ରାଜ୍ୟ

ବୈତରଣୀ ନଦୀବନ୍ଧ ଧସିବା ପ୍ରସଙ୍ଗ: ଭିନ୍ନ ଇସାରା ଦେଉଛି ମନ୍ତ୍ରୀ ଓ ଯନ୍ତ୍ରୀଙ୍କ ନିରବତା – Ibnodisha

[ad_1]

ପ୍ରଦୀପ କୁମାର ମହାପାତ୍ର
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅଞ୍ଚଳରେ ଧସିଲା ବୈତରଣୀ ନଦୀବନ୍ଧ। ଯନ୍ତ୍ରୀ ଦେଖିଲେ, ମନ୍ତ୍ରୀ ବି ଦେଖିଲେ। ବାଲିବସ୍ତା ପକାଇଲେ, ପାଲ ଢାଙ୍କିଦେଲେ। କାର୍ଯ୍ୟାନୁଷ୍ଠାନ ସେତିକିରେ ସୀମିତ ରହିଲା। ନିମ୍ନମାନର କାମ ପାଇଁ ବନ୍ଧ ଭୁଶୁଡୁଥିବା ନେଇ ଲୋକେ ଅସନ୍ତୋଷ ଜାହିର କଲେ ବି ସରକାର ଚୁପ୍ ରହିଲେ। କଂଗ୍ରେସ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କଲା। ରାଜସ୍ବ ମନ୍ତ୍ରୀ ସବୁଦେଖି ଚୁପ୍ ରହିବାରୁ ପ୍ରଶାସନିକ ଅଧିକାରୀ ଅକଳରେ ପଡ଼ିଲେ। ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଯାଜପୁର ଜଳସଂପଦ ଡିଭିଜନ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ କାମ ସାରିଦେଲେ। ବନ୍ଧ ଭୁଶୁଡ଼ିବା ନେଇ ବିଭିନ୍ନ ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଯନ୍ତ୍ରୀଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଚୁପ୍ ରହିବା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

୨୦୧୪ ଜୁଲାଇ ୨୨ତାରିଖ ବୈତରଣୀ ବନ୍ୟାରେ ବନ୍ଧ ଧସିବା ସହ ପାଟପୁର ନିକଟରେ ୨ହଜାର ଫୁଟର ଘାଇ ହୋଇଥିଲା। ସୁନ୍ଦରାହିମୁହଁ ଠାରୁ କୟାଁଗୋଲା ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢ଼ୀକରଣ ଆଳରେ ପ୍ରାୟ ପ୍ରତିବର୍ଷ କାମ ହେଉଛି। ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଜଣାପଡ଼ି ନଥିଲେ ମଧ୍ୟ ପ୍ରାୟ ୧୫୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ବ୍ଲକ୍‌ର ଅର୍ଦ୍ଧାଧିକ ଅଞ୍ଚଳ ଯାଜପୁର ନିର୍ବାଚନମଣ୍ଡଳୀରେ ଯାଉଥିବା ବେଳେ ଆଉ କିଛି ଅଞ୍ଚଳ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଯାଉଛି। ଦ୍ବିତୀୟ କ୍ଷମତାକେନ୍ଦ୍ର ରୂପେ ଗଣା ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁରକ୍ଷା ପ୍ରସଙ୍ଗକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଥିବା କମାରଡିହି ପଞ୍ଚାୟତର ବଳରାମପୁର ଠାରେ ଅଗଷ୍ଟ ମାସରେ ନଦୀବନ୍ଧ ଧସିଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ କାହିଁକି ହେଲାନି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଲୋକଙ୍କ ଅସନ୍ତୋଷକୁ ଚାପିବା ପାଇଁ ରାଜସ୍ବ ମନ୍ତ୍ରୀ ସେହି ସ୍ଥାନକୁ ଯାଇ ଅନୁଧ୍ୟାନ କରି ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଲେ। ଅଥଚ କିଛି ହେଲାନି।

କମାରଡିହି ପଞ୍ଚାୟତର ବଳରାମପୁର ନିକଟରେ ନଦୀବନ୍ଧ ଦୁଇଥର ଧସି ପ୍ରାୟ ୮୦ ପ୍ରତିଶତ ନଷ୍ଟ ହୋଇଯାଇଛି। ବର୍ଷା ହେଲେ ବଳରାମପୁର, ଇଚ୍ଛାପୁର, ଗୁଣ୍ଠୁଣିପଡ଼ା ଓ ଲକ୍ଷ୍ମୀପୁର ପ୍ରଭୃତି ପଞ୍ଚାୟତର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଉଛି। ସହକାରୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତି କହନ୍ତି, ନଦୀବନ୍ଧର ନିମ୍ନଭାଗରେ ଥିବା ମାଟି ଜୁଆର ସଂସ୍ପର୍ଶରେ ଆସି ଦବି ଯିବାରୁ ବନ୍ଧ ଧସୁଛି। ୨୦୨୨-୨୩ ବର୍ଷରେ ମଧ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଠିକାଦାର ଅନ୍ୟ ଜାଗାରୁ ମାଟି ଆଣି ପକାଇବା ବଦଳରେ ନିକଟରେ ଥିବା ଏକ ଟାପୁରୁ ମାଟି ତାଡ଼ିଲେ। ଯେଉଁ ଟାପୁରୁ ମାଟି ତଡ଼ାଗଲା ସେହି ଅଞ୍ଚଳ ପୂର୍ବରୁ ବୈତରଣୀର ସ୍ରୋତକୁ କିଛିଟା ନିୟନ୍ତ୍ରଣ କରୁଥିଲା। ପାଣି ନଦୀବନ୍ଧକୁ ସିଧା ମାଡ଼ ହେଉ ନଥିଲା ଏବଂ ବନ୍ଧ ସୁରକ୍ଷିତ ରହୁଥିଲା। ଟାପୁରୁ ମାଟି ତାଡ଼ି ବନ୍ଧରେ ପକାଯିବାରୁ ଧସିଲା ବୋଲି କୁହାଯାଉଛି। କେବଳ ଯେ ବଳରାମପୁରରେ ବନ୍ଧ ଧସିଛି ତାହାନୁହେଁ; ଅଗଷ୍ଟ ପହିଲାରେ ଦତ୍ତପୁର ତାରିଣୀ ମନ୍ଦିର ନିକଟରେ ୧୦୦ ଫୁଟର ନଦୀବନ୍ଧ ଧସିଥିଲା। ଏଥିଯୋଗୁଁ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେଉଥିବା ବେଳେ ସମସ୍ତେ ମୁହଁରେ ତୁଣ୍ଡି ବାନ୍ଧି ରହିବା ଭିନ୍ନ ଇସାରା ଦେଉଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button