ରାଜ୍ୟ

ସାହା ହୋଇଥା’ଲୋ ମାଆ: ପୋଖରୀପୁଟର ଆରାଧ୍ୟା ମା’ ଭୁଆସୁଣି

ଖଣ୍ଡଗିରି: ପୋଖରୀପୁଟ ଗାଁରେ ୧୮୮୭ ମସିହାରୁ ଗ୍ରାମଦେବତୀ ରୂପେ ମା’ ଭୁଆସୁଣି ପୂଜା ପାଉଛନ୍ତି। ଦେବୀ କେଉଁଠୁ ଆସି‌ଲେ, ତାଙ୍କୁ କିଏ ଆଣିଥିଲା କେହି ଜାଣନ୍ତି ନାହିଁ। ପୁରୁଖା ଲୋକଙ୍କ କହିବାନୁଯାୟୀ ୧୮୧୭ ମସିହାରେ ଇଂରେଜମାନଙ୍କ ବିରୋଧରେ ପାଇକମାନେ ସଶସ୍ତ୍ର ବିଦ୍ରୋହ କରୁଥିଲେ। ଇଂରେଜମାନଙ୍କ କୁଟିଳ ରଣନୀତି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ପରାସ୍ତ ହେବା ପରେ କିଛି ପାଇକ ଖଣ୍ଡଗିରି ପାଦଦେଶରେ ଥିବା ଘଞ୍ଚ ଜଙ୍ଗଲକୁ ପଳାଇ ଆସିଥିଲେ। ସେଠି ପୋଖରୀ ଖୋଳି ତା’ କଡ଼‌ରେ କୋଚିଲା ଗଛର ଶୁଖିଲା ଡାଳ ପୋତି ସେହି ଶୁଖିଲା ପୋଖରୀରେ କିଛି ଦିନ ପର୍ଯ୍ୟନ୍ତ ଆତ୍ମଗୋପନ କରିଥିଲେ। ପରେ ଆଉ ନିଜ ଗାଁକୁ ନଯାଇ ସେଠି ବସତି ସ୍ଥାପନ କରି ରହିଲେ। ଗାଁର ନାଁ ‘ପୋଖରୀପୁଟ’ ହେଲା ଓ ଗ୍ରାମଦେବତୀଙ୍କ ନାଁ ମା’ ଭୁଆସୁଣି ଦିଆଗଲା। କିନ୍ତୁ ଏ ସମ୍ପର୍କରେ ସେମିତି କିଛି ଲିପିବଦ୍ଧ ଇତିହାସ ନାହିଁ କିମ୍ବା ଐତିହାସିକମାନେ ବି ଏ କଥାକୁ ଦୃଢ଼ତାର ସହ ଦାବି କରନ୍ତିନି। ପୂର୍ବେ ମା’ ବିରାଟ କଇଁଆ ଗଛ ମୂଳେ ପୂଜା ପାଉଥିଲେ ବୋଲି ୭୦ରୁ ୮୦ବର୍ଷ ବୟସର ଏହି ଗାଁର କିଛି ପୁରୁଖା ଲୋକ ତାଙ୍କ ବାପା, ଜେଜେଙ୍କଠାରୁ ଶୁଣିଥିବା କୁହନ୍ତି।

ଏବେ ମଧ୍ୟ ସେ ଗଛ ଅଛି। ମା’ଙ୍କର କୁନି ପଥର ମୂର୍ତ୍ତି ଓ କଳାଘୋଡ଼ା ଧଳାଘୋଡ଼ା ୨ଟି ପଥର ଭିତରେ ଛାଉଣୀ କରି ରଖାଯାଇଥିଲା। ଠାକୁରାଣୀଙ୍କ ଆସ୍ଥାନ ପାଖ‌ରେ କୋଚିଲା ଗଛ ମୂଳେ ଡାଳି ଠାକୁରାଣୀ ପୂଜା ପାଉଥିଲେ। କ୍ରମେ ଗ୍ରାମର ଚାଳଘର କୋଠାରେ ପରିଣତ ହେଲା। ତା’ପରେ ଗ୍ରାମର ରକ୍ଷାକାରିଣୀଙ୍କୁ ଆଉ ଗଛମୂଳେ ନରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଲେ। ୧୯୯୦ ମସିହାରେ ଗ୍ରାମବାସୀ ଦେବୀଙ୍କର ନୂତନ ମନ୍ଦିର ନିର୍ମାଣ କଲେ। ପରେ ୧୦ ବର୍ଷ ତଳେ ତାଙ୍କ ମନ୍ଦିରକୁ ଭବ୍ୟ କରି ନିର୍ମାଣ କରାଯାଇଛି। ମା’ଙ୍କ ପାଖରେ ବିବାହ, ବ୍ରତଘର ହେଉଛି। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ପୂଜା କରୁଛନ୍ତି। ଶୁଭ କାର୍ଯ୍ୟରେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଉଛି। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଗ୍ରାମବାସୀ ଯାଆନ୍ତି। ଗ୍ରାମରେ କାହାର କିଛି ଜିନିଷ ହଜିଲେ କିମ୍ବା କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ି ଲୋକେ ମାନସିକ କରନ୍ତି। ଗ୍ରାମବାସୀଙ୍କ ମନସ୍କାମନା ପୂରଣ ହେଲେ ମା’ଙ୍କ ମାଜଣା କରିବା ସହ ଭୋଗ ଦିଅନ୍ତି। ଗ୍ରାମର ସୁବାସ ରାଉରତାୟଙ୍କ କହିବା‌ କଥା, ମାଘ ମାସରେ ପୂର୍ବରୁ ଭୋଜି ହେଉଥିଲା ଆଉ ହେଉନାହିଁ। ଏବେ ଚୈତ୍ରମାସରେ ହୋମ ହେଉଛି। ଦଶହରା ଅଷ୍ଟମୀ ପୂଜାରେ ବୋଦା ବଳି ପଡ଼ୁଛି। ୧୭ ବର୍ଷ ହେଲା ଦୁର୍ଗାଚରଣ ଦୀକ୍ଷିତ ମା’ଙ୍କ ପୂଜା କରୁଛନ୍ତି। ଲୋକଙ୍କ ବିଶ୍ବାସ, ଠାକୁରାଣୀଙ୍କ ମନ୍ଦିର ହେବା ପରେ ଆଉ ଗାଁରେ କିଛି କାମ ଅଟକିନି।

Related Articles

Leave a Reply

Your email address will not be published. Required fields are marked *

Back to top button