IBN ଓଡ଼ିଶା ବ୍ୟୁରୋ

ଇତିହାସର ଆଇନାରେ: ମହାତ୍ମାଙ୍କ ନିଧନ ସେ ଦିନର ଶିରୋନାମା

ଜାନୁଆରି ୩୦, ୧୯୪୮। ସବୁଦିନ ଭଳି ସେଦିନଟି ମଧ୍ୟ ଗାନ୍ଧିଜୀଙ୍କ ପାଇଁ ବ୍ୟସ୍ତବହୁଳ ଥିଲା। ସେ ରହୁଥିବା ଦିଲ୍ଲୀର ବିର୍ଲା ହାଉସ୍‌ରେ ଲୋକଙ୍କର ଭିଡ଼ ଲାଗି ରହିଥିଲା। ମଧ୍ୟାହ୍ନରେ ଗାନ୍ଧିଜୀ ବସିଥିବା ବେଳେ ଦେଶ ବିଦେଶରୁ ତାଙ୍କୁ ଭେଟିବାକୁ ଆସିଥିବା ଲୋକଙ୍କ ଭିତରୁ ଜଣେ ସାମ୍ବାଦିକ ପଚାରିଦେଲେ, ସେ ଫେବ୍ରୁଆରି ୧ରେ ସେବାଗ୍ରାମ ଯାଉଥିବା ଖବର ସତ କି?
ଗାନ୍ଧିଜୀ ପଚାରିଲେ, ‘‘ଏକଥା କିଏ କହୁଛି?’’ ‘‘ଖବରକାଗଜରେ ତ ଏଇଆ ବାହାରିଛି,’’ ସାମ୍ବାଦିକ ଉତ୍ତର ଦେଲେ। ଗାନ୍ଧିଜୀ ପରିହାସ କରି କହିଲେ, ‘‘ହଁ, ଖବରକାଗଜଗୁଡ଼ିକ ଲେଖିଛନ୍ତି ଯେ ଗାନ୍ଧି ୧ ତାରିଖରେ ସେଠିକି ଯିବେ, କିନ୍ତୁ ସେ କୋଉ ଗାନ୍ଧି ମୁଁ ଜାଣିନି…।’’ ଶେଷରେ ତାହା ହିଁ ହେଲା। ସେବାଗ୍ରାମ ଯିବାକୁ ଗାନ୍ଧିଜୀ ଆଉ ନଥିଲେ। ସେଦିନ ସନ୍ଧ୍ୟା ୫ଟା ୧୭ରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଗାନ୍ଧିଜୀଙ୍କ ମୃତ୍ୟୁ ଖବର ବିଜୁଳି ବେଗରେ ସାରା ବିଶ୍ବରେ ବ୍ୟାପି ଯାଇଥିଲା। ଆଜିର ଇଣ୍ଟର୍‌ନେଟ୍‌ ଯୁଗରେ ଏକଥା ସାଧାରଣ ମନେ ହୋଇପାରେ, କିନ୍ତୁ ପ୍ରାୟ ୮୦ ବର୍ଷ ତଳେ, ଯେତେବେଳେ ଟେଲିଫୋନ୍ ମଧ୍ୟ ବାଳୁତ ଅବସ୍ଥାରେ ଥିଲା; ସନ୍ଧ୍ୟାବେଳେ ଘଟିଥିବା ଏ ଘଟଣା ପରଦିନ ପୃଥିବୀର ପ୍ରାୟ ସବୁ ବଡ଼ ଖବରକାଗଜର ପ୍ରଥମ ପୃଷ୍ଠାରେ ବଡ଼ ଆକାରରେ ସ୍ଥାନ ପାଇଥିଲା।
‘ଦି ନ୍ୟୁୟର୍କ ଟାଇମ୍‌ସ’ ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବରର ଶୀର୍ଷକ ଥିଲା ‘ଗାନ୍ଧି ଇଜ୍‌ କିଲ୍‌ଡ ବାଏ ଏ ହିନ୍ଦୁ, ଇଣ୍ଡିଆ ସେକେନ୍‌, ୱାର୍ଲଡ୍‌ ମୋର୍ନସ୍‌’ (ଜଣେ ହିନ୍ଦୁ ଦ୍ବାରା ଗାନ୍ଧୀ ନିହତ, ଭାରତ ବିବ୍ରତ, ବିଶ୍ବ ଶୋକାଚ୍ଛନ୍ନ)। ତା’ ସହିତ ହତ୍ୟା ପରେ ବମ୍ବେ (ମୁମ୍ବାଇ)ରେ ହୋଇଥିବା ଦଙ୍ଗାରେ ୧୫ ଜଣଙ୍କର ମୃତ୍ୟୁ ତଥା ଶାନ୍ତିରକ୍ଷା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେ‌େହରୁଙ୍କ ଆହ୍ବାନ ମଧ୍ୟ ସେଥିରେ ପ୍ରକାଶିତ ହୋଇଥିଲା।

