ପରିଚାଳନା ଦାୟିତ୍ବ ବି ବାହାର ସଂସ୍ଥାକୁ: ଯାଉନି ବାହାର ରାଜ୍ୟ ସଂସ୍ଥା ପ୍ରୀତି – Ibnodisha
[ad_1]
ନେତାଜୀ ବସ୍ ଟର୍ମିନାଲ୍ରେ କଟକ ସ୍ବାର୍ଥକୁ ବଳି, ଜଣେ ବି କଟକିଆ ପାଇ ନାହାନ୍ତି ନିଯୁକ୍ତି ସୁଯୋଗ
କଟକ: ୮୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନ୍ବିଟି)ର ନିର୍ମାଣ କାର୍ଯ୍ୟ କରିଛି ତାମିଲନାଡୁର ଏକ ସଂସ୍ଥା। ମହାରାଷ୍ଟ୍ରର ସଂସ୍ଥା ଭାରତ ବିକାଶ ଗ୍ରୁପ୍ (ବିଭିଜି)କୁ ଦିଆଯାଇଛି ସିଏନ୍ବିଟିର ପରିଚାଳନା ଦାୟିତ୍ବ। ଏହି ସଂସ୍ଥା ବର୍ଷକୁ ୨ଶହ କୋଟିରୁ ଅଧିକ ଟଙ୍କା ନେବ। ବସ ଷ୍ଟାଣ୍ଡର ପରିମଳ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଆଟେଣ୍ଡାଣ୍ଟ ଓ କର୍ମଚାରୀଙ୍କୁ ନିୟୋଜନ କରିବ। କିନ୍ତୁ କଟକରେ ହେଉଥିବା ଏହି ପ୍ରକଳ୍ପରେ କଟକବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ କି କୌଣସି ପ୍ରକାର କାମ କରିବାର ବି ସୁବିଧା ନାହିଁ। ଏଭଳି ଢଙ୍ଗରେ ବାହାର ରାଜ୍ୟର ସଂସ୍ଥାଙ୍କ ହାତକୁ କାହା ସ୍ବାର୍ଥରେ ସବୁକିଛି ଟେକି ଦିଆଯାଉଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। କଟକବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି ଜିଦ୍ ଆଉ ମନମାନିରେ ସିଏନ୍ବିଟିକୁ ତୁରନ୍ତ ଉଦ୍ଘାଟନ କରାଇ ନେବାର ଯୋଜନାକୁ ନେଇ ବିଭିନ୍ନ ମହଲରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସବୁଠୁ ଉଦ୍ବେଗଜନକ ଘଟଣା ହେଉଛି ଯେ କଟକ ସହର ମଝିରେ ମୁଣ୍ଡ ଟେକିଥିବା ସିଏନ୍ବିଟିରେ ସଫେଇ, ସୁରକ୍ଷା ଆଉ ଆଟେଣ୍ଡାଣ୍ଟ ଭଳି କାମ ବି କଟକିଆଙ୍କ ପାଇଁ ନାହିଁ। ବାହାରୁ ଆସି ଲୋକ ଏସବୁ କାମ କରିବେ। ସିଏନବିଟିର ଏହି ଦାୟିତ୍ବ ଦେବା ପାଇଁ ଟେଣ୍ଡର କେବେ ଆଉ କେଉଁଠି ପ୍ରକାଶ ପାଇଲା, ତାର ସୂଚନା କାହା ପାଖରେ ନଥିଲେ ବି କର୍ତ୍ତୃପକ୍ଷ ମହାରାଷ୍ଟ୍ର (ପୁନେ-ମୁମ୍ବାଇ ରୋଡ୍ରେ ଥିବା)ର ଭାରତ ବିକାଶ ଗ୍ରୁପ୍ (ବିଭିଜି) ନାମକ ଏକ ସଂସ୍ଥାକୁ ବସ୍ ଷ୍ଟାଣ୍ଡ ପରିଚାଳନା ଦାୟିତ୍ବ ଟେକି ଦେଇଛନ୍ତି। ବର୍ଷକୁ ୨ଶହ କୋଟିରୁ ଅଧିକ ଟଙ୍କା ଏହି ସଂସ୍ଥା ନେବ ବସ ଷ୍ଟାଣ୍ଡର ପରିଚାଳନା ପାଇଁ। ଚେନ୍ନାଇ, ବାଙ୍ଗାଲୁରୁ, ଗୁଜୁରାଟ ଓ ନୂଆଦିଲ୍ଲୀରେ ଏହି ସଂସ୍ଥାର ଆଞ୍ଚଳିକ ଅଫିସ ରହିଛି। କିନ୍ତୁ ଏହି ସଂସ୍ଥା ଏବେ ସିଏନ୍ବିଟି ପରିଚାଳନା ପାଇଁ କର୍ମଚାରୀ ନିୟୋଜନ କରି ସାରିଥିଲେ ବି ସେଥିରେ କଟକ ସହରର କୌଣସି ଲୋକ କାମ କରିବାର ସୁଯୋଗ ପାଇ ପାରି ନାହାନ୍ତି। ଏହାକୁ ନେଇ ସହରରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହିତ ବିଜେଡିର ନେତା ଓ ବିଧାୟକମାନେ ବି ଅକଳରେ ପଡ଼ିଛନ୍ତି। ଦୁଇ ଦିନ ହେଲାଣି ଚୌଦ୍ବାର-କଟକ ଓ ବାରବାଟୀ-କଟକ ଅଞ୍ଚଳର ଲୋକ ଏହି ନିଯୁକ୍ତି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପଟେ ବାଦାମବାଡିରେ ଥିବା ପୁରୀ, ଭୁବନେଶ୍ବର, ପାରାଦୀପ, ଅନୁଗୁଳ ଓ ପୁରୁଣା ବସ୍ ଷ୍ଟାଣ୍ଡ ସଂପୂର୍ଣ୍ଣ ଭାବେ ସିଏନବିଟିକୁ ସ୍ଥାନାନ୍ତର ହେଉଥିବା ବେଳେ ଏହି ବସ୍ ଷ୍ଟାଣ୍ଡ ଗୁଡ଼ିକରେ ବର୍ଷ ବର୍ଷ ଧରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇ ଆସୁଥିବା ବ୍ୟବସାୟୀଙ୍କୁ ବି ସିଏନବିଟିରେ ବ୍ୟବସାୟ କରିବାର କୌଣସି ସୁଯୋଗ ଦିଆଯାଇ ନାହିଁ। କଟକ ସହରରେ ହେଉଥିବା ଏହି ନୂଆ ବସ୍ ଷ୍ଟାଣ୍ଡ ସହରବାସୀଙ୍କ ଗୁଜରାଣ ମାରି ବାହାର ଲୋକଙ୍କୁ କର୍ମସଂସ୍ଥାନ ଦେବାକୁ ଉଦ୍ଦିଷ୍ଟ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଆଉ ମାତ୍ର ୪ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ ବୋଲି ଘୋଷଣା କରାଯାଇଛି। କିନ୍ତୁ ବସ୍ ଷ୍ଟାଣ୍ଡକୁ ବସ୍ର ପ୍ରବେଶ ଓ ବସ୍ ଷ୍ଟାଣ୍ଡରୁ ବାହାରି ବିଭିନ୍ନ ସ୍ଥାନକୁ ଯିବା ପାଇଁ ଯେଉଁ ରାସ୍ତାରେ ଯିବ, ତାହାକୁ ନେଇ କୌଣସି ପ୍ରକାର ପ୍ରସ୍ତୁତି ହୋଇନାହିଁ। ଫଳରେ କଟକସହରବାସୀ ଗୁରୁତର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଥିଲେ ବି ଏଥିପାଇଁ ଭିତ୍ତିଭୂମି ନିର୍ମାଣ ସଂପୂର୍ଣ୍ଣ ହେବାକୁ ଅପେକ୍ଷା ନ କରି ତୁରନ୍ତ ବସ୍ ଷ୍ଟାଣ୍ଡକୁ ଉଦଘାଟନ କରି ଦେବା ପଛରେ କି ରହସ୍ୟ ରହିଛି, ତାହା ବୁଝା ପଡୁ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଆଜିଠାରୁ ନୂଆ ବସ ଷ୍ଟାଣ୍ଡରୁ ବସ୍ ଚଳାଚଳ ଅଭ୍ୟାସମୂଳକ ଭାବେ ଆରମ୍ଭ କରିବାକୁ ଯୋଜନା ରହିଥିଲେ ବି ତାହାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଛି। ଏଥିରୁ ବସ୍ ଷ୍ଟାଣ୍ଡର ଭିତ୍ତିଭୂମି ସଂପୂର୍ଣ୍ଣ ହୋଇ ପାରି ନଥିବାର ପ୍ରମାଣ ମିଳୁଛି।
କଟକ ସହରବାସୀଙ୍କୁ ଗୁରୁତର ଟ୍ରାଫିକ ସମସ୍ୟା ଭିତରକୁ ଠେଲି ଦେବା, ସହରବାସୀଙ୍କ ପେଟରେ ଲାତ ଦେଇ ବାହାର ଲୋକଙ୍କୁ ଆଣି ଥଇଥାନ କରିବା, ସଂପୂର୍ଣ୍ଣ ଭିତ୍ତିଭୂମିକୁ ପ୍ରସ୍ତୁତ ନ କରି ତାମିଲ ଠିକାସଂସ୍ଥା ଦ୍ବାରା ନିର୍ମିତ ବସ୍ ଷ୍ଟାଣ୍ଡକୁ ତରବରିଆ ଭାବେ ଉଦଘାଟନ କରାଇ ନେବାକୁ ଯୋଜନା କରିବା ଏବଂ କଟକର ପରିବେଶ, ଐତିହ୍ୟ, ସଂସ୍କୃତି ସହ ଜଡିତ କାଠଯୋଡ଼ିକୁ ମାରି ଦେବାକୁ ବି ନ ପଛାଇବା ପଛରେ ପ୍ରଶାସନିକ ଚଞ୍ଚକତା ଓ ଲୋକପ୍ରତିନିଧିଙ୍କ ନିଷ୍କ୍ରିୟତାକୁ ଏବେ ଦାୟୀ କରାଯାଉଛି। ବସ୍ ଷ୍ଟାଣ୍ଡ ନିର୍ମାଣ ଆରମ୍ଭ ସମୟରେ ଗୋଟିଏ ପଟେ ସିଡିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅନିଲ ସାମଲ ଓ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ପରିବର୍ତ୍ତିତ ସ୍ଥିତିରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ଭୂମିକା ଗୌଣ ହୋଇ ଏବେ ସିଡିଏର ଉପାଧ୍ୟକ୍ଷ ତଥା ସିଏମସି କମିସନର ନିଖିଲ ପୱନ କଲ୍ୟାଣ ନିଷ୍ପତ୍ତି ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ କଟକ ସହରବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସିଏନ୍ବିଟି ଉଦ୍ଘାଟନ ଜରିଆରେ କାହା ସ୍ବାର୍ଥ ସାଧନ ହେଉଛି, ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।
[ad_2]