IBN ଓଡ଼ିଶା ବ୍ୟୁରୋ

ଆର୍‌ଜି କର ଦୁଷ୍କର୍ମ-ହତ୍ୟା ମାମଲା: ସଂଜୟ ରାୟ ଦୋଷୀ

କୋଲକାତା: କୋଲକାତାର ବହୁଚର୍ଚ୍ଚିତ ଆର୍‌ଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛି। ଦେଶବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ଏହି ବର୍ବର ଅପରାଧ ପାଇଁ ଆଜି ସିଆଲଦା ସିବିଆଇ କୋର୍ଟ ଅଭିଯୁକ୍ତ ସଂଜୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୨୪ ଅଗଷ୍ଟ ୯ ତାରିଖରେ ଏହି ଅପରାଧ ଘଟିବାର ୧୬୨ ଦିନ ପରେ ଏବଂ ଗତବର୍ଷ ନଭେମ୍ବରରେ ଏହି ମାମଲାର ‘ଇନ୍‌ କ୍ୟାମେରା’ ବିଚାରଣ (ବିଚାରପତିଙ୍କ ଚ୍ୟାମ୍ବରରେ ସ୍ବତନ୍ତ୍ର ଶୁଣାଣି) ଆରମ୍ଭ ହେବାର ୨ ମାସ ପରେ ଆଜି ଏହି ରାୟ ଆସିଛି। ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ବିଚାରପତି ଅନିର୍ବାଣ ଦାସ ଏହି ମାମଲାରେ ସଂଜୟ ରାୟକୁ ଦୋଷୀସାବ୍ୟସ୍ତ କରିବା ସହ ସୋମବାର ତା’ ବିରୋଧରେ ଦଣ୍ଡାଦେଶ ଶୁଣାଇବେ ବୋଲି କହିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ ଏବଂ ଧାରା ୬୬ ଓ ୧୦୩ (୧) ଅଧୀନରେ ସଂଜୟ ରାୟକୁ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ ଧାରା ୧୦୩ ଅଧୀନ‌ରେ ସଂଜୟ ରାୟକୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ।

ସୋମବାର ଦଣ୍ଡାଦେଶ
କୋର୍ଟରେ କାନ୍ଦି ପକାଇଲେ ପୀଡ଼ିତାଙ୍କ ବାପା

ବିଚାରପତି ଅନିର୍ବାଣ ଦାସ କହିଛନ୍ତି, ସଂଜୟ ରାୟ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିଛି। ତା’ ବିରୋଧରେ ଥିବା ସମସ୍ତ ଅଭିଯୋଗ ସଂକ୍ରାନ୍ତରେ ସିବିଆଇ ପ୍ରମାଣ ଦାଖଲ କରି ଆସିଛି। ମାମଲାରେ ସିବିଆଇର ପ୍ରଥମ ଚାର୍ଜସିଟ୍‌ ଆଧାରରେ ଏହି ରାୟ ଦିଆଯାଇଛି ବୋଲି ବିଚାରପତି କହିଛନ୍ତି। ଆଜି ବିଚାରପତି ରାୟ ପ୍ରକାଶ କରିବା ପରେ ସଂଜୟ ରାୟ ଦାବି କରିଥିଲା ଯେ ତାକୁ ଷଡ଼୍‌ଯନ୍ତ୍ର କରି ଫସାଇ ଦିଆଯାଇଛି। ଯେଉଁମାନେ ଏହି ଅପରାଧରେ ସମ୍ପୃକ୍ତ ସେମାନଙ୍କୁ ଛାଡ଼ିଦିଆଯାଇଛି ବୋଲି ସେ କହିଥିଲା। ଘଟଣାରେ ଜଣେ ଆଇପିଏସ୍‌ଙ୍କ ସମ୍ପୃକ୍ତି ଥିବା ସେ ଦାବି କରିଛି। ସଂଜୟ ରାୟର ଏହି ଟିପ୍ପଣୀ ଉପରେ ବିଚାରପତି ସୋମବାର ଅପରାହ୍ଣ ୧୨.୩୦ରେ ଶୁଣାଣି କରିବେ ବୋଲି କହିଛନ୍ତି ଏବଂ ଏହାପରେ ତା’ ବିରୋଧରେ ଦଣ୍ଡାଦେଶ ଘୋଷଣା ହେବ। ସଂଜୟ ରାୟ ଆଜି ଦୋଷୀସାବ୍ୟସ୍ତ ହେବା ପରେ ପୀଡ଼ିତା ଡାକ୍ତରଙ୍କ ବାପା କୋର୍ଟ ରୁମ୍‌ରେ କାନ୍ଦି ପକାଇଥିଲେ। ସେ କହିଥିଲେ ଆପଣଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରଖିଥିଲି। ଆମ ବିଶ୍ବାସକୁ ସମ୍ମାନ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। କୋର୍ଟ ଆଜି ରାୟ ଶୁଣାଇବା ପରେ ପୁଲିସ ସଂଜୟ ରାୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରେସିଡେନ୍ସି ସଂଶୋଧନ ଗୃହକୁ ନେଇଥିଲା।

ରାୟକୁ କୌଣସି ସାମ୍ବାଦିକଙ୍କ ସହ କଥା ହେବାକୁ ସୁଯୋଗ ଦିଆଯାଇନଥିଲା। ଉଲ୍ଲେଖଯୋଗ୍ୟ, ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ସିଭିକ୍‌ ଭଲ୍ୟୁଣ୍ଟିୟର ସଂଜୟ ରାୟକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା। ପ୍ରାରମ୍ଭରେ ଏହି ମାମଲାର ତଦନ୍ତ କରିଥିବା କୋଲକାତା ପୁଲିସ ଅଗଷ୍ଟ ୧୦ରେ ରାୟକୁ ଗିରଫ କରିଥିଲା। ତେବେ କୋଲକାତା ହାଇକୋର୍ଟ ପରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ଆରଜି କର ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଅପରାଧ ଘଟିବାର ଦିନକ ପରେ ତଥା ଅଗଷ୍ଟ ୧୦ରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଅଗଷ୍ଟ ୧୩ ତାରିଖରେ ସିବିଆଇ ଏହି ମାମଲାର ତଦନ୍ତ ଭାର କୋଲକାତା ପୁଲିସଠାରୁ ଗ୍ରହଣ କରିଥିଲା। ମାମଲାରେ ‘ଇନ୍‌ କ୍ୟାମେରା’ ବିଚାରଣ ନଭେମ୍ବର ୧୨ରୁ ଆରମ୍ଭ ହେଲା ଏବଂ ୬୬ ଦିନର ବିଚାରଣ ମଧ୍ୟରେ ୧୨୦ରୁ ଅଧିକ ସାକ୍ଷୀଙ୍କର ବୟାନ ରେକର୍ଡ କରାଯାଇଛି। ଜାନୁଆରି ୯ ତାରିଖରେ ବିଚାରଣ ଶେଷ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୪ ଅଗଷ୍ଟ ୯ ତାରିଖରେ ଜଣେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଡାକ୍ତରଙ୍କ ଅର୍ଦ୍ଧନଗ୍ନ ମୃତଦେହ ସେମିନାର୍‌ ହଲ୍‌ର ତୃତୀୟ ମହଲାରୁ ମିଳିଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button