ମଙ୍ଗଳ, ଶୁକ୍ର ଅଭିଯାନ ପାଇଁ ଆମେ ସକ୍ଷମ: ସୋମନାଥ – Ibnodisha

[ad_1]
ତିରୁଅନନ୍ତପୁରମ: ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବୈଜ୍ଞାନିକଙ୍କ ମନୋବଳ ଆକାଶଛୁଆଁ ହୋଇଛି । ଚନ୍ଦ୍ରପୃଷ୍ଠରେ ମହାକାଶଯାନ ଅବତରଣ କରାଇବାରେ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ରାଷ୍ଟ୍ରଭାବେ ପରିଗଣିତ ହୋଇଥିବାବେଳେ ଇସ୍ରୋ ବୈଜ୍ଞାନିକଙ୍କ ଏଭଳି ଐତିହାସିକ ସଫଳତାର କାହାଣୀ ବର୍ତ୍ତମାନ ଦେଶବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଚନ୍ଦ୍ର କାହିଁକି, ମଙ୍ଗଳ ଓ ଶୁକ୍ର ଅଭିଯାନ ପାଇଁ ଆମେ ସକ୍ଷମ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହାକାଶ ଯୋଜନାକୁ ସାକାର କରିବାକୁ ଇସ୍ରୋ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଥିବା ସୋମନଥ କହିଛନ୍ତି । ତେବେ ମଙ୍ଗଳ ଓ ଶୁକ୍ର ଅଭିଯାନକୁ ସଫଳ କରିବା ପାଇଁ ଅଧିକ ପୁଞ୍ଜିର ଆବଶ୍ୟକତା ରହିଥିବା ସେ କହିଛନ୍ତି । ସରକାର ଯଦି ମହାକାଶ ଅଭିଯାନ ପାଇଁ ଅଧିକ ବ୍ୟୟବରାଦ କରିବେ, ତେବେ ଏହି ସ୍ୱପ୍ନ ପୂରଣ ହେବାରେ ବେଶି ସମୟ ଲାଗିବନି ବୋଲି ସୋମନାଥ ମତବ୍ୟକ୍ତ କରିଛନ୍ତି । ଅବଶ୍ୟ ଏଭଳି ଦୁଃସାଧ୍ୟ ଅଭିଯାନକୁ ସଫଳ କରିବାକୁ ହେଲେ ଇସ୍ରୋ ବୈଜ୍ଞାନିକଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ହେବା ଜରୁରୀ ବୋଲି ସେ କହିଛନ୍ତି ।
ଶନିବାର ରାତିରେ କେରଳର ତିରୁଅନନ୍ତପୁରମରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସୋମନାଥ ଏହି ବକ୍ତବ୍ୟ ରଖିଛନ୍ତି । ସୂଚନାଯୋଗ୍ୟ ବିଦେଶ ଗସ୍ତରୁ ଫେରିବାପରେ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ସକାଳେ ସିଧାସଖଳ ବେଙ୍ଗାଲୁରୁ ଯାଇ ଇସ୍ରୋ କାର୍ଯ୍ୟାଳୟରେ ଚନ୍ଦ୍ରଯାନ-୩ ଅଭିଯାନରେ ସଂପୃକ୍ତ ଥିବା ବୈଜ୍ଞାନିକଙ୍କୁ ଭେଟିଥିବାବେଳେ ଏଭଳି କୃତିତ୍ୱ ପାଇଁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ସୋମନାଥଙ୍କୁ ଆଲିଙ୍ଗନ କରିବା ସହ ମୋଦୀ ଇସ୍ରୋର ମହିଳା ବୈଜ୍ଞାନିକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ମୋଦୀଙ୍କ ଭଳି ଜଣେ ନେତାଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଭାରତର ମହାକାଶ ଅଭିଯାନକୁ ନୂତନ ଶିଖରରେ ପହଞ୍ଚାଇବ ବୋଲି ସୋମନାଥ ଆଶାବ୍ୟକ୍ତ କରିଛନ୍ତି । ମୋଦୀ ଏହି ଅବସରରେ ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଘୋଷଣା କରିବା ସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରିଥିବା ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ଏବଂ ଚନ୍ଦ୍ରଯାନ-୨ର କ୍ରାସ୍ ଲ୍ୟାଣ୍ଡିଂ ସ୍ଥାନକୁ ‘ତ୍ରିରଙ୍ଗା ପଏଣ୍ଟ’ ଭାବେ ନାମିତ କରିଛନ୍ତି ।
[ad_2]




