ରାଜ୍ୟ

ଧାନ ସବୁ ବିଲରେ ଗଲା: ଛାଣିଲେ ପାଳ ମିଳୁଛି

ବ୍ରହ୍ମପୁର/ଭୁବନେଶ୍ବର: ଚାଷୀଙ୍କ ବର୍ଷକର ଆହାର ଛଡ଼ାଇ ନେଇଛି ଅଦିନିଆ ବର୍ଷା। ଲଗାତାର ୩୬ଘଣ୍ଟା ଧରି ବର୍ଷା ପରେ ଚାଷୀ ଏବେ ପାଣିଭର୍ତ୍ତି ବିଲରୁ ଧାନ ସାଉଁଟିବାରେ ଲାଗିଛି। ହେଲେ ଚାଷୀଙ୍କୁ ଧାନ ବଦଳରେ ଓଦା ହୋଇ ରହିଥିବା ପାଳ ମିଳୁଛି। ଅଧିକାଂଶ ସ୍ଥାନରେ ଧାନ ଝଡ଼ି ନଷ୍ଟ ହୋଇଯାଇଛି। କିଛି ଚାଷୀ ଭିଜା ଧାନ କଳେଇ ଉଦ୍ଧାର କରି ଶୁଖାଇବାକୁ ବ୍ୟଗ୍ର। ହେଲେ ଖରା ବଦଳରେ କୋହଲା ପାଗ ଓ ତା’ ସାଙ୍ଗକୁ ପୁଣି ୨୪ ଓ ୨୫ ତାରିଖରେ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ପୁଣି ବର୍ଷା ହେଲେ କଥା ସରିଲା। ରାଜ୍ୟର ଉପକୂଳ ଅଞ୍ଚଳ ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଅଦିନିଆ ବର୍ଷା ପାଇଁ ଖରିଫ୍‌ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ିଯିବାକୁ ବସିଛି।

ଛାଣିଲେ ପାଳ ମିଳୁଛି8ପୁଣି ବର୍ଷା ଡର ଘାରିଲା

ଗଞ୍ଜାମ ଜିଲ୍ଲାରେ ଗତକିଛି ବର୍ଷ ହେଲା ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ବହୁ କ୍ଷତି ସହୁଛନ୍ତି। ଚଳିତ ବର୍ଷ ଆବଶ୍ୟକ ସମୟରେ ବର୍ଷା ହେଲା ନାହିଁ। ତିନିମାସ ଧରି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇ ବଡ଼କଷ୍ଟରେ ଚାଷ କରିଥିଲେ। ଏବେ ଅମଳ ବେଳକୁ ଲଘୁଚାପ ବର୍ଷା ସବୁକିଛି ଉଜାଡ଼ି ଦେଲା। ଲଘୁଚାପ ବର୍ଷା ଯୋଗୁଁ ପ୍ରାୟ ୭/୮ ହଜାର ହେକ୍ଟର ଜମିରେ ପାଣି ମାଡ଼ି ଯାଇଛି। ଛତ୍ରପୁର ଉପଖଣ୍ଡର ଚା‌ଷୀ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ପାଣିରେ ଧାନଗଛ ବୁଡ଼ି ରହିବାରୁ ସେଗୁଡ଼ିକର ରଙ୍ଗ ବଦଳିଯିବ। ଏହା ସହିତ ଚାଉଳ ଭାଙ୍ଗି ଯିବାର ଭୟ ରହିଛି। ଏଣୁ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଏଫ୍ଏକ୍ୟୁ ମାନ ପୂରଣ କରି ପାରିବେ ନାହିଁ। ବର୍ଷା, ପବନ ଯୋଗୁଁ ବିଲରେ ଛିଡ଼ା ହୋଇଥିବା ଧାନଗଛ ନଇଁ ପଡ଼ିଛି। ଆଗକୁ ବର୍ଷା ହେଲେ ତାହା ମଧ୍ୟ ନଷ୍ଟ ହୋଇଯିବ ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି। ଏବେ ଚାଷୀ ବିଲରୁ ଧାନ ସଂଗ୍ରହ କରି ଶୁଖାଇବାରେ ବ୍ୟସ୍ତ। ହେଲେ ଧାନ ଶୁଖାଇବା ପାଇଁ ଜାଗା ନାହିଁ। ରାସ୍ତାକଡ଼ରେ ଚାଷୀ ଧାନକେଣ୍ଡା ପକାଇ ରଖୁଛନ୍ତି। ମେଘୁଆ ପାଗ ଏଥିରେ ବାଧକ ସାଜିଛି।

