‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ବିଶ୍ବ ହୃଦୟ ଦିବସରେ ୱାକାଥନ୍: ‘ହୃଦୟ ସୁସ୍ଥ ଥିଲେ ସବୁ ଠିକ୍ ଚାଲେ’ – Ibnodisha

[ad_1]

ଭୁବନେଶ୍ବର: ହୃଦୟ ସୁସ୍ଥ ଥିଲେ ସବୁ ଠିକ୍ ଚାଲେ। ପ୍ରେମର ସଙ୍କେତ ଭାବେ ହୃଦୟକୁ ବିବେଚନା କରାଯାଏ। ହୃଦୟକୁ ଖାଲି ଭଲ ପାଇଲେ ହେବନି, ବରଂ ଏହା କିଭଳି ସୁସ୍ଥ ରହିବ ଓ ସବୁ କିଛି ଠିକ୍ ଚାଲିବ ତାହା ପ୍ରତି ଯତ୍ନବାନ ହେବା ଜରୁରୀ। ‘ସମ୍ବାଦ ଗ୍ରୁପ’ ପକ୍ଷରୁ ବିଶ୍ୱ ହୃଦୟ ଦିବସ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ-୧ ପରିସରରେ ଆୟୋଜିତ ୱାକାଥନ୍ରେ ଯୋଗ ଦେଇ ଏଭଳି କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ହୃଦୟକୁ ଭଲ ପାଇବାର ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ଏତେ ସକାଳୁ ଆପଣମାନେ ଏତେ ମାତ୍ରାରେ ଏଠାରେ ଏକାଠି ହେବା ପ୍ରମାଣିତ କରିଛି ଯେ, ଆପଣମାନେ ହୃଦୟକୁ କେତେ ଭଲ ପାଆନ୍ତି। କିନ୍ତୁ ଏହାକୁ ସୁସ୍ଥ ରଖିବାକୁ ଖାଦ୍ୟରେ ସଂଯମତା ରଖିବାକୁ ହେବ। ତେଲ, ମସଲା ଓ ଚିନି ଭଳି କେତେକ ଖାଦ୍ୟ ମାତ୍ରା କମାଇବାକୁ ପଡ଼ିବ। ତେବେ ଯାଇ ଆମ ହୃଦୟ ସୁସ୍ଥ ରହିବ। ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ କହିଥିଲେ, ହୃଦୟ ସୁସ୍ଥ ରଖିବାକୁ ହେଲେ ଫିଟ୍ ରହିବାକୁ ପଡ଼ିବ। ଦୀର୍ଘ ୨୦ ବର୍ଷ ତଳୁ ଏଥିପାଇଁ ମୁଁ ଅଭ୍ୟାସ ଜାରି ରଖିଛି। ସମସ୍ତେ ଚାହିଲେ ନିଜ ହୃଦୟକୁ ସୁସ୍ଥ ରଖିପାରିବେ। ହୃଦୟ ପାଇଁ କେବଳ ଗୋଟିଏ ଦିନ ନୁହେଁ, ବରଂ ପ୍ରତ୍ୟେକ ଦିନର କିଛି ମୁହୂର୍ତ୍ତ ଉତ୍ସର୍ଗ ହେବା ଆବଶ୍ୟକ।
‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ଏହି କାର୍ଯ୍ୟକ୍ରମ ତୃତୀୟ ବର୍ଷ ପାଇଁ ଆୟୋଜିତ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ୟୁନିଟ୍-୧ ପଡ଼ିଆରୁ ଏହି ୱାକାଥନ୍ ବାହାରି ବାଣୀବିହାର ଦେଇ ଫେରିଥିଲା। ହୃଦୟକୁ କିପରି ସୁସ୍ଥ ରଖିବା ସେ ନେଇ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୱାକାଥନ୍ ପାଇଁ ପୂର୍ବରୁ ପଞ୍ଜୀକୃତ କରିଥିବା ବ୍ୟକ୍ତିମାନଙ୍କର ଆଗ୍ରହ ପାଇଁ ସେମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଏଥିରେ ‘ସମ୍ବାଦ ଗ୍ରୁପ୍’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର ଓ ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସଙ୍କ ସମେତ କେଭି-୧ର ପ୍ରିନ୍ସିପାଲ୍ ଅମିୟ କୁମାର ପଣ୍ଡା ଓ ଭାଇସ୍ ପ୍ରିନ୍ସିପାଲ୍ ଭୁପିନ୍ଦର ସିଂ ଯୋଗ ଦେଇଥିଲେ। କେଭି-୧ର ଏନ୍ସିସି ଛାତ୍ରଛାତ୍ରୀଙ୍କ ସହ ହଜାର ହଜାର ସାଧାରଣ ଲୋକ ସାମିଲ ହୋଇଥିଲେ। ଭୋର ୬ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା। ଅନ୍ୟମାନଙ୍କ ମଧ୍ୟରେ ଜେମିନି ଏଡିବୁଲ ଅଏଲ୍ ଟିଏସ୍ଆଇ(ଟେରିଟୋରି ସେଲ୍ସ ଇନ୍ଚାର୍ଜ) ଜୀବନେଶ୍ବର ବେହେରା, ସେଲ୍ସ ରିପ୍ରେଜେଣ୍ଟେଟିଭ୍ ସୌମ୍ୟରଞ୍ଜନ ନାୟକ, ଶ୍ରୀରାମ ଏଜେନ୍ସି ଡିଷ୍ଟ୍ରିବ୍ୟୁଟର ଅରୂପାନନ୍ଦ ବେହେରା, ଏଏସ୍ଏମ୍ ଅମିୟ କୁମାର ଧଳ ସାମିଲ ହୋଇଥିଲେ।
[ad_2]