IBN ଓଡ଼ିଶା ବ୍ୟୁରୋ

ଆମେରିକା‌ରେ ଟିକ୍‌ଟକ୍‌ ବନ୍ଦ: ୯୦ ଦିନର ଆଶ୍ବସ୍ତି ଦେଇପାରନ୍ତି ଟ୍ରମ୍ପ

ୱାସିଂଟନ: ନିର୍ଦ୍ଧାରିତ ସମୟ ଶେଷ ହେବା ପୂର୍ବରୁ ଆମେରିକାର ଲୋକପ୍ରିୟ କ୍ଷୁଦ୍ର ଭିଡିଓ ଆପ୍ ଟିକ୍‌ଟକ୍ ବନ୍ଦ ହୋଇଯାଇଛି। ତାହାକୁ ଲୋକମାନେ ବ୍ୟବହାର କରିପାରୁନାହାନ୍ତି। ସମ୍ଭାବ୍ୟ ନିଷେଧାଦେଶରୁ ନିଜକୁ ମୁକ୍ତ କରିବା ଲାଗି କମ୍ପାନି ଶେଷ ପ୍ରୟାସ କରି ଆମେରିକା ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କିନ୍ତୁ ସେଠାରେ ନିରାଶ ହେବା ପରେ ନିଜ ସେବାକୁ ଅଫ୍‌ଲାଇନ୍ କରିଦେଇଛି। ଆପଲ୍‌ ଓ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଟିକ୍‌ଟକ୍ ଆପ୍ ହଟିଯାଇଛି। ଟିକ୍‌ଟକ୍‌ ଡଟ୍‌ କମ୍‌ରେ ମଧ୍ୟ କ୍ଷୁଦ୍ର ଭିଡିଓଗୁଡ଼ିକୁ ଦେଖିହେଉନାହିଁ। ଚୀନ୍‌ର ସଂସ୍ଥା ବାଇଟ୍‌ଡ୍ୟାନ୍ସ ଦ୍ବାରା ପରିଚାଳିତ ଟିକ୍‌ଟକ୍ ବିରୋଧରେ ଲୋକଙ୍କ ସମ୍ବେଦନଶୀଳ ତଥ୍ୟ ଚୀନ୍ ପ୍ରେରଣ କରୁଥିବା ଅଭିଯୋଗ ରହିଛି। ସେହି ଆଧାରରେ ଆମେରିକାର ବ୍ୟବସାୟ ଶାଖାର ଅଂଶଧନ ବିକ୍ରି କରିବାକୁ କମ୍ପାନି ଉପରେ ଚାପ ପ୍ରୟୋଗ କରାଯାଇଥିଲା। ୨୦୨୫ ଜାନୁଆରି ୧୯ ସୁଦ୍ଧା ସେହି କାର୍ଯ୍ୟ କରିବା ଲାଗି କୁହାଯାଇଥିଲା। କମ୍ପାନିକୁ ଦୁଇଟି ବିକଳ୍ପ ଦିଆଯାଇଥିଲା। ତାହା ହେଉଛି ଆପ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା କିମ୍ବା ନିଜକୁ ବିକ୍ରି କରିବା। ଟିକ୍‌ଟକ୍‌ ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ହସ୍ତକ୍ଷେପ କରିବାକୁ ମନା କରିବା ସହ ତାଙ୍କ ଉତ୍ତରାଧିକାରୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ନି‌ଷ୍ପତ୍ତି ଛାଡ଼ିଛନ୍ତି। ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଟିକ୍‌ଟକ୍‌କୁ ସେ ଆଉ ୯୦ ଦିନର ମହଲତ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଏନେଇ ‌ଟ୍ରମ୍ପ୍ ଏକ ସାକ୍ଷାତକାରରେ ଆଭାସ ଦେଇଛନ୍ତି।

ଟିକ୍‌ଟକ୍‌କୁ ନିଷିଦ୍ଧ କରିବା ଲାଗି ଗତବର୍ଷ ଏପ୍ରିଲ୍‌ରେ ଆମେରିକା ନିଷ୍ପତ୍ତି ନେଇଥିଲା। ଟିକ୍‌ଟକ୍ ପକ୍ଷରୁ ଯୁକ୍ତି କରାଯାଇଛି ଯେ ଆପ୍‌କୁ ବନ୍ଦ କରିବା ଏହାର ୧୭ କୋଟି ଆମେରିକୀୟ ବ୍ୟବହାରକାରୀଙ୍କ ବାକ୍ ସ୍ବାଧୀନତା ଉଲ୍ଲଂଘନ କରୁଛି। ଟିକ୍‌ଟକ୍‌ ସମସ୍ୟାର ସମାଧାନ କରିବା ଲାଗି କାମ କରିବାକୁ ଟ୍ରମ୍ପ୍ ସଙ୍କେତ ଦେଇଥିବାରୁ ଟିକ୍‌ଟକ୍‌ର ସିଇଓ ସୋ ଜି ଚିଉ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତାକାଲି ଟ୍ରମ୍ପ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ସେ ଯୋଗଦେବାକୁ ଯାଉଛନ୍ତି।

କିଣିବା ପାଇଁ ପ୍ରସ୍ତାବ ଦେଲା ‘ପରପ୍ଲେକ୍ସିଟି ଏଆଇ’
ଆମେରିକାରେ ଅସୁବିଧାରେ ପଡ଼ିଯାଇଥିବା ଆପ୍ ଟିକ୍‌ଟକ୍‌କୁ କିଣିବା ଲାଗି ଏହାର ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସକୁ ପରପ୍ଲେକ୍ସିଟି ଏଆଇ ପ୍ରସ୍ତାବ ଦେଇଛି। ଏହା ପରପ୍ଲେକ୍ସିଟି ଓ ଟିକ୍‌ଟକ୍‌କୁ ମିଶାଇ ଏକ ନୂଆ ପ୍ଲାଟଫର୍ମ ବିକାଶ କରିବାକୁ ଚାହୁଛି। ଟିକ୍‌ଟକ୍‌ର ସମସ୍ତ ଅଂଶଧନକାରୀଙ୍କ ଅଂଶ ସେଥିରେ ପୂର୍ବଭଳି ବଜାୟ ରହିବ। ପରପ୍ଲେକ୍ସିଟି ଏଆଇ ହେଉଛି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସର୍ଚ୍ଚ ଇଞ୍ଜିନ ଯାହା ୨୦୨୪ରେ ଆରମ୍ଭ ହୋଇଛି। ଏହା ଓପନ୍‌ଏଆଇ ଓ ଗୁଗଲ୍‌ ସହ ପ୍ରତିଦ୍ବନ୍ଦ୍ବିତା କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button