ଘଟଣାର ସବିଶେଷ ତଥ୍ୟ ସହିତ ‘ଦି ଆଇରିସ୍ ଟାଇମ୍‌ସ୍‌’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବରରେ ତାଙ୍କୁ ‘ଅହିଂସାର ଦେବଦୂତ’ ଭାବେ ଅଭିହିତ କରାଯାଇଥିଲା। ‌ଯେଉଁ ଇଂଲଣ୍ଡର ଜଣେ ପ୍ରଧାନମନ୍ତ୍ରୀ ଗାନ୍ଧିଜୀଙ୍କୁ ଏକଦା ‘ଲଙ୍ଗଳା ଫକୀର’ ବୋଲି କହି ତାଚ୍ଛଲ୍ୟ କରିଥିଲେ, ସେଠାକାର ଅନ୍ୟତମ ଲୋକପ୍ରିୟ ଖବରକାଗଜ ‘ଦି ଡେଲି ଟେଲିଗ୍ରାଫ୍’ ଗାନ୍ଧିଜୀଙ୍କ ମୃତ୍ୟୁ ଖବରକୁ ପ୍ରଥମ ପୃଷ୍ଠାର ଅଧା ସ୍ଥାନ ଦେଇଥିଲା। ତାଙ୍କ ନିଧନ ବିଶ୍ବ ଓ ଭାରତ ପାଇଁ ଅପୂରଣୀୟ କ୍ଷତି ବୋଲି ସେଥିରେ କୁହାଯାଇଥିଲା। ‘‘ତାଙ୍କ ମୃତ୍ୟୁରେ ବିଶ୍ବର ସବୁ ଦେଶର ଲୋକେ ଶୋକ ପାଳନ କରିବେ’’ ବୋଲି ଲେଖାଯାଇଥିଲା। ଆମେରିକାର ଅନ୍ୟତମ ବଡ଼ ଖବରକାଗଜ ‘ଦି ୱାସିଂଟନ୍‌ ପୋଷ୍ଟ୍‌’ର ପ୍ରଥମ ପୃଷ୍ଠାରେ ମଧ୍ୟ ଏ ଘଟଣାକୁ ନେଇ ଏକ ଦୀର୍ଘ ଖବର ପ୍ରକାଶିତ ହୋଇଥିଲା। ସେଥିରେ ଗାନ୍ଧିଜୀଙ୍କୁ ବିଶ୍ବର ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ଓ ରାଜନୈତିକ ନେତା ଭାବେ ବର୍ଣ୍ଣନା କରାଯାଇଥିଲା।

