ରାଜ୍ୟ

ବୈଷୟିକ ମଂଜୁରୀ ଅନୁମୋଦନ ପାଇଁ ୩ମାସ ହେବ ଲଟକିଛି ୧୨କୋଟି ୩୦ଲକ୍ଷର ୫ଟି କାମ – Ibnodisha

[ad_1]

ଜୟପୁର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୟପୁର ପୌରପାଳିକାର ବିକାଶ ପାଇଁ ବିଭିନ୍ନ ୫ଟି ପ୍ରକଳ୍ପ ପାଇଁ ୧୨କୋଟି ୩୦ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଏହି ସବୁ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି  ଜୟପୁର ପୌରପାଳିକା ପକ୍ଷରୁ ଭବାନୀପାଟଣାରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ବୈଷୟିକ ଅନୁମୋଦନ ପାଇଁ ଦାଖଲ କରାଯାଇଛି।  ଗତ ୩ମାସ  ହେବ ଏହା ଦାଖଲ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଏସବୁ ପ୍ରକଳ୍ପର ଅନୁମୋଦନ ହୋଇ ଆସି ନ ପାରି ଲଟକି ରହିଥିବାବାରୁ ଏହାର ନିର୍ମାଣ କାମ କେବେ ଆରମ୍ଭ ହେବ ତାହାକୁ ନେଇ ସାଧାରଣରେ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ପୌରପାଳିକାର ସର୍ବାଙ୍ଗୀନ ବିକାଶ ପାଇଁ  ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। କିଛି ଉନ୍ନୟନ ପ୍ରକଳ୍ପର କାମ ଜାରୀ ରହିଛି। ୯କୋଟି ୯୦ଲକ୍ଷରେ ନୀଳକଣ୍ଠସାଗର, କୋଟିଏ ଟଙ୍କାରେ ଅତ୍ୟାଧୁନିକ ସ୍ମାର୍ଟ ଶ୍ମଶାନ, ଦେଢ଼ କୋଟି ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାରର ନିର୍ମାଣ କାମ ଜାରୀ ରହିଛି। ଅପରପକ୍ଷରେ ରାଜ୍ୟସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆନିମାଲ ବାର୍ଥ କଣ୍ଟ୍ରୋଲ କେନ୍ଦ୍ର ପାଇଁ କୋଟିଏ ୨୦ଲକ୍ଷର ଅନୁଦାନ ମିଳିଛି। ହାନାଗୁଡା ଠାରେ ଏହାକୁ ସ୍ଥାପନ କରିବାକୁ ପୌରପାଳିକା ପକ୍ଷରୁ ଯୋଜନା ରହିଛି। ସେଭଳି ଜୟପୁରବ୍ଲକର କୁନ୍ତରଖାଲ ଠାରେ ପୌରପାଳିକାକୁ ମିଳିଥିବା ଜମିରେ କୋଟିଏ ୮୦ଲକ୍ଷ ଟଙ୍କା ବ୍ୟୟରେ ଗୋଶାଳା, ୨କୋଟି ବ୍ୟୟରେ ଜଗନ୍ନାଥ ସାଗରର ଜୟନଗର ପାର୍ଶ୍ବର ଉନ୍ନତିକରଣ କରିବା ଯୋଜନା ରହିଛି।

ସେଭଳି ହାଲ୍ ପକ୍ଷରୁ  ଜଗନ୍ନାଥ ସାଗରର ଉନ୍ନତିକରଣ ଓ ପୁନଃରୁଦ୍ଦାର ପାଇଁ ପୂର୍ବରୁ କୋଟିଏ ଅନୁଦାନ ଦେଇସାରିଥିବା ବେଳେ ବଳକା ୬କୋଟି ଅନୁଦାନ ଦେବାକୁ ଚିଠି ବି ହାଲ୍ କରିସାରିଛି। ସେଭଳି ଲକ୍ଷ୍ମୀପଣ୍ଡା ଛକରେ  କୋଟିଏ ୩୦ଲକ୍ଷରେ ମିଶନଶକ୍ତି ମଲ୍ ନିର୍ମାଣର ଯୋଜନା ରହିଛି। ଏହି ୫ଟି ଯାକ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଜୟପୁର ପୌରପାଳିକା ପକ୍ଷରୁ ପ୍ରସ୍ତୁତ କରି   ଗତ ତିନି ମାସ ହେବ ଭବାନୀପାଟଣାରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ବୈଷୟିକ ଅନୁମୋଦନ ପାଇଁ ଦାଖଲ କରାଯାଇଥିଲେ ହେଁ ତାହା ଅନୁମୋଦନ ହୋଇ ଆସିପାରୁନି। ଅବିଭକ୍ତ କୋରାପୁଟ ଜିଲ୍ଲା ଓ ସହ କଳାହାଣ୍ଡି ଜିଲ୍ଲାର ପ୍ରକଳ୍ପ ଅନୁମୋଦନ ପାଇଁ ଥିବା ଏହି କାର୍ଯ୍ୟାଳୟରେ ଏଭଳି ପ୍ରକଳ୍ପର ଅନୁମୋଦନ ପାଇଁ ଯାଇ ମାସ ମାସ ଲଟକି ରହିବା ନିୟମିତ ଘଟଣା ବୋଲି ସୂଚନା ମିଳିଛି। ଏପରିକି ପ୍ରକଳ୍ପ ଗୁଡିକର ଶୀଘ୍ର ଅନୁମୋଦନ କରି ଦେବା ପାଇଁ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ କହିବା ପାଇଁ ବି କେହି ସାହାସ ପ୍ରକାଶ କରୁନାହାନ୍ତି। ତେବେ ଯେଉଁ ଲକ୍ଷ୍ୟ ନେଇ ପ୍ରକଳ୍ପ ଠିକଣା ସମୟରେ ହେବା କଥା ଏହି ସ୍ଥିତି ଲାଗି ବିଳମ୍ବ ହେଉଥିବା ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ସମ୍ଭାବ୍ୟ  ସାଧାରଣ ନିର୍ବାଚନ ଧିରେ ଧିରେ ପାଖେଇ ଆସୁଥିବା ବେଳେ ‌କେତେ ବେଳେ ବି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଯଦି ସେଭଳି ହେବ ତେବେ ଆଦର୍ଶ ଆଚରଣବିଧି ବି ଲାଗୁ  ହେବା ସମ୍ଭାବନା ବି ରହିଛି। ଏହି ସ୍ଥିତିରେ ଏସବୁ ପ୍ରକଳ୍ପର ଭାଗ୍ୟ ସୁତା ଖିଅରେ ଲଟକି ରହିଛି ବୋଲି ଚର୍ଚ୍ଚା ‌ହେଉଛି। ଅତିଶୀଘ୍ର ଏସବୁ ପ୍ରକଳ୍ପ ଅନୁମୋଦନ ହୋଇ ଆସିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button