ଅଦିନିଆ ବର୍ଷା ସାରା ରାଜ୍ୟରେ ଚାଷୀଙ୍କ ଉପରେ ଦାଉ ସାଜିଛି। କେବଳ ଧାନ ନୁହେଁ, ରବି ଫସଲ ପାଇଁ ବିଲରେ ବୁଣା ହୋଇଥିବା ମୁଗ, ବିରି ବିହନ ମଧ୍ୟ ଧୋଇ ଯାଇଛି। କେତେକ ସ୍ଥାନରେ ପନିପରିବା ଚାଷ ବି କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ମିଳିତ ସର୍ଭେ ଆରମ୍ଭ ହୋଇଛି। କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ରାଜସ୍ବ ବିଭାଗର ଅଧିକାରୀମାନେ ମିଳିତ ଭାବେ ସର୍ଭେ କରିଛନ୍ତି। ଛତ୍ରପୁର ଉପଖଣ୍ଡର ବିଭିନ୍ନ ଗାଁରୁ ସର୍ଭେ ଆରମ୍ଭ କରାଯାଇଛି। ଏହାପରେ ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡ ଅଞ୍ଚଳରେ ସର୍ଭେ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଆସନ୍ତା ୨୭ତାରିଖ ସୁଦ୍ଧା ଖରିଫ୍‌ ଚାଷର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ବିଲରେ ଟଳି ପଡ଼ିଲେ ଚାଷୀ

ସାକ୍ଷୀଗୋପାଳ: ଉଜୁଡ଼ା ଫସଲ ଦେଖି ପୁରୀ ସତ୍ୟବାଦୀ ଅଞ୍ଚଳର ଜଣେ ଚାଷୀ ଆଜି ବିଲହିଡ଼ରେ ଟଳି ପଡ଼ିଛନ୍ତି। ମୃତଚାଷୀ ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଡୁଙ୍ଗର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଳେଇ (୬୭)। ଦୁଇ ଦିନର ଲଗାଣ ବର୍ଷା ପରେ ପୂର୍ଣ୍ଣଚନ୍ଦ୍ର ସୋମବାର ପୂର୍ବାହ୍ନ ୮ଟାରେ ନୂଆସୋମେଶ୍ୱରପୁର ପଞ୍ଚାୟତ ବନପୁର ଗହୀରରେ କରିଥିବା ଧାନଫସଲ ଦେଖିବାକୁ ଯାଇଥିଲେ। ପାଣିରେ ବୁଡ଼ିଥିବା ଧାନଫସଲ ଦେଖି ପୂର୍ଣ୍ଣଚନ୍ଦ୍ର ସେହି ବିଲ ହିଡ଼ମୁଣ୍ଡରେ ହଠାତ୍‌ ପଡ଼ିଯାଇଥିଲେ। ଖବର ପାଇ ଦୁଇପୁଅ ଶଙ୍କର୍ଷଣ ଓ ଅମିନ ଅନ୍ୟ ଚାଷୀମାନଙ୍କ ସହାୟତାରେ ତାଙ୍କୁ ଏକ ଅଟୋରିକ୍ସାରେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ଣ୍ଣଚନ୍ଦ୍ର ପ୍ରାୟ ଦୁଇ ଏକର ଜମିରେ ଭାଗଚାଷ କରିଥିଲେ।

ଏଥିପାଇଁ ସେ ବ୍ୟାଙ୍କ, ସେବା ସମବାୟ ସମିତିରୁ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଟଙ୍କା ଋଣ କରିଥିଲେ। ବିଲରେ ଫସଲ ନଷ୍ଟ ହୋଇଥିବା ଦେଖିବା ପରେ ଋଣ ଶୁଝିବା ଚିନ୍ତାରେ ତାଙ୍କର ହୃଦ୍‌ଘାତ ହୋଇଯାଇଥିବା କୁହାଯାଉଛି। ମୃତ ଚାଷୀଙ୍କ ସମସ୍ତ ଋଣ ଛାଡ଼ ସହିତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ପରିବାର ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button