ବନ୍ୟା ପରେ ବାରୁଦ ବଢ଼ାଇଲା ସିକ୍କିମ ଚିନ୍ତା – Ibnodisha
[ad_1]
ନୂଆଦିଲ୍ଲୀ: ସିକ୍କିମରେ ବାଦଲ ଫଟା ବର୍ଷାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଧନ ଜୀବନ ହାନୀ ହେବା ପରେ ଏବେ ଉଦ୍ଧାର କାର୍ୟ୍ୟବେଳେ ବାଧା ଦେଉଛି ପାଣିରେ ଭାସିଆସିଥିବା ବିସ୍ଫୋରକ। ଆର୍ମି କ୍ୟାମ୍ପ ବନ୍ୟାରେ ଧୋଇଯାଇଥିବା ବେଳେ ଅନେକ ଗୋଳାବାରୁଦ ଓ ବିସ୍ଫୋରକ ଭାସି ଆସି ଗାଡ଼ିମଟର ଓ ଅନ୍ୟାନ୍ୟ ଭଗ୍ନାବଶେଷ ତଳେ ରହିଛି। ଏହି ବିସ୍ଫୋରକ ଯୋଗୁ ଉଦ୍ଧାରକାରୀ ଦଳକୁ ସଜାଗ ହୋଇ ଆଗକୁ ବଢ଼ୁଛନ୍ତି। ଅନ୍ୟ ପକ୍ଷରେ ଖରାପ ପାଣିପାଗ ମଧ୍ୟ ସର୍ଚ୍ଚ ଅପରେସନ୍ରେ ବାଧା ସୃଷ୍ଟି କରିଛି। ରହି ରହି ବର୍ଷା ହେବା କାରଣରୁ ଉଦ୍ଧାରକାର୍ୟ୍ୟ ମଧ୍ୟ ଧିମା ଗତିରେ ଚାଲିଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ଜଣ ସୈନିକଙ୍କ ସମେତ ୨୬ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୨ଜଣ ଲୋକ ଏବେବି ନିଖୋଜ ଥିବା କୁହାଯାଉଛି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ବାଦଲ ଫଟା ବର୍ଷା ପରେ ହୋଇଥିବା ବନ୍ୟାରେ ୨୫,୦୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଘଟଣାରେ ୧୨୦୦ ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ୨,୪୧୩ ଜଣ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରଠାରୁ ସରକାରଙ୍କ ଦ୍ୱାରା ନିର୍ମିତ ପ୍ରାୟ ଦୁଇ ଡଜନ କ୍ୟାମ୍ପରେ ୬,୮୭୫ ଲୋକ ଆଶ୍ରୟ ନେଇଛନ୍ତି। ସର୍ଚ୍ଚ ଅପରେସନରେ ନିୟୋଜିତ ଥିବା ଟିମ୍ ତିସ୍ତା ନଦୀର ବନ୍ୟା ଜଳରେ ଧୋଇ ହୋଇଯାଇଥିବା ଏକ ମୋର୍ଟାର ସେଲ ବିସ୍ଫୋରଣ ହେବାପରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିସ୍ଫୋରଣ ଏତେ ତିବ୍ରତର ଥିଲା ଯେ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ବାଦଲ ଫଟା ବର୍ଷା ଏବଂ ବନ୍ୟା ପରେ ପାହାଡ଼ରୁ ପ୍ରବାହିତ ପାଣିରେ ଭାସିଆସିଥିବା ମୋର୍ଟାର ସେଲ ସେନାର ବୋଲି ପୋଲିସ ଅନୁମାନ କରୁଛି।
[ad_2]