ଟାଙ୍ଗୀରେ ବନରକ୍ଷୀଙ୍କୁ ପ୍ରାଣାନ୍ତକ ଆକ୍ରମଣ: ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର

ଟାଙ୍ଗୀ: ନଦୀରୁ ବାଲି ଚୋରା ଚାଲାଣକୁ ବିରୋଧ କରି ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅଧୀନ ରଣ୍ଡା ବିଟ୍ ହାଉସ୍ର ବନରକ୍ଷୀ ଭବାନୀ ପ୍ରସାଦ ପଟ୍ଟନାୟକ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଏକ ନଦୀ ଶଯ୍ୟାରୁ ଆଜି ଅପରାହ୍ଣରେ କିଛି ଯୁବକ ବେଆଇନ ଭାବେ ବାଲି ଉଠାଉଥିଲେ। ଏହି ସମୟରେ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ରଣ୍ଡା ବିଟ୍ ହାଉସ୍ର ବନରକ୍ଷୀ ଭବାନୀ ପ୍ରସାଦ ପଟ୍ଟନାୟକ ସେଠାରେ ପହଞ୍ଚି ବିରୋଧ କରିବା ସହ ତାଗିଦ କରିଥିଲେ। ଯୁବକମାନଙ୍କ ସହ ଶ୍ରୀ ପଟ୍ଟନାୟକଙ୍କର ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ତାଙ୍କୁ ମିଳିତଭାବେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଶ୍ରୀ ପଟ୍ଟନାୟକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ବନ କର୍ମଚାରୀମାନେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଟାଙ୍ଗୀ ବନ ବିଭାଗ ପକ୍ଷରୁ ଚାନ୍ଦପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଥିବା ଫରେଷ୍ଟର୍ ଗୋଲାପ ସେଠୀ ସୂଚନା ଦେଇଛନ୍ତି।




