Delhi Gangrape : ଦିଲ୍ଲୀରେ ପୁଣି ନିର୍ଭୟା କାଣ୍ଡ, ଡ୍ରାଇଭର-କଣ୍ଡକ୍ଟର ଗିରଫ

ପୁଣି ଦିଲ୍ଲୀରେ ନିର୍ଭୟା କାଣ୍ଡ । ଏକ ସ୍ଲିପର ବସରେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ଦିଲ୍ଲୀ ପୋଲିସ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଗିରଫ କରିଛି । ଘଟଣାଟି ଅଗଷ୍ଟ ୪ ତାରିଖ ରାତିରେ ଘଟିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ବାସିନ୍ଦା ଏବଂ ସେ ଏକାଦଶ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି ।
ପୋଲିସ କହିବା ଅନୁସାରେ, ଛାତ୍ରୀ ଜଣକ ଘର ଲୋକଙ୍କୁ ନ ଜଣାଇ ନୋଏଡାରେ ରହୁଥିବା ଜଣେ ସଂପର୍କୀୟ ଭାଇଙ୍କ ଘରକୁ ଯାଉଥିଲେ । ପ୍ରବଳ ବର୍ଷା ଓ ଅନ୍ଧାର ଯୋଗୁଁ ସେ ଭୁଲବଶତଃ ପରୀ ଚୌକରେ ଓହ୍ଲାଇଥିଲେ । ଏହି ସମୟରେ ଏକ ଖାଲି ସ୍ଲିପର ବସ୍ ଯାଉଥିବା ବେଳେ ଛାତ୍ରୀ ବସକୁ ଅଟକାଇବା ପାଇଁ ସଙ୍କେତ ଦେବା ପରେ ବସ୍ ଅଟକିଥିଲା । ଅଭିଯୋଗ ଅନୁସାରେ, ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ସେକ୍ଟର-୬୩ ଯିବା କଥା କହି ବସରେ ବସାଇଥିଲେ । ପରେ ଚଳନ୍ତା ବସରେ ଏଭଳି କାଣ୍ଡ ଭିଆଇଥିଲେ ।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ରାତିରେ କଶ୍ମୀରୀ ଗେଟ୍ ବସ୍ ଅଡ୍ଡା ନିକଟ ରିଙ୍ଗ୍ ରୋଡରେ ଛାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ଏହାପରେ ଛାତ୍ରୀ ଜଣକ କଶ୍ମୀରୀ ଗେଟ୍ ଥାନାରେ ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୋଲିସ ତଦନ୍ତ କରି ତିମାରପୁରର ଏକ ବସ୍ ପାର୍କିଂରୁ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଘଟଣାରେ ବ୍ୟବହୃତ ସ୍ଲିପର ବସ୍କୁ ମଧ୍ୟ ପୋଲିସ ଜବତ କରିଛି । ବସ୍ର ଫରେନ୍ସିକ୍ ଯାଞ୍ଚ କରାଯାଉଛି ।
ପୋଲିସ କହିବା ମୁତାକ, ବସ୍ ଖରାପ ହୋଇଥିବା ଯୋଗୁଁ ଅଭିଯୁକ୍ତ ବସକୁ ସୁରଜପୁର ୱାର୍କସପରୁ ରିପାରିଂ କରି ନେଇ ଯାଇଥିଲେ । ବସ ସଜାଡିବା ପରେ ଡ୍ରାଇଭର ଏବଂ କଣ୍ଡକ୍ଟର ଖାଲି ବସକୁ ନେଇ ତିମାରପୁର ଯାଉଥିଲେ । ଏହି ସମୟରେ ପରୀ ଛକରେ ଛାତ୍ରୀ ଜଣକ ବସ୍ ଅଟକାଇଥିଲେ । ପରୀ ଛକ ଠାରୁ କଶ୍ମୀରୀ ଗେଟ୍ ପ୍ରାୟ ୪୭ କିମି ବସ୍ ଯାଇଥିଲା । ବସରେ ପରଦା ମଧ୍ୟ ଲାଗିଥିଲା । ତେଣୁ ବାହାର ଲୋକ କେହି କିଛି ଦେଖିବା ସମ୍ଭବ ହୋଇନଥିଲା । ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି ଏବଂ ଘଟଣା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି ।




