ଜ୍ବାଇଁ ହତ୍ୟାକାରୀ ଶ୍ବଶୁରଙ୍କୁ ଆଜୀବନ କାରାଦଣ୍ଡ – Ibnodisha

[ad_1]
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ କୁକମ ଗ୍ରାମରେ ଜ୍ବାଇଁ ତୀର୍ଥ ବାଦିଙ୍କୁ ହତ୍ୟା ମାମଲାର ବିଚାର କରି କୁଚିଣ୍ଡା ଏଡିଜେ ଶ୍ବଶୁର ହରିରାମ ମଗରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ପାଇଁ ରାୟରେ ଉଲ୍ଲେଖ ରହିଛି। ବିବରଣୀ ଅନୁସାରେ, ମହୁଲପାଲି ଥାନା ଅନ୍ତର୍ଗତ କୁକମ ଗ୍ରାମରେ ହରିରାମଙ୍କ ପୁତ୍ର ସନ୍ତାନ ନଥିଲେ। ତାଙ୍କ ଝିଅଙ୍କୁ ତୀର୍ଥ ବିବାହ କରି ଘରଜ୍ବାଇଁ ଭାବେ ରହିଥିଲେ। ତେବେ ଶ୍ବଶୁର-ଜ୍ବାଇଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା।
୨୦୧୯ ମସିହା ନଭେମ୍ବର ୫ ତାରିଖରେ ତୀର୍ଥ ମଧ୍ୟାହ୍ନ ଭୋଜନ ପରେ ଏକ ଖଟିଆରେ ବିଶ୍ରାମ ନେଉଥିବା ବେଳେ ହରିରାମ ଏକ ଟାଙ୍ଗିଆରେ ତାଙ୍କୁ ନିର୍ମମ ଭାବେ ହାଣି ଦେଇଥିଲେ। ସଂକଟାପନ୍ନ ଅବସ୍ଥାରେ ତୀର୍ଥଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। କୁଚିଣ୍ଡା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ମହୁଲପାଲି ପୁଲିସ ହରିରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରାଜଜ (ଏଡିଜେ) ରାଜକିଶୋର ଲେଙ୍କା ଏହି ମାମଲାର ବିଚାର କରୁଥିଲେ। ମୃତ ତୀର୍ଥଙ୍କ ପୁଅ, ଝିଅ, ଶାଶୂ ସମେତ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କାରାଦଣ୍ଡ ଶୁଣାଇଥିଲେ। ସରକାରୀ ଓକିଲ ରବୀନ୍ଦ୍ର ନାୟକ ଏହି ମକଦ୍ଦମା ପରିଚାଳନା କରୁଥିଲେ।
ଅନୁଗୁଳ: ପାରିବାରିକ ଗଣ୍ଡଗୋଳରୁ ଜ୍ବାଇଁକୁ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଂଜିତା ଜ୍ୟୋତିଷି ଅଭିଯୁକ୍ତ ଶ୍ବଶୁର ରାଧାରମଣପଡ଼ାର ବିପିନ ସାହୁ (୬୬)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅତିରିକ୍ତ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। କୋର୍ଟ ବିବରଣୀ ଅନୁସାରେ, ଅନୁଗୁଳ ସହର ରାଧାରମଣପଡ଼ାର ବିପିନ ସାହୁଙ୍କ ଏକମାତ୍ର ଝିଅ ରୁନି (୨୩) ମୋଟଙ୍ଗା ଥାନା ହିନ୍ଦୋଳରୋଡ୍ର ଜମ୍ବେଶ୍ବର ପୃଷ୍ଟିଙ୍କୁ ବିବାହ କରିଥିଲେ। ଜମ୍ବେଶ୍ବର ଓ ରୁନି ଅନୁଗୁଳରେ ଏକାଠି ରହୁଥିଲେ। ତେବେ ବିପିନ ପ୍ରାୟ ସମୟରେ ତାଙ୍କ ପତ୍ନୀଙ୍କୁ ମାରପିଟ୍ କରୁଥିବାରୁ ତାଙ୍କ ପତ୍ନୀ ଝିଅ ରୁନି ଘରେ ରହିଆସୁଥିଲେ। ଏହାକୁ ନେଇ ଦୁଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଗତ ୨୦୨୦ ସେପ୍ଟେମ୍ବର ୮ ତାରିଖରେ ରୁନି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।
ଏହି ସମୟରେ ରାସନ୍ ଚାଉଳ ଆଣିବା ପାଇଁ ରୁନିଙ୍କ ମା’ ଓ ସ୍ବାମୀ ଜମ୍ବେଶ୍ବର ଅନୁଗୁଳ ରାଧାରମଣପଡ଼ାସ୍ଥିତ ଘରକୁ ଆସିଥିଲେ। ବିପିନ ତାଙ୍କ ପତ୍ନୀ ଓ ଜ୍ବାଇଁଙ୍କୁ ଦେଖି ରାଗରେ ଗାଳିଗୁଲଜ କରିଥିଲେ। ଜମ୍ବେଶ୍ବର ଶ୍ବଶୁରଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲା ବେଳେ ବିପିନ ହଠାତ୍ ଏକ ଛୁରି ଆଣି ଜମ୍ବେଶ୍ବରଙ୍କ ପେଟକୁ ଭୁସି ଦେଇଥିଲେ। ସ୍ଥାନୀୟ ଲୋକେ ଜମ୍ବେଶ୍ବରଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୧୨ ତାରିଖରେ ଜମ୍ବେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ଏନେଇ ରୁନି ଅନୁଗୁଳ ଥାନାରେ ଏତଲା ଦେବାରୁ ପୁଲିସ ନମ୍ବର ୧୦୭୫/୨୩ରେ ଏକ ମାମଲା ରୁଜୁ କରି ବିପିନ୍ଙ୍କୁ ଗିରଫ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରୁଥିଲେ।
[ad_2]




