ମହାକୁମ୍ଭ ଦଳାଚକଟା ପରେ ବଡ଼ ପରିବର୍ତ୍ତନ: ଭିଭିଆଇପି ପାସ୍ ବାତିଲ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭର ସଙ୍ଗମ ଅଞ୍ଚଳରେ ବୁଧବାର ଭୋର ସମୟରେ ଘଟିଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ସହ ୬୦ ଜଣ ଆହତ ହେବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଆଗକୁ ଏଭଳି ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ମେଳା ଅଞ୍ଚଳକୁ ‘ଯାନବାହନ ନିଷିଦ୍ଧ ଜୋନ୍’ ଘୋଷଣା କରିବା ସହ ପ୍ରଶାସନ ପକ୍ଷରୁ କେତେକ ବଡ଼ ପରିବର୍ତ୍ତନ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ଆଇଏଏସ୍ ଅଧିକାରୀ ଆଶିଷ ଗୋୟଲ ଓ ଭାନୁ ଗୋସ୍ୱାମୀଙ୍କୁ ତୁରନ୍ତ ପ୍ରୟାଗରାଜରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜୟ କିରଣଙ୍କ ସହ ମିଶି ୨୦୧୯ ଅର୍ଦ୍ଧକୁମ୍ଭକୁ ସଫଳତାର ସହ ପରିଚାଳନା କରିବାରେ ଉଭୟ ଅମଲା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହି ସମୟରେ ଭାନୁ ଗୋସ୍ୱାମୀ କୁମ୍ଭମେଳା ପ୍ରାଧିକରଣର ଜିଲ୍ଲାପାଳ ଓ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ବେଳେ ଆଶିଷ ଗୋୟଲ ଆହ୍ଲାବାଦର କମିସନର ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ମହାକୁମ୍ଭ କାର୍ଯ୍ୟରେ ସହଯୋଗ କରିବା ପାଇଁ ବଡ଼ ଧରଣର କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବ ଅଭିଜ୍ଞତା ଥିବା ୫ ଜଣ ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
ଯାନବାହନ ନିଷିଦ୍ଧ ଜୋନ୍: ମହାକୁମ୍ଭ ମେଳା ଅଞ୍ଚଳରେ ସମସ୍ତ ପ୍ରକାର ଯାନବାହନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
ଭିଭିଆଇପି ପାସ୍ ବାତିଲ: କୌଣସି ବ୍ୟତିକ୍ରମ ଛଡ଼ା ସ୍ବତନ୍ତ୍ର ବା ଭିଭିଆଇପି ପାସ୍ ଦ୍ବାରା କୌଣସି ଗାଡ଼ି ଭିତରକୁ ପ୍ରବେଶ କରିପାରିବ ନାହିଁ।
ଏକତରଫା ମାର୍ଗ: ଶ୍ରଦ୍ଧାଳୁଙ୍କ ଯାତାୟାତକୁ ଶୃଙ୍ଖଳିତ କରିବା ପାଇଁ ଏକତରଫା ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯାଇଛି।
ଫେବ୍ରୁଆରି ୪ ପର୍ଯ୍ୟନ୍ତ କଡ଼ା କଟକଣା: ଶୃଙ୍ଖଳା ବଜାୟ ରଖିବା ପାଇଁ ଫେବ୍ରୁଆରି ୪ ପର୍ଯ୍ୟନ୍ତ ସହରକୁ ଚାରି ଚକିଆ ଯାନ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।
ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଅନ୍ତର୍ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକାଧିକ ଗାଇଡ୍ଲାଇନ୍ ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ମହାକୁମ୍ଭ ବ୍ୟବସ୍ଥାର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟା ଘଟଣାର କାରଣ ଅନୁସନ୍ଧାନ ପାଇଁ ୩ ଜଣିଆ ବିଚାରବିଭାଗୀୟ କମିସନ ନିଯୁକ୍ତ ହୋଇଛନ୍ତି। ଏହି କମିଟିରେ ଜଷ୍ଟିସ ହର୍ଷ କୁମାର, ପୂର୍ବତନ ମହାନିର୍ଦ୍ଦେଶକ ଭିକେ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭିକେ ସିଂହ ରହିଛନ୍ତି। ଏଥି ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମହାକୁମ୍ଭ, ୩୦/୧: ଜାନୁଆରି ୨୮ ତାରିଖ ବିଳମ୍ବିତ ରାତିରେ ପ୍ରୟାଗରାଜର ସଙ୍ଗମ ଅଞ୍ଚଳରେ ଦଳାଚକଟା ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୩୫ରୁ ୪୦ ବୋଲି କୁହାଯାଉଛି। ଏହି ମୃତ୍ୟୁ ପାଇଁ କିଏ ଦାୟୀ ତାହା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆସନ୍ତୁ ଜାଣିବା ମହାକୁମ୍ଭରେ ହୋଇଥିବା ଦଳାଚକଟାର ପୂରା କାହାଣୀ। କୌଣସି ଗୋଟିଏ ଭୁଲ ଯୋଗୁଁ ନୁହେଁ ବରଂ ପୂର୍ବ ଦୁଇ ଦିନ ଧରି ଚାଲିଥିବା ଅନେକ ଭୁଲର ପରିଣାମ ଏହି ଦଳାଚକଟା ବୋଲି ଜଣାପଡିଛି। ବର୍ଷତମାମ ପ୍ରସ୍ତୁତି ଓ ୭,୫୩୫ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ମହାକୁମ୍ଭ ବ୍ୟବସ୍ଥାରେ ଥିବା ତ୍ରୁଟି ପଦାକୁ ଆସିଛି। ୫ ଜଣ ଅଧିକାରୀଙ୍କ ଅବହେଳା ଦୁର୍ଘଟଣା ପାଇଁ ଦାୟୀ ବୋଲି କୁହାଯାଉଛି। ଏଥିପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି। ତେବେ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଏହି ଦୁର୍ଘଟଣା ପାଇଁ ପ୍ରକୃତରେ କିଏ ଦାୟୀ ତାହା ସ୍ପଷ୍ଟ ହେବ।
ଜଣେ ପୋଲ ବନ୍ଦ କଲେ, ଜଣେ ଭିଡ଼ ବଢ଼ିବାକୁ ଦେଲେ
ଜଣେ କହିଲେ- ଉଠ, ଅମୃତ ସ୍ନାନ କର, ନ ହେଲେ ବଞ୍ଚିତ ହେବ
ଜାନୁଆରି ୨୯ରେ ମୌନୀ ଅମାବାସ୍ୟା ଯୋଗୁଁ ପ୍ରାୟ ୧.୬ କୋଟି ଲୋକ ମେଳାରେ ପହଞ୍ଚି ସାରିଥିଲେ। ଏହି ସମୟରେ ମେଳା ଅଧିକାରୀ ବିଜୟ କିରଣ ଆନନ୍ଦ ହଠାତ୍ ଏକ ୱେୟାରଲେସ୍ ମେସେଜ୍ ପଠାଇ ପାଣ୍ଟୁନ୍ ବ୍ରିଜ୍ ନମ୍ବର ୭କୁ ବନ୍ଦ କରିଦେଇଥିଲେ। ଏହା ହିଁ ଏହି ଦଳାଚକଟାର ପ୍ରଥମ କାରଣ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଦଳାଚକଟାର ୧୭ ଘଣ୍ଟା ପରେ ମଧ୍ୟ ମେଳା ପ୍ରଶାସନ ପକ୍ଷରୁ କେତେ ଲୋକଙ୍କ ମୃତ୍ୟୁ ଘଟିଛି ସେ ନେଇ ମଧ୍ୟ ସୂଚନା ଦିଆଯାଇ ନ ଥିଲା। ୭ ନମ୍ବର ବ୍ରିଜ୍ ବନ୍ଦ କରିବା ପରେ ପ୍ରଶାସନ ୫ ଘଣ୍ଟା ଧରି ଭିଡ଼କୁ ଅଟକାଇଥିଲା। ଅପେକ୍ଷା କରିଥିବା ଲୋକଙ୍କ ଧୈର୍ଯ୍ୟ ଭାଙ୍ଗି ଯାଇଥିଲା। ଲୋକେ ରାଗି ଯାଇଥିଲେ। ଏସ୍ଡିଏମ୍ ସଦରଙ୍କ ଗାଡି ପାଇଁ ପୋଲ ଖୋଲାଯାଇଥିବା ଦେଖି ଲୋକେ ଉତ୍ତ୍ୟକ୍ତ ହୋଇପଡିଥିଲେ। ଅଧିକାରୀଙ୍କ ସହ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।