‘ଦି ଇକୋନୋମିଷ୍ଟ୍‌’ (ସାପ୍ତାହିକ), ‘ମାୟାମି ହେରାଲ୍‌ଡ୍‌’ ଓ ‘ବ୍ରୁକ୍‌ଲିନ୍‌ ହେରାଲ୍ଡ୍‌’ ଭଳି ତତ୍କାଳୀନ ବିଶ୍ବର ଅନ୍ୟ ସବୁ ପ୍ରମୁଖ ଖବରକାଗଜ ଏହି ଘଟଣାକୁ ପ୍ରମୁଖତା ଦେଇ ପ୍ରଥମ ପୃଷ୍ଠାରେ ପ୍ରକାଶ କରିଥିଲେ। କହିବା ଅନାବଶ୍ୟକ ଯେ ହିନ୍ଦୀ ଓ ଆଞ୍ଚଳିକ ଭାଷାର ଖବରକାଗଜଗୁଡ଼ିକ ସମେତ ଭାରତରୁ ପ୍ରକାଶିତ ପ୍ରାୟ ସବୁ ଇଂରାଜୀ ଖବରକାଗଜ, ଯେପରିକି ‘ଟାଇମ୍‌ସ୍ ଅଫ୍ ଇଣ୍ଡିଆ’, ‘ହିନ୍ଦୁସ୍ଥାନ ଟାଇମ୍ସ’, ‘ଦି ଷ୍ଟେଟ୍‌ସ୍‌ମ୍ୟାନ୍’ ଓ ‘ଇଭିନିଂ ଟାଇମ୍‌ସ୍‌’ ଆଦି ଏହାକୁ ପ୍ରଥମ ପୃଷ୍ଠାରେ ବହୁ ବଡ଼ ଆକାରରେ ସ୍ଥାନ ଦେଇଥିଲେ। ଗୋଟିଏ ସୂଚନାଯୋଗ୍ୟ କଥା ହେଲା, ସେ‌ତେବେଳେ ମଧ୍ୟ ଏକ ବଡ଼ ଖବରକାଗଜ ଭାବେ ସ୍ବୀକୃତ ‘ଦି ହିନ୍ଦୁ’ରେ ଖବରଟି କିନ୍ତୁ ପ୍ରଥମ ପୃଷ୍ଠାରେ ନଥିଲା! ତେବେ ଏହା ଗାନ୍ଧିଜୀଙ୍କ ପ୍ରତି ସମ୍ମାନରେ ଊଣା କାରଣରୁ ନୁହେଁ, ‘ଦି ହିନ୍ଦୁ’ର ତତ୍କାଳୀନ ନୀତି କାରଣରୁ ଘଟିଥିଲା। ଉକ୍ତ ଖବରକାଗଜର ପ୍ରଥମ ପୃଷ୍ଠାରେ ସେତେବେଳେ କେବଳ ବିଜ୍ଞାପନ ସ୍ଥାନ ପାଇବାର ନିୟମ ଥିଲା, ଯାହାକୁ ପରେ ପରିବର୍ତ୍ତନ କରା ଯାଇଥିଲା।

ଦେଶ ବିଭାଜନ କାରଣରୁ ସଦ୍ୟ ଘଟିଥିବା ହିଂସା, ରକ୍ତପାତ ଓ ଶତ୍ରୁତା ପରେ ପରେ ପାକିସ୍ତାନର ଖବରକାଗଜଗୁଡ଼ିକ ଗାନ୍ଧିଜୀଙ୍କ ମୃତ୍ୟୁର ଖବରକୁ କେମିତି ପ୍ରକାଶ କରିଥିଲେ, ତାହା ଦେଖିବା କଥା। ଭାରତ ତଥା ବିଶ୍ବର ସମ୍ବାଦପତ୍ର ଭଳି ପାକିସ୍ତାନର ପ୍ରମୁଖ ଖବାରକାଗଜଗୁଡ଼ିକ ମଧ୍ୟ ଏହି ଖବରକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଥିଲେ ଏବଂ ଯଥାଯୋଗ୍ୟ ଶୋକ ଓ ସମ୍ମାନ ପ୍ରଦର୍ଶନ କରିଥିଲେ। କରାଚିରୁ ପ୍ରକାଶିତ ଲୋକପ୍ରିୟ ଖବରକାଗଜ ‘ଡନ୍‌’ ଲେଖିଥିଲା, ‘‘ଏମିତି ଏକ ମହାନ୍‌ ଜୀବନର ଏଭଳି ଦୁଃଖଦ ଅନ୍ତ ସାରା ପାକିସ୍ତାନର ମୁସଲ୍‌ମାନମାନଙ୍କର ମଥାକୁ ଦୁଃଖରେ ଅବନତ କରି ଦେଇଛି’’। ଲାହୋରରୁ ପ୍ରକାଶିତ ‘ପାକିସ୍ତାନ ଟାଇମ୍‌ସ’ର ଖବରଟି ଶେଷ ହୋଇଥିଲା ଏମିତି,‘‘…ଖିଲାଫତ୍‌ ଆନ୍ଦୋଳନ ସମୟରେ ଅବିଭାଜିତ ଭାରତର ହିନ୍ଦୁ ଓ ମୁସଲ୍‌ମାନ ଗାନ୍ଧିଜୀଙ୍କ ନେତୃତ୍ବରେ ରକ୍ତରେ ରକ୍ତ ମିଶାଇ ସ୍ବାଧୀନତା ପାଇଁ ଲଢ଼େଇ କରିଥିଲେ। ଆସନ୍ତୁ ଆମେ ଆଶା କରିବା ଯେ ସେମାନେ ବର୍ତ୍ତମାନ ସ୍ବାଧୀନ ଭାରତ ଓ ପାକିସ୍ତାନର ପତାକା ତଳେ ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜର ସ୍ବାଧୀନତା ରକ୍ଷା କରିବା ଲାଗି ଲୁହରେ ଲୁହ ମିଶାଇବେ…।’’

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button