ପାଞ୍ଚ ବର୍ଷରେ ସବୁ ଜିଲ୍ଲାରେ ମେଡିକାଲ କଲେଜ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ୍ ହେବ ବୋଲି ପୂର୍ବରୁ ବିଜେପି ସରକାର ଘୋଷଣା କରିଥିଲେ। ତେବେ ଏଥି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଞ୍ଚ ବର୍ଷ ସମୟସୀମା ଧାର୍ଯ୍ୟ କରିଛନ୍ତି। ପାଞ୍ଚ ବର୍ଷ ଭିତରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ସେ ଏହି ଘୋଷଣା କରିଛନ୍ତି।
ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୭୬ ଜଣ ନିଯୁକ୍ତି ପାଇଥିଲେ। ଏଥିରେ ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ଚିକିତ୍ସକ ଓ ୨୩୯ ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ୫୨ ଜଣ ଅଧ୍ୟାପକ ଅଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଯେତେ ପାରଦର୍ଶିତା ହାସଲ କରିବା କଥା କରିପାରି ନାହିଁ। ଆମେ ଆମର ପ୍ରକୃତ ସାମର୍ଥ୍ୟ ହାସଲ କରି ପାରିନାହୁଁ। ନୀତି ଆୟୋଗ ଦ୍ବାରା ସଦ୍ୟ ପ୍ରକାଶିତ ସ୍ବାସ୍ଥ୍ୟ ରୢାଙ୍କିଙ୍ଗ୍ରେ ଓଡ଼ିଶା ୨୮ଟି ରାଜ୍ୟ ମଧ୍ୟରେ ତଳ ଆଡୁ ତୃତୀୟ। ଶହେ ନମ୍ବରରୁ ଓଡ଼ିଶା ପାଇଛି ମାତ୍ର ୪୦.୧୯। କିନ୍ତୁ ପୂର୍ବରୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ନାମରେ ବ୍ୟାପକ ପ୍ରଚାର କରାଯାଉଥିଲା। ବର୍ତ୍ତମାନ ଏ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ରୢାଙ୍କିଙ୍ଗ୍ରେ ଆମକୁ ଅତି କମ୍ରେ ୬୦ ନମ୍ବର ରଖିବାକୁ ପଡ଼ିବ। ଦେଶର ପ୍ରଥମ ଦଶଟି ଶ୍ରେଷ୍ଠ ସେବା ପ୍ରଦାନକାରୀ ରାଜ୍ୟ ମଧ୍ୟରେ ରହିବାକୁ ପଡ଼ିବ। ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏ ଉଭୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ କାମ କରୁଛନ୍ତି। ଚଳିତ ବର୍ଷ ସ୍ବାସ୍ଥ୍ୟ ବଜେଟ୍ରେ ପୂର୍ବ ବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ ବ୍ୟୟ ବରାଦ ହୋଇଛି। ଏହାର ସିଂହଭାଗ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ।
୮୫ ହୋମିଓପାଥିକ ଚିକିତ୍ସକ, ୨୩୯ ରେଡିଓଗ୍ରାଫର ଓ ୫୨ ଅଧ୍ୟାପକ ନିଯୁକ୍ତ
କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରୁହନ୍ତୁ, ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ
ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଆମେ ଏ ପର୍ଯ୍ୟନ୍ତ ପାରଦର୍ଶିତା ହାସଲ କରିପାରି ନାହୁଁ
ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ। ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ସର୍ବସ୍ବ ନକରି ନିଜ ନିଜର କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବାକୁ ଓ ଦୁର୍ନୀତିକୁ ପ୍ରଶ୍ରୟ ନଦେବାକୁ ସେ କହିଥିଲେ। ଶ୍ରୀ ମାଝୀ କହିଥିଲେ, ସ୍ବାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ଚିକିତ୍ସକ ଓ ରେଡିଓଗ୍ରାଫର ନିଯୁକ୍ତି ସହିତ ଖୁବ୍ ଶୀଘ୍ର ସରକାରୀ ଡାକ୍ତରଖାନାମାନଙ୍କରେ ‘ଫାର୍ମାସି ଅଫିସର’ ନିଯୁକ୍ତ ହେବେ। ଜାତୀୟ ଆୟୁଷ ମିସନରେ ଓଡ଼ିଶାରେ ୪୨୨ଟି ହୋମିଓପାଥି ଓ ଆୟୁର୍ବେଦିକ୍ ଡାକ୍ତରଖାନର ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ଭାବରେ ଉନ୍ନତୀକରଣ କରାଯାଇଛି। ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ଆଉ ତିନିଟି ୫୦ ଶଯ୍ୟା ବିଶିଷ୍ଟ ସମନ୍ବିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି। ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ନିଜେ ଯୁବ ବର୍ଗରୁ ଆସିଛନ୍ତି। ତେଣୁ ପିଲାମାନଙ୍କୁ ଦାୟିତ୍ବବାନ ହେବା ପାଇଁ ମାର୍ଗଦର୍ଶନ କରିବେ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି। ଆପଣମାନେ ଯୁବ ସମାଜର ଉଚିତ ପଥ ପ୍ରଦର୍ଶନ କରିପାରିଲେ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ନିଶ୍ଟୟ ପୂରଣ ହେବ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଉନ୍ନୟନ କମିସନର ଅନୁ ଗର୍ଗ ଉପସ୍ଥିତ ଥିଲେ। ନବ ନିଯୁକ୍ତ ଅଧ୍ୟାପିକା ଶୁଭଲକ୍ଷ୍ମୀ ସ୍ବାଇଁ, ଡାକ୍ତର କଲ୍ୟାଣୀ ମଞ୍ଜରୀ ନାୟକ ଓ ରେଡିଓଗ୍ରାଫର ସ୍ବତନ୍ତ୍ର ପଟ୍ଟନାୟକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ବତୀ ଏସ୍. ସ୍ବାଗତ ଭାଷଣ ଦେଇଥିଲେ।