ରାଜ୍ୟ

‘ସମ୍ବାଦ’ ଜୋନ୍‌ସ୍ତରୀୟ ପ୍ରତିଯୋଗିତା: ବିତର୍କରେ ସଂଗୀତା, ସାରେଗାମାରେ ସତ୍ୟବ୍ରତ ପ୍ରଥମ – Ibnodisha

[ad_1]

ବାଲେଶ୍ବର: ‘ସମ୍ବାଦ’ର ୪୦ତମ ସ୍ବନକ୍ଷତ୍ର ଅବ୍ୟବହିତ ପୂର୍ବରୁ ଅାଜି ବାଲେଶ୍ବର ସମ୍ବାଦ ଭବନରେ ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ‘ଇଣ୍ଡିଆ ଶବ୍ଦକୁ ବାଦ୍‌ ଦେଇ ଆମ ଦେଶର ନାମ କେବଳ ଭାରତ ରହିବା ଉଚିତ’ ବିଷୟବସ୍ତୁ ଉପରେ ହୋଇଥିବା ବିତର୍କ ପ୍ରତିଯୋଗିତାରେ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ରେମୁଣା ଡିଗ୍ରି ମହାବିଦ୍ୟାଳୟର ସଙ୍ଗୀତା ମହାନ୍ତି ପ୍ରଥମ ହୋଇଥିବା ବେଳେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ଅପର୍ଣ୍ଣା ସିଂ ଦ୍ବିତୀୟ ଓ ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଶିବୁ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ‘ସମ୍ବାଦ’ ଉତ୍ତରଓଡ଼ିଶା ସଂସ୍କରଣର ସହକାରୀ ମହାପ୍ରବନ୍ଧକ ଗୌତମଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷାସାହିତ୍ୟ ବିଭାଗର ମୁଖ୍ୟ ଡ. ଦେବାଶିଷ ପାତ୍ର, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ରବିନାରାୟଣ ଦାଶ ଯୋଗ ଦେଇଥିଲେ। ଜୋନ୍‌ସ୍ତରରେ ଶ୍ରେଷ୍ଠ ବିବେଚିତ ୩ ଜଣ ପ୍ରତିଯୋଗୀଙ୍କୁ ବିଚାରକମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ସେହିପରି ସାରେଗାମା ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ସତ୍ୟବ୍ରତ ଜେନା ପ୍ରଥମ ହୋଇଥିବା ବେଳେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ବରର ଛାତ୍ର ଲେଖକ ଦାସ ଦ୍ବିତୀୟ ଓ କେନ୍ଦ୍ରୀୟ ବିଦ୍ୟାଳୟ-୧ ବାଲେଶ୍ବରର ଛାତ୍ରୀ ଶ୍ବେତାଲିସା ଶୁଭଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାରେଗାମା ପ୍ରତିଯୋଗିତାରେ ବିଚାରକ ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ, ପ୍ରଚ୍ଛଦପଟ ଚଳଚ୍ଚିତ୍ର ଗାୟକ ତଥା ‘ଆମରି ସ୍ବର’ ବିଜେତା ସୁଜିତ ଭୋଇ ଓ କଣ୍ଠଶିଳ୍ପୀ ମୌସୁମୀ ଦାସମହାପାତ୍ର ଯୋଗ ଦେଇଥିଲେ। ବିଚାରକମାନେ ପ୍ରତିଯୋଗୀଙ୍କ ଦ୍ବାରା ପରିବେଷଣ କରାଯାଇଥିବା ସଂଗୀତର ପ୍ରଶଂସା କରିବା ସହ ଗୀତ ପରିବେଷଣର ବିଭିନ୍ନ ‌କୌଶଳ ଉପରେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସଂସ୍କରଣ ମୁଖ୍ୟ ଶ୍ରୀ ସ୍ବାଇଁ କୃତୀ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଯେଉଁ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇ ପାରିନାହାନ୍ତି ସେମାନଙ୍କୁ ଏହି ପ୍ରତିଯୋଗିତା ସଫଳତାର ମାର୍ଗ ପ୍ରଶସ୍ତ କରିବ ବୋଲି କହିଥିଲେ। ବିଚାରକମାନଙ୍କ ତରଫରୁ ସମସ୍ତଙ୍କ ପ୍ରତିଯୋଗୀଙ୍କ ଉଜ୍ଜ୍ବଳ ଭବିଷ୍ୟତା କାମନା କରାଯିବା ସହିତ କୃତୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା​ରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ରାଶି ଦିଆଯାଇଥିଲା। କନକ ନ୍ୟୁଜ୍‌ର ବ୍ୟୁରୋ ଚିଫ୍‌ ସୁମନା ପରିଡ଼ା, ‘ସମ୍ବାଦ’ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ, ସହସମ୍ପାଦକ ରୁଦ୍ରରଂଜନ ଶେଜପଡ଼ା, ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ ରାଉଳଙ୍କ ସମେତ ସମ୍ବାଦ ଓ କନକ ନ୍ୟୁଜ୍‌ର କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସଂଗୀତ ରିୟାଜ୍‌’ର ଭାସ୍କର ସାହୁ, ଶୁଭମ୍‌ କୁମାର ଜେନା, ମନୋରଞ୍ଜନ ପ୍ରଧାନ, ରାକେଶ କୁମାର ସାହୁ, ଲିଙ୍କନ ବାଗ, ମନୋରଞ୍ଜନ ଜେନା, ଦୀପକ କୁମାର ନାୟକ ପ୍ରମୁଖ ସାଉଣ୍ଡ ଓ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button