ପ୍ରତିସ୍କୁଲ୍ରେ ସର୍ବନିମ୍ନ ଜଣେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନେଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ – Ibnodisha

[ad_1]
ଭୁବନେଶ୍ୱର: ପ୍ରତ୍ୟେକ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଗତ ଅଗଷ୍ଟ ୨୨ତାରିଖରେ ସୁପ୍ରିମ୍କୋର୍ଟ ଏନେଇ ଆଦେଶ ଦେଇଥିଲେ । ସର୍ବୋଚ୍ଚକୋର୍ଟ କଡ଼ା ଆଭିମୁଖ୍ୟ ରଖି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଥିଲେ ଯେ ଆଗାମୀ ୬ ସପ୍ତାହ ଭିତରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ପ୍ରକାଶ କରିବେ, ଯଦି ବିଳମ୍ବ ହୁଏ, ତେବେ ସେହି ରାଜ୍ୟର ମୁଖ୍ୟ ସଚି଼ବ କୋର୍ଟରେ ହାଜର ହୋଇ କୈଫିୟତ ଦେବେ ।
ଏହି ପରିପ୍ରେକ୍ଷୀରେ ଚଳିତମାସ ୧୭ତାରିଖରେ ମାନ୍ୟବର ସର୍ବୋଚ୍ଚ କୋର୍ଟ ଶୁଣାଣି କରି କହିଛନ୍ତି, ଯେଉଁ ରାଜ୍ୟ କୋର୍ଟରେ ନିଯୁକ୍ତି ସମ୍ପର୍କିତ ଆଫିଡେଭିଟ୍ ଜମା କରିନାହାନ୍ତି, ଖୁବ୍ଶୀଘ୍ର ଜମାକରନ୍ତୁ । ବିଚାରପତି ସି ଟି ରବିକୁମାର ସରକାରୀ ଆଇନଜୀବୀଙ୍କୁ ବିରକ୍ତି ଭାବରେ ପଚାରିଥିଲେ ଯେ ଭାରତ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଗୋଟିଏ ବିଦ୍ୟାଳୟରେ ଗୋଟିଏ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କାହିଁକି କରୁନାହାନ୍ତି । ଓଡ଼ିଶା ସରକାର ଏହି ମାମଲା ପାଇଁ ଆଇନଜୀବୀ ଅନିନ୍ଦିତା ପୂଜାରୀଙ୍କୁ ନୂତନ ଭାବେ ନିଯୁକ୍ତ କରିଛନ୍ତି । ଗତ ଫେବୃୟାରୀ ୧୪ରେ କୋର୍ଟଙ୍କ ଆଦେଶ ଅନୁଯାୟୀ ଓଡ଼ିଶା ସରକାର ସତ୍ୟପାଠରେ ରାଜ୍ୟରେ ୧,୨୬,୭୮୬ ଭିନ୍ନକ୍ଷମ ପିଲା ଥିବା ବେଳେ ମୋଟ୍ ପଦବୀ ୬,୫୭୩ ଥିବା ଉଲ୍ଲେଖ କରିଥିଲେ ।
କିନ୍ତୁ ବର୍ତ୍ତମାନର ସତ୍ୟପାଠରେ ତଥ୍ୟ କମ୍ କରାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁଯାୟୀ ମୋଟ୍ ୨୧ପ୍ରକାର ଭିନ୍ନକ୍ଷମ ଶ୍ରେଣୀ ଅଛନ୍ତି । କିନ୍ତୁ ଓଡ଼ିଶା ତରଫରୁ କେବଳ ୯ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରିରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଭିନ୍ନକ୍ଷମ ଅଧିକାର ଅଧିନିୟମର ଏହା ଖୋଲାଖୋଲି ଅବମାନନା ବୋଲି ଚର୍ଚ୍ଚା ହେଉଛି । ଓଡିଶା ପକ୍ଷରୁ ଉକ୍ତ ମୋକଦ୍ଦମାରେ ମୁଖ୍ୟ ଆବେଦନକାରୀ ଅଶ୍ୱିନୀ ମୁଦୁଲି ଅନ୍ଲାଇନ ମାଧ୍ୟମରେ କୋର୍ଟରେ ଯୋଡ଼ି ହୋଇଥିଲେ ଏବଂ ଓଡ଼ିଶା ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସ୍ରିଷ୍ଟି ଅଗ୍ନିହୋତ୍ରୀ ନିଜର ପକ୍ଷ ଉପସ୍ଥାପନା କରିଥିଲେ ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସେସ୍ପିଆଲ ଏଜୁକେଟର ଫେଡେରେସନ ଫର ଦିବ୍ୟାଙ୍ଗ ସଂଘ କହିଛି, ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷାପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ଓଡ଼ିଶା ସରକାର ବିଳମ୍ବ କରୁଛନ୍ତି । ସୁପ୍ରିମ୍କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ଖୁବ୍ଶୀଘ୍ର ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଁ ସଂଘ ଓଡ଼ିଶା ସରକାରଙ୍କ ନିକଟରେ ଦୃଢ଼ ଦାବି ରଖୁଛି ।
[ad_2]