IBN ଓଡ଼ିଶା ବ୍ୟୁରୋ

ଭାରତ-ଚୀନ୍ ସିଧାସଳଖ ବିମାନ ଉଡ଼ିବ: ଚଳିତ ବର୍ଷ କୈଳାସ ମାନସରୋବର, ଯାତ୍ରାୱାଙ୍ଗ୍‌ ୟି-ବିକ୍ରମ ମିସ୍ରି ଆଲୋଚନା

ବେଜିଂ/ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍‌ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ୨୦୨୦ ମସିହାରୁ ବନ୍ଦ ରହିଥିବା ସିଧାସଳଖ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହେବ। ଦୁଇ ଦିନିଆ ଚୀନ୍‌ ଗସ୍ତରେ ଥିବା ଭାରତର ବିଦେଶ ସଚିବ ବିକ୍ରମ ମିସ୍ରି ଏବଂ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୟିଙ୍କ ମଧ୍ୟରେ ହୋଇଥିବା‌ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। କରୋନା ମହାମାରୀ ପରଠାରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଥିଲା। ତେଣୁ ପ୍ରାୟ ୫ ବର୍ଷ ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ୨୦୨୦ ମସିହାରୁ ବନ୍ଦ ରହିଥିବା କୈଳାସ ମାନ‌ସରୋବର ଯାତ୍ରା ଆରମ୍ଭ କରିବା ପାଇଁ ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବ।
ବେଜିଂରେ ସୋମବାର ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟିଙ୍କର ଏକ ବୈଠକ ହୋଇଛି।

ଏଥିରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ କହିଛନ୍ତି ଯେ ଚୀନ୍ ଓ ଭାରତ ‘ସନ୍ଦେହ’ ଓ ‘ବିଚ୍ଛିନ୍ନତା’ ଅପେକ୍ଷା ‘ପାରସ୍ପରିକ ସମର୍ଥନ ଓ ପାରସ୍ପରିକ ସଫଳତା’କୁ ପ୍ରାଥମିକତା ଦେବା ଉଚିତ। ପୂର୍ବ ଲଦାଖର ଏଲ୍‌ଏସିରେ ଦୀର୍ଘ ଦିନ ଧରି ସାମରିକ ବିବାଦ ଯୋଗୁ ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା ଚାଲିଛି। ମିସ୍ରିଙ୍କ ଏହି ଗସ୍ତ ମାତ୍ର ଏକ ମାସ ମଧ୍ୟରେ ଦୁଇ ଦେଶ ଭିତରେ ଦ୍ୱିତୀୟ ହାଇପ୍ରୋଫାଇଲ୍ କାର୍ଯ୍ୟକ୍ରମ। ଗତବର୍ଷ କାଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ୍ ପରଠାରୁ ଯେଉଁ ଅଗ୍ରଗତି ଘଟିଛି ତାହା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏକ ଭିତ୍ତିଭୂମି ବୋଲି ୱାଙ୍ଗ୍ ଉଲ୍ଲେଖ କରିଛନ୍ତି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୱାଙ୍ଗ୍ କହିଛନ୍ତି, ଉଭୟ ପକ୍ଷ ଏହି ସୁଯୋଗର ଫାଇଦା ଉଠାଇବା, ପରସ୍ପରକୁ ଭେଟିବା, ଅଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏବଂ ପାରସ୍ପରିକ ବୁଝାମଣା, ପାରସ୍ପରିକ ସମର୍ଥନ ଓ ପାରସ୍ପରିକ ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ। ଚୀନ-ଭାରତ ସମ୍ପର୍କର ଉନ୍ନତି ଉଭୟ ଦେଶ ଓ ଜନସାଧାରଣଙ୍କ ମୌଳିକ ସ୍ୱାର୍ଥ ସହ ଜଡ଼ିତ ବୋଲି ସେ କହିଛନ୍ତି। ରବିବାର ବେଜିଂରେ ପହଞ୍ଚିବା ପରେ ମିସ୍ରି ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଅନ୍ତର୍ଜାତୀୟ ବିଭାଗର ମୁଖ୍ୟ ଲିଉ ଜିଆନଚାଓଙ୍କୁ ଭେଟିଥିଲେ। ଦୁଇ ଅଧିକାରୀ ସେମାନଙ୍କ ନେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବା, ଆଲୋଚନା ବୃଦ୍ଧି କରିବା ଓ ଚୀନ୍-ଭାରତ ସମ୍ପର୍କରେ ସ୍ଥିରତା ଆଣିବା ଉପରେ ମତ ବିନିମୟ କରିଥିଲେ। ସୀମା ବିବାଦର ସମାଧାନ ପାଇଁ ଚୀନ୍ ଓ ଭାରତର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ୨୩ତମ ବୈଠକ ଚାଲିଥିବା ବେଳେ ମିସ୍ରିଙ୍କ ବେଜିଂ ଗସ୍ତ ଏପରି ଅଗ୍ରଗତି ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button