୍ୟସ୍ତ ରହିଛି। ସବୁ ଥାନାର ଅଧିକାରୀ ଓ ଅନ୍ୟ ଅଫିସର୍‌ମାନଙ୍କୁ ଭିଭିଆଇପି ସୁରକ୍ଷାରେ ନିୟୋଜିତ କରାଯାଇଛି। ତେଣୁ ସିନ୍ଧି‌ଚୋର ଗ୍ୟାଙ୍ଗ୍‌କୁ ଏହା ସୁହାଉଛି ବୋଲି ଚର୍ଚ୍ଚା ଚାଲିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button