IBN ଓଡ଼ିଶା ବ୍ୟୁରୋ

ଭାରତ ଭୁଲି ଯାଇଥିବା କାହାଣୀ: ଯୁଦ୍ଧ ଜିପ୍‌ କେଳେଙ୍କାରୀ

ସାମରିକ ବାହିନୀର ବ୍ୟବହାର ଲାଗି ଉଦ୍ଦିଷ୍ଟ ଯାନ ଓ ଅସ୍ତ୍ରଶସ୍ତ୍ର କ୍ରୟରେ ବହୁ ବଡ଼ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି। ଏ ମଧ୍ୟରୁ ବୋଫର୍ସ କମାଣ, ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍‌ ହେଲିକପ୍ଟର୍‌, ସ୍କର୍ପିନ୍‌ ବୁଡ଼ାଜାହାଜ କ୍ରୟ ଦୁର୍ନୀତି ବେଶ୍ ଚର୍ଚ୍ଚିତ। ତେବେ ଦେଶ ସ୍ବାଧୀନ ହେବାପରେ ଯେଉଁ ଦୁର୍ନୀତି ପ୍ରଥମେ ଚହଳ ପକାଇଥିଲା, ତାହା ହେଲା ୧୯୪୮ର ଜିପ୍‌ କିଣା ଦୁର୍ନୀତି। ଏହାକୁ ସ୍ବାଧୀନ ଭାରତର ସର୍ବପୁରାତନ ଓ ପ୍ରଥମ ଜାଲିଆତି ବୋଲି କୁହାଯାଏ। ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ବ୍ରିଟେନ୍‌ରେ ଭାରତର ହାଇକମିସନର୍‌ ଥିବା ଭେଙ୍ଗାଲିଲ୍‌ କେ କ୍ରିଷ୍ଣା ମେନନ୍‌ ଏହି ଜାଲିଆତି ଘଟଣାର ପ୍ରମୁଖ ଅଭିଯୁକ୍ତ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା। ଭାରତ-ପାକିସ୍ତାନ ଯୁଦ୍ଧ ଚାଲୁଥିବାରୁ ଭାରତୀୟ ସେନା ପାକିସ୍ତାନ ସେନା ବିପକ୍ଷରେ ଲଢ଼ିବା ପାଇଁ ଜରୁରୀ ଭିତ୍ତିରେ ଜିପ୍‌ ଆବଶ୍ୟକ କରୁଥିଲା। ସ୍ପେଆର୍‌ ପାର୍ଟ ସହିତ ତୁରନ୍ତ ଜିପ୍‌ ଡେଲିଭରି ମିଳିବ ବୋଲି ଯୁକ୍ତି ଦର୍ଶାଇ ବ୍ରିଟେନ୍‌ରେ ଭାରତର ହାଇକମିସନର୍‌ ଥିବା ଭି କେ କ୍ରିଷ୍ଣା ମେନନ୍‌ ମରାମତି ହୋଇ ନୂଆ ଭଳି ସଚଳ ଥିବା ୨,୦୦୦ ଜିପ୍‌ କ୍ରୟ ପାଇଁ ରାଜିନାମା କରିଦେଲେ।

ଧୋକାଦେଲା ଆଣ୍ଟି-ମିଷ୍ଟାନ୍‌ଟିସ୍‌
ଏତେ ସଂଖ୍ୟାରେ ଜିପ୍‌ ଯୋଗାଇବାକୁ ବ୍ରିଟିସ୍‌ ସଂସ୍ଥା ମେସର୍ସ ଆଣ୍ଟି-ମିଷ୍ଟାନ୍‌ଟିସ୍‌ର ପୁଞ୍ଜି ନଥିବାରୁ କ୍ରିଷ୍ଣା ମେନନ୍‌ ଜିପ୍‌ କ୍ରୟ ଲାଗି ୧୭୨,୦୦୦ ପାଉଣ୍ଡ୍‌ ଅଗ୍ରୀମ ଦେବାକୁ ରାଜି ହୋଇଗଲେ। ରାଜିନାମାରେ ଉଲ୍ଲେଖ ଥିଲା ଯେ ଯାଞ୍ଚ ପରେ ୬୫% ଦେୟ ପ୍ରଦାନ କରାଯିବ, ଡେଲିଭରି ସମୟରେ ୨୦% ଓ ଡେଲିଭରି ହେବାର ମାସକ ପରେ ବାକି ଅର୍ଥ ପ୍ରଦାନ କରାଯିବ। କିନ୍ତୁ, ଯାଞ୍ଚ ସାର୍ଟିଫିକେଟ୍‌ ବିନା କମ୍ପାନିକୁ ସମୁଦାୟ ଦେୟ ଅର୍ଥର ୬୫% ଅଗ୍ରୀମ ଦିଆଗଲା। ସେ ଯାହାହେଉ, ଡେଲିଭରି ହୋଇଥିବା ୧୫୫ଟି ଜିପ୍‌ରୁ କେଉଁ ଗୋଟିକ ବି ସେନାରେ ବ୍ୟବହୃତ ହେବା ନିମନ୍ତେ ଭରସାଯୋଗ୍ୟ ମନେହେଲା ନାହିଁ। ତେଣୁ, ପ୍ରତିରକ୍ଷା ମନ୍ତ୍ରାଳୟ ତାହାକୁ ଗ୍ରହଣ କରିବା ଲାଗି ଅସ୍ବୀକାର କରି‌େ‌ଦଲା। ଫଳତଃ ଆଣ୍ଟି-ମିଷ୍ଟାନ୍‌ଟିସ୍‌ ଜିପ୍‌ ଡେଲିଭରି ବାତିଲ କରିଦେଲା।

ଏସ୍‌. ସି. କେ. ଏଜେନ୍‌ସି ବି ଠକିଲା
ଅଗତ୍ୟା କ୍ରିଷ୍ଣା ମେନନ୍‌ ଅନ୍ୟ ଏକ ବ୍ରିଟିସ୍‌ କମ୍ପାନି ଏସ୍‌. ସି. କେ. ଏଜେନ୍‌ସି ସହିତ ୧,୦୦୭ଟି ଜିପ୍‌ ନିମନ୍ତେ ପୁନରାୟ ଚୁକ୍ତି ସ୍ବାକ୍ଷର କଲେ। ଚୁକ୍ତି ହେଲା ଯେ, ମାସିକ ୬୮ଟି ଜିପ୍‌ ଡେଲିଭରି କରାଯିବ ଏବଂ ପ୍ରାକ୍ତନ ରାଜିନାମାରେ ଯେଉଁ କ୍ଷତି ଘଟିଥିଲା ଏ କମ୍ପାନି ଭାରତ ସରକାରଙ୍କୁ ତାହା ପ୍ରଦାନ କରିବ। ଆଣ୍ଟି-ମିଷ୍ଟାନ୍‌ଟିସ୍‌ ଯେଉଁ ଜିପ୍‌କୁ ୩୦୦ ପାଉଣ୍ଡ୍‌ରେ ବିକୁଥିଲା ଏବେ ଏସ୍‌. ସି. କେ. ଏଜେନ୍‌ସିଜ୍‌ ତା’ର ମୂଲ୍ୟ ୪୫୮.୧୦ ପାଉଣ୍ଡ୍‌ ବୋଲି ଦାବିକଲା। କ୍ରିଷ୍ଣା ମେନନ୍‌ ମଧ୍ୟ ଚୁକ୍ତି ପରିବର୍ତ୍ତନ ନିମନ୍ତେ ରାଜି ହୋଇ ୬ ମାସ ପର୍ଯ୍ୟନ୍ତ ମାସିକ ୧୨ଟି ଲେଖାଏଁ ଏବଂ ତା’ପରେ ମାସକୁ ୧୨୦ଟି ଲେଖାଏଁ ଜିପ୍‌ ଡେଲିଭରି ଦେବାକୁ କହ‌ିଲେ। କିନ୍ତୁ, ସେ କମ୍ପାନି ଦୁଇବର୍ଷରେ ମାତ୍ର ୪୯ଟି ଜିପ୍‌ ଡେଲିଭରି ଦେଲା ଏବଂ ସରକାରଙ୍କୁ କ୍ଷତିପୂରଣ ଦେବାକୁ ବି ମନା କରିଦେ‌ଲା।

ପ୍ରୋଟକଲ୍‌ ଉଲ୍ଲଂଘନ
ବାସ୍ତବ କଥା ହେଲା, ଚୁକ୍ତିନାମାରେ ମେନନ୍‌ ତାଙ୍କ ପ୍ରଭାବର ଅପବ୍ୟବହାର କରିଥିଲେ। ବ୍ରିଟେନ୍‌ର ଏହି ବିବାଦୀୟ କମ୍ପାନିଗୁଡ଼ିକ ସହିତ ମେନନ୍‌ ନିଜେ ହିଁ ଚୁକ୍ତିସ୍ବାକ୍ଷର କରିଥିଲେ। ଚୁକ୍ତି କରିବା ବେଳେ ସେ ସରକାରୀ ବିଧିବିଧାନକୁ ଉପେକ୍ଷା କରିଥିଲେ। ପ୍ରକୃତରେ ଏଭଳି ରାଜିନାମା କରିବାକୁ କୌଣସି ହାଇକମିସନର୍‌ଙ୍କର ଅଧିକାର ନ ଥାଏ। କ୍ରୟ ରାଜିନାମା ସ୍ବାକ୍ଷର କରିବା ପାଇଁ ଦେଶରେ ସେ ବିଭାଗର ଅଧିକାରୀମାନେ ଥାଆନ୍ତି। ମରାମତି କରାଯାଇ ସଚଳ କରାଯାଇଥିବା ଜିପ୍‌ କ୍ରୟ କରିବା ଲାଗି ସେ ପ୍ରୋଟକଲ୍‌ ଏଡ଼ାଇ ବିଦେଶୀ କମ୍ପାନି ସହିତ ୮୦ ଲକ୍ଷ ଟଙ୍କାର ଚୁକ୍ତି ସ୍ବାକ୍ଷର କରିଥିଲେ। ଏତିକି ମୂଲ୍ୟରେ ଆମେରିକା ଅଥବା କାନାଡାରୁ ୨୦୦୦ ନୂଆ ଜିପ୍‌ ଖରିଦ କରାଯାଇ ପାରିବ ବୋଲି କେତେକ ସରକାରୀ ପରାମର୍ଶଦାତା କହିଥିଲେ। କିନ୍ତୁ, ଇଂଲଣ୍ଡ୍‌ରୁ କିଣିଲେ ସ୍ପେୟାର୍‌ ପାର୍ଟ ସହିତ ଜିପ୍‌ ଡେଲିଭରି ତୁରନ୍ତ କରାଯାଇପାରିବ ବୋଲି ମେନନ୍‌ ଯୁକ୍ତି ବାଢ଼ିଥିଲେ।

ତଦନ୍ତ ଆରମ୍ଭ ଓ ଶେଷ
ଜିପ୍‌କିଣା ଚୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ଭାରତରେ ପହଞ୍ଚିବା ପରେ ସଂସଦ ସମେତ ଦେଶରେ ବ୍ୟାପକ ଚହଳ ପଡ଼ିଲା। ଅଧିକାଂଶ ଅର୍ଥ ଅଗ୍ରୀମ ଦିଆଯାଇଥିବା ବେଳେ ମାତ୍ର ୧୫୫ଟି ଜିପ୍‌ ଡେଲିଭରି ଦିଆଯାଇଥିଲା। ଏ ପରିସ୍ଥିତିରେ ମେନନ୍‌ ଇସ୍ତଫା ଦେଇ ଭାରତ ପ୍ରତ୍ୟାବର୍ତ୍ତନ କରିବା କଥା। କିନ୍ତୁ, କୁହାଯାଏ ଉକ୍ତ ଜିପ୍‌ ଗ୍ରହଣ କରିବା ଲାଗି ସେ ନେହେରୁ ସରକାରଙ୍କୁ ବାଧ୍ୟ କଲେ। ଏ ଘଟଣାକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ପରେ ଆୟାଙ୍ଗର୍‌ ଉପ-କମିଟି ଏହି ମାମଲାର ତଦନ୍ତ କଲା ଓ ତଥ୍ୟାବଳି ସହିତ ୧୯୫୧ ଏପ୍ରିଲ୍‌ ୯ ତାରିଖରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ନିକଟରେ ରିପୋର୍ଟ ଦାଖଲ କଲା। ପବ୍ଲିକ୍‌ ଆକାଉଣ୍ଟ୍‌ କମିଟି ଏ ସଂକ୍ରାନ୍ତରେ ଅବଗତ ହୋଇ ଦୁଇଜଣ ହାଇକୋର୍ଟ ବିଚାରପତିଙ୍କଦ୍ବାରା ତଦନ୍ତ ଲାଗି ପରାମର୍ଶ ଦେଲା। ୧୯୫୪ ଡିସେମ୍ବର ୧୮ ତାରିଖରେ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଲାଗି ସରକାର କମିଟିକୁ ଜଣାଇଲେ। ଆୟାଙ୍ଗର୍‌ କମିଟି ଦେଇଥିବା ତଥ୍ୟାବଳିକୁ ଉପେକ୍ଷା କରି ୧୯୫୫ ସେପ୍‌ଟେମ୍ବର ୩୦ରେ ସରକାର କମିଟିକୁ ଅବଗତ କରାଇଲେ କି, ମାମଲା ଔପଚାରିକ ଭାବେ ବନ୍ଦ କରାଗଲା।

ମେନନ୍‌ ହେଲେ ପ୍ରତିରକ୍ଷା ମନ୍ତ୍ରୀ
କିନ୍ତୁ, ବିରୋଧୀ ଦଳ ପୁଣି ହଟ୍ଟଗୋଳ କରିବାରୁ ତତ୍କାଳୀନ ଗୃହମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ୍‌ କ‌ହିଲେ, ଯଦି ସରକାରଙ୍କ ନିଷ୍ପତ୍ତିରେ ସେମାନେ ଅସନ୍ତୁଷ୍ଟ, ତେବେ ଏହାକୁ ନିର୍ବାଚନ ପ୍ରସଙ୍ଗ କରିପାରିବେ। ସତକୁ ସତ ପନ୍ତ୍‌ଙ୍କର ଏହି ସରକାରୀ ବିବୃତି ନିର୍ବାଚନ ପ୍ରଚ‌ାର ଅଭିଯାନରେ ଅନ୍ୟତମ ପ୍ରସଙ୍ଗ ରୂପେ ଚର୍ଚ୍ଚିତ ହେଲା। ରାଜ୍ୟସଭା ସଦସ୍ୟ ହେବା ପରେ ୧୯୫୬ ଫେବ୍ରୁଆରି ୩ରେ ମେନନ୍‌ଙ୍କୁ ନେହେରୁଙ୍କ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀଭାବେ ସାମିଲ କରାଯାଇଥିଲା କିନ୍ତୁ ତାଙ୍କ ହାତରେ କୌଣସି ବିଭାଗ ନ ଥିଲା। ନେହେରୁଙ୍କ ବିଶ୍ବସ୍ତ ସହଯୋଗୀ ହୋଇଥିବାରୁ ୧୯୫୯ରେ ସେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ। ସେତେବେଳେ ଦେଶ ନୂଆ ନୂଆ ସ୍ବାଧୀନ ହୋଇଥାଏ, ଲୋକେ ସଚେତନ ନ ଥାଆନ୍ତି, ଗଣମାଧ୍ୟମ ମଧ୍ୟ ଜନପ୍ରିୟ ହୋଇ ନ ଥାଏ। ତେଣୁ ଏ ଦୁର୍ନୀତି ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ବିଶେଷ ଚର୍ଚ୍ଚା ହେଲାନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button