ବଣରେ ଖସିପଡ଼ି ଜଳିଗଲା ବିମାନ; ୧୨ ମୃତ – Ibnodisha
[ad_1]
ବ୍ରାଜିଲିଆ: ବ୍ରାଜିଲ୍ର ଆମାଜନ୍ ଅଞ୍ଚଳରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଗୋଟାଏ କଅଁଳାପିଲା ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏପି’ ରିପୋର୍ଟ କରିଛି। ଉତ୍ତରପଶ୍ଚିମାଞ୍ଚଳ ରାଜ୍ୟ ଆକ୍ରି ସରକାର ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଉଡ଼ାଣ କରିବାର ଅଳ୍ପ ସମୟ ମଧ୍ୟରେ ଆକ୍ରି ରାଜ୍ୟର ରାଜଧାନୀ ରିଓ ବ୍ରାଙ୍କୋର ମୁଖ୍ୟ ବିମାନ ବନ୍ଦର ନିକଟରେ ଗୋଟିଏ ଇଞ୍ଜିନ୍ବିଶିଷ୍ଟ କସେ୍ନା କାରାଭାନ୍ ବିମାନ ତଳକୁ ଖସିପଡ଼ିଛି।
ବିବୃତିରେ ଉଲ୍ଲେଖ ଅଛି ଯେ, ଘଟଣାସ୍ଥଳରେ ୯ଜଣ ପ୍ରାପ୍ତବୟସ୍କ, ଜଣେ କୋଳଛୁଆ ଏବଂ ବିମାନର ପାଇଲଟ୍ ଓ ସହକାରୀ ପାଇଲଟ୍ଙ୍କ ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ, ପେରୁ ଓ ବୋଲିଭିଆ ସୀମାକୁ ଲାଗିଥିବା ବ୍ରାଜିଲ୍ର ମଫସଲ ଅଞ୍ଚଳରେ ତଳକୁ ଖସି ପଡ଼ିଯିବା ପରେ ବିମାନରେ ନିଆଁ ଲାଗିଯାଇଥିଲା।
ବିମାନରେ ଲାଗିଥିବା ନିଆଁ ଗଛବୃଚ୍ଛକୁ ବ୍ୟାପିଯିବା କାରଣରୁ ସେ ଅଞ୍ଚଳରେ ବନାଗ୍ନି ସୃଷ୍ଟି ହୋଇଛି। ମୃତ ବିମାନଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଖପାଖ ଆମାଜନ୍ ପ୍ରଦେଶକୁ ଯାଇ ଡାକ୍ତରୀ ଚିକିତ୍ସା କରାଇ ଫେରୁଥିବା ବ୍ୟକ୍ତିବିଶେଷ। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି ଅରଣ୍ୟ ମଧ୍ୟରେ ଖସିପଡ଼ି ଭାଙ୍ଗିଯାଇଥିବା ବିମାନରେ ନିଆଁ ଜଳୁଛି।
[ad